Latest Odisha News

BREAKING NEWS

ସୁଧୀର ପାତ୍ର ହତ୍ୟା ମାମଲା: ସେହି ଦିନ କଣ ହୋଇଥିଲା ଡିଲ୍, DNA ଟେଷ୍ଟରୁ ବାହାରିବ ଅନେକ ତଥ୍ୟ

ବ୍ରହ୍ମପୁର/ଗୋପାଳପୁର: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିଜ ରକ୍ତ ସମ୍ପର୍କୀୟ ଝିଆରୀ ଓ ପୁତୁରା ଏଭଳି ବିଶ୍ୱାସଘାତକତା ଓ ବର୍ବରତା ଆଜିର ସମାଜରେ ମଣିଷପଣିଆ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମର୍ଡର ମିଷ୍ଟ୍ରିରେ ଝିଆରି, ପୁତୁରା ସହ ଦୁଇ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି। ସେହି ଦିନ କ’ଣ ଡିଲ୍ ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼।

ସୂଚନା ଥାଉକି ଏହି ଘଟଣାରେ ପ୍ରଥମେ ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୋଲିସ ଜେରା କରିଥିଲା। ଏବେ ପୁଣି ୪ ଜଣଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି। ବର୍ତ୍ତମାନ ଏହି ଘଟଣାରେ DNA ଟେଷ୍ଟ ମଧ୍ୟ କରାଯିବ। ଏଥିରୁ ବାହାରିବ ଅନେକ ତଥ୍ୟ। ପୂର୍ବରୁ କାଳୁ ପ୍ରଧାନ ଓ ସୂର୍ଯ୍ୟ ପ୍ରତାପ ସିଂହଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣି କ୍ରାଇମ ସିନ ରିକ୍ରିଏସନ କରିଥିଲା। ପୋଲିସ ବୁଧବାର ମୁଖ୍ୟ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ ଏବଂ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର ପାତ୍ରଙ୍କୁ ଦିନିକିଆ ରିମାଣ୍ଡ୍‌ରେ ନେଇଛି।

ଗୋପାଳପୁର ଥାନାରେ ବରିଷ୍ଠ ପୋଲିସ ଅଧିକାରୀମାନେ ମାରାଥନ ଜେରା କରୁଛନ୍ତି। ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପ ସିଂ ଆଣିଛି ପୋଲିସ। ସୂର୍ଯ୍ୟଙ୍କ ଡିଏନଏ ଟେଷ୍ଟ ପାଇଁ ଏମକେସିଜି ମେଡିକାଲର ଏଫଏମଟିକୁ ଅଣାଯାଇଛି। ଡିଏନଏ ଟେଷ୍ଟରେ ହତ୍ୟା ଘଟଣାକୁ ନେଇ ଅନେକ ତଥ୍ୟ ମିଳିପାରେ। ପୋଲିସ ତଦନ୍ତ ଅନୁସାରେ ନିବେଦିତା ଓ ତୁଷାର ଅପହରଣ ପାଇଁ କାଳୁକୁ କହିଥିଲେ। କାଳୁ ସୁପାରି କିଲର୍ ଗୋଲୁକୁ ନିୟୋଜିତ କରିଥିଲା। ସମସ୍ତ ଘଟଣାର ସିନ୍-ରିକ୍ରିଏସନ୍ ସରିଥିବା ବେଳେ ଏହି ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା ଜାଣିବାକୁ ପୋଲିସ ଏବେ ଚାରି ଅଭିଯୁକ୍ତଙ୍କୁ ଏକାଠି ରଖି ମୁହାଁମୁହିଁ ଜେରା କରୁଛି। ଅପହରଣ ଓ ହତ୍ୟାରେ ଏମାନଙ୍କ ପ୍ରମୁଖ ଭୂମିକା ଥିବାବେଳେ କେଉଁ ସମୟରେ ଏବଂ କାହା କାହା ମଧ୍ୟରେ କଣ ଡିଲ୍ ହୋଇଥିଲା ଖୋଳତାଡ଼ କରୁଛି ପୋଲିସ।

Comments are closed.