Latest Odisha News

BREAKING NEWS

ଚାକିରି ବଦଳରେ ଜମି ମାମଲା, ଜେରା ପାଇଁ ଲାଲୁ ଯାଦବଙ୍କୁ CBI ନୋଟିସ୍

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ସିବିଆଇର ସମନ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିଲା ।

ସୂଚନା ଅନୁସାରେ, ଜମି ବଦଳରେ ରେଲୱେରେ ଚାକିରି ଦେବା ମାମଲାରେ ସିବିଆଇ ରାବଡ଼ି ଦେବୀଙ୍କୁ ପଚରାଉଚରା କରିଛି । ଯାହାକୁ ନେଇ ସେ କହିଛନ୍ତି, ସିବିଆଇ ଆସିଲା ତ କଣ କରିବ ? ଆମର ଏଠି ସବୁବେଳେ ସିବିଆଇ ଆସିଥାଏ ।

ଏହି ମାମଲାରେ କୋର୍ଟ ଲାଲୁ ଯାଦବ, ରାବଡ଼ି ଦେବୀ, ମିସା ଭାରତୀଙ୍କ ସହ ୧୪ ଜଣଙ୍କୁ ସମନ ଜାରି କରି ମାର୍ଚ୍ଚ ୧୫ ତାରିଖରେ କୋର୍ଟରେ ହାଜର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ପୂର୍ବରୁ ଲାଲୁଙ୍କୁ ସିବିଆଇ ଜେରା ପାଇଁ ଡାକିବା ବିହାର ରାଜନୀତିରେ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ।

ଜମି ବଦଳରେ ଚାକିରି ମାମଲା ୧୪ ବର୍ଷ ପୁରୁଣା । ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଦାବି ଅନୁସାରେ, ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଚାକିରି ଦେବା ଲାଗି ଜମି ନେଇଥିଲେ । ୨୦୦୪ରୁ ୨୦୦୯ ଯାଏ ରେଳମନ୍ତ୍ରୀ ଥିଲେ ଲାଲୁ ଯାଦବ ।

Leave A Reply

Your email address will not be published.