ଭୁବନେଶ୍ବର: ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ମହିଳାଙ୍କୁ ୫ହଜାର ଟଙ୍କା ଲେଖାଏଁ ମିଳିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତିରେ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ।
ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଅନ୍ୟପଟେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଅଧିକାରୀ ଘର ଘର ବୁଲି ସର୍ଭେ କରିବେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଲାଭ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରହିଛି। କେତେକ ହିତାଧିକାରୀ ଆବେଦନ କରିବା ନେଇ ସମସ୍ୟାରେ ପଡ଼ିଥିବା ଖବର ଦୃଷ୍ଟିକୁ ଆସିଛି।
ଏବେ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରି ବାଦ୍ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମିଲ କରିବେ। ବର୍ତ୍ତମାନ ସୁଦ୍ଧା ୧ କୋଟି ୮ ଲକ୍ଷ ମହିଳା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି। ସରକାରଙ୍କ ଏହି ପ୍ରମୁଖ ଯୋଜନା ୮ ମାସ ପୂର୍ବେ ଆରମ୍ଭ ହୋଇଥିଲା। ପୂର୍ବରୁ ୯୭ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।
ସୁଭଦ୍ରାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଗତ ଫେବ୍ରୁଆରୀ ୮ ତାରିଖରେ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିଲା। ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ଏହାକୁ ମିଶାଇ ଗତ ୭ ମାସରେ ୯୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ଉପକୃତ ହୋଇସାରିଛନ୍ତି। ଏହାସହ ରାଜ୍ୟବ୍ୟାପି ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି।
Comments are closed.