ଆମ ରାଜ୍ୟରେ ଯୋଜନା ଉପରେ କେତେ ଯେ ଯୋଜନା କହିଲେ ଆଉ ସରିବ ନାହିଁ । ଏତେ ଯୋଜନା ଥାଇ ମଧ୍ୟ ଏବେ ବି କେତେକ ଜାଗାରେ ଅପହଞ୍ଚ । ଆଜି ବି ବହୁତ ଲୋକ ଜାଣିପାରୁନାହାଁନ୍ତି ଯେ ଏମିିତି ତାଙ୍କର ହିତ ପାଇଁ ଏତେ ସବୁ ଯୋଜନା ଅଛି । ବିଶେଷ କରି ମହିଳାମାନେ ଏସବୁ ବିଷୟରେ ଏବେ ବି ଅଜ୍ଞ ଅଛନ୍ତି । ଯଦି ଦେଖିବା ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ୪୧ ପ୍ରତିଶତ ମହିଳା ଏବେ ବି ନିରକ୍ଷର । ବହୁତ ଝିଅମାନେ ଅଧାରୁ ପାଠପଢା ବନ୍ଦ କରିଦେଉଛନ୍ତି, ଯାହାଦ୍ୱାରା ବହୁତ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ହେଉଛନ୍ତି ।
ପାଠପଢ଼ା କଥା ଯଦି ଦେଖିବା ଆମ ସମ୍ବିଧାନରେ ଅଛି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ଶିକ୍ଷା ଦେବା ହେଉଛି ସବୁ ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ୱ । ସେ ସବୁ ଦାୟିତ୍ୱକୁ ସମସ୍ତେ ଯଦି ସଠିକ୍ ଭାବରେ ତୁଲେଇ ପାରନ୍ତେ ତା’ହେଲେ ଏମିତି ପରିସ୍ଥିତି ଆଉ ଉପୁଜୁନଥାନ୍ତା । ଆଦିବାସୀ ଅଞ୍ଚଳ ଓ ଗ୍ରାମାଞ୍ଚଳ କଥା ଛାଡ଼ିଦେବା । ଆମେ ଯଦି ଆମ ରାଜଧାନୀରେ (ଭୁବନେଶ୍ୱର)ରେ ଦେଖିବା ତା’ହେଲେ ବହୁତ ଅଧାରୁ ପାଠ ଛାଡ଼ିଥିବା ପିଲା, ଆଉ ଦେଖିବାକୁ ମିଳିବ ବିଲକୁଲ୍ ବିଦ୍ୟାଳୟକୁ ଯାଉନଥିବା ପିଲାଙ୍କୁ ମଧ୍ୟ । ତା’ହେଲେ ସତରେ ଏଥିପାଇଁ ଦାୟିତ୍ୱ କାହାର ? ଶିକ୍ଷାକୁ ଘରେ ଘରେ ପହଞ୍ଚାଇ ସମସ୍ତଙ୍କୁ ଶିକ୍ଷିତ କରିବାର ଦାୟିତ୍ୱ କାହାର ? ଛତା, ଜୋତା, ମଧ୍ୟାହ୍ନ ଭୋଜନ ଖାଇବାର ଏତେ ବ୍ୟବସ୍ଥା ଥିଲେ ମଧ୍ୟ ପିଲାଙ୍କ ମଧ୍ୟରେ ଏ ପ୍ରକାର ଶିକ୍ଷା ପ୍ରତି ଅନାଦାର କାହିଁକି ଦେଖାଦେଇଛି । ଆଜି ବି ଆମେ ଯେତେବେଳେ ଗାଡ଼ିରେ କୌଣସି ଟ୍ରାଫିକ୍ ପୋଷ୍ଟ ପାଖରେ ଅଟକିଯାଉଛେ ଦେଖୁଥିବେ ନିଶ୍ଚୟ ୨/୪ଟି ପିଲା ସବୁ ଗାଡ଼ି ପାଖରେ ହାତ ପତେଇ କିଛି ପଇସା ମାଗୁଥିବେ । ଆଉ ସେଇ ପିଲାଙ୍କ ଭିତରେ ଝିଅମାନଙ୍କ ସଂଖ୍ୟା ବେଶୀ ଥିବ । ଯେଉଁ ବୟସରେ ବିଦ୍ୟାଳୟ ଯିବା କଥା ସେଇ ବସୟରେ ଏମିିତି ସବୁ ଟ୍ରାଫିକ୍ ପୋଷ୍ଟ ମାନଙ୍କରେ ଦୃଶ୍ୟ ହେଉଛି ଆମର ଖୋଦ୍ ରାଜଧାନୀର ଦୃଶ୍ୟ । ଯଦି ଆମ ଭୁବନେଶ୍ୱରରେ ଏମିିତି ଅବସ୍ଥା ଆମେ ତା’ହେଲେ ଆଉ କେଉଁ ଜାଗା କଥା କହିବା ଏଇଠି । ସବୁର ତାଲା ଖୋଲିବାର ପ୍ରକୃତ ଚାବିକାଠି ଟି ହେଉଛି ଶିକ୍ଷା ।
