Latest Odisha News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ କାବ୍ରି ପୁଲ ନିକଟରେ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ଏହା ଆତ୍ମଘାତି ଆକ୍ରମଣ । ତେବେ ଏହି ଆତ୍ମଘାତୀ ବିସ୍ଫୋରଣ କିଏ ଏବଂ କାହିଁକି କରିଛି, ବିସ୍ଫୋରଣ ପଛରେ ଉଦ୍ଦେଶ୍ୟ କ’ଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ ।

ପୋଲିସ ଘଟଣାର ଯାଞ୍ଚ କରୁଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସୁରକ୍ଷାକର୍ମୀ ପହଞ୍ଚି ଯାଞ୍ଚ କରୁଛନ୍ତି । ମୃତ ସମସ୍ତ ପୋଲିସ କମର୍ଚାରୀ ବେଲୁଚିସ୍ତାନର । ପୋଲିସର କହିବା ଅନୁଯାୟୀ, ଆକ୍ରମଣକାରୀ ପୋଲିସର ଏକ ଗାଡି ଉପରକୁ ଲକ୍ଷ୍ୟ ରଖି ଆକ୍ରମଣ କରିଥିଲା । ପୋଲିସ କର୍ମଚାରୀଙ୍କୁ ନେଇ ଉକ୍ତ ଗାଡି ସିବି ମେଳାରୁ ଫେରୁଥିଲା । ରାସ୍ତାରେ ଆତ୍ମଘାତି ଆକ୍ରମଣ କରି ଗାଡ଼ିକୁ ଉଡାଇ ଦିଆଯାଇଥିଲା ।

ବିସ୍ଫୋରଣରେ ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ । ଗତ ସପ୍ତାହରେ ଭିନ୍ନ ଭିନ୍ନ ୨ଟି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ସୁରକ୍ଷାକର୍ମୀ ଥିଲେ । କୋଇଲା ଖାଦାନରେ କାମ କରୁଥିବା ୩ ଜଣ ଆହତ ହୋଇଛନ୍ତି । ବେଲୁଚିସ୍ତାନରେ ଅଧିକାଂଶ ସମୟରେ ବେଲୁଚି ବିଦ୍ରୋହୀମାନେ ପାକିସ୍ତାନୀ ସୁରକ୍ଷା ବଳଙ୍କୁ ଟାର୍ଗେଟ କରିଥାନ୍ତି । ସେମାନେ ଚୀନର ସିପିଇସି ପ୍ରକଳ୍ପକୁ ଦୃଢ ବିରୋଧ କରନ୍ତି ।

Leave A Reply

Your email address will not be published.