ନାରୀ ସଶକ୍ତିକରଣର ଅନ୍ୟ ଏକ ଦିଗ ହେଉଛି ଶିକ୍ଷା । ଝିଅଟିଏ ଯେତିକି ପଢ଼ିବ ନିଜର ଅଧିକାର ବିଷୟରେ ସେତିକି ସଚେତନ ହେବ । ଅଧିକାର ବିଷୟରେ ସଚେତନ ହେଲେ ହିଁ ନିଜର ଅସୁବିଧା ବେଳେ ସେ ସବୁ ଯୋଜନାର ଫାଇଦା ଉଠେଇପାରିବ । ତେଣୁ ଶିକ୍ଷା ହେଉଛି ଆଜିର ଦିନରେ ଗୋଟିଏ ଝିଅ ପାଇଁ ନିତ୍ୟାନ୍ତ ଜରୁରୀ, ଯାହାକୁ କି ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍ । ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ବୁଲୁଥିବା ଛୋଟ ଛୋଟ ଝିଅମାନଙ୍କୁ ନେଇ ବିଦ୍ୟାଳୟରେ କେମିତି ଭର୍ତ୍ତି କରିବା ସେ ଦାୟିତ୍ୱ ମଧ୍ୟ ବିଭିନ୍ନ ସମାଜସେବୀ ସଂସ୍ଥା ନେବା ଦରକାର । ସିଡବ୍ଲ୍ୟୁସିକୁ ହସ୍ତାନ୍ତର ଏବଂ ତା’ପରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସଠିକ୍ କାଉନ୍ସେଲିଂର ମଧ୍ୟ ନିହାତି ଆବଶ୍ୟକ ରହିଛି । ସମାଜସେବୀ ସଙ୍ଗଠନ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି କାର୍ଯ୍ୟ ଭିତରେ ଗୋଟିଏ ଗୁରୁଦାୟିତ୍ୱ ହେଉଛି ସରକାରଙ୍କର ମାଗଣା ଶିକ୍ଷା ଯୋଜନାରେ ଏହିସବୁ ପିଲାମାନଙ୍କୁ ସାମିଲ୍ କରେଇବା । ସରକାର ମଧ୍ୟ ଯେଉଁମାନଙ୍କୁ ଦାୟିତ୍ୱ ଦେଇଛନ୍ତି ସେ ବିଷୟରେ ମଧ୍ୟ ନିଜେ ସଜାଗ ରହିବା ଦରକାର । ଖାଲି ଯୋଜନା କରିଦେଲେ ହେବ ନାହିଁ, ଯୋଜନା କେମିତି କାହା ପାଖରେ ପହଞ୍ଚୁଛି ସେଇଟା ହେଉଛି ମୁଖ୍ୟ କଥା । ଯେଉଁମାନେ ମାଧ୍ୟମ ହେଉଛନ୍ତି ସେମାନେ ମଧ୍ୟ ଉତ୍ତରଦାୟୀ ହେବା ଦରକାର । ଶିକ୍ଷା ହେଉଛି ସବୁ କଥାର ମୂଳଦୁଆ । ମାନସିକ ସ୍ତରରେ ଶିକ୍ଷା ହିଁ ଗୋଟିଏ ଝିଅକୁ ଅଧିକ ମଜବୁତ୍ କରେ । ତେଣୁ କେମିତି ସମସ୍ତେ ପଢିବେ, ଆଉ ସମସ୍ତେ ବଢିବେ ସେ ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର ।
(କ୍ୱାଟର ନମ୍ବର-୧୧/୪, ୟୁନିଟ୍-୪, ଭୁବନେଶ୍ୱର ମୋ-୯୯୩୭୭୩୪୪୬୧)
Comments are closed.