Latest Odisha News

BREAKING NEWS

ସୁଜାତାଙ୍କ ଏଣ୍ଟ୍ରି ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେଡିରେ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ଦଳର ଗତ ନିର୍ବାଚନୀ ପରାଜୟ, ନେତୃତ୍ୱ ଓ ସଂଗଠନୀୟ ପରିଚାଳନାକୁ ନେଇ ପରୋକ୍ଷରେ କଟାକ୍ଷ କରିଛନ୍ତି।

ଭୂପିନ୍ଦର ସିଂ କହିଛନ୍ତି ଯେ, ଦଳ ଭିତରେ ‘ଓଡ଼ିଆ-ଅଣଓଡ଼ିଆ’ ପ୍ରସଙ୍ଗକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା ଏବଂ ଏହା ଦଳର କ୍ଷତିର ଏକ ବଡ଼ କାରଣ ହୋଇଥିଲା। କିନ୍ତୁ ଏହି ବିଷୟରେ ଦଳ ଭିତରେ କୌଣସି ଗଭୀର ସମୀକ୍ଷା କିମ୍ବା ଆଲୋଚନା ହୋଇନାହିଁ। ଯାହାଙ୍କୁ ଦଳ ସଭାପତି ନିର୍ବାଚନ ପ୍ରଚାରର ଦାୟିତ୍ୱ ଦେଇଥିଲେ, ସେ ନିଜେ ନିଜ ଭୁଲ ସ୍ୱୀକାର କରିଥିଲେ। ଭୁଲ ସ୍ୱୀକାର କରିବା ପରେ ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା କଥା ମଧ୍ୟ ଭୂପିନ୍ଦର ସିଂ ଉଲ୍ଲେଖ କରିଛନ୍ତି।

ସୁଜାତାଙ୍କ ସମ୍ଭାବ୍ୟ ଦଳୀୟ ଯୋଗଦାନ ସମ୍ପର୍କରେ ସିଂ କହିଛନ୍ତି, “ଯଦି ସୁଜାତାଙ୍କ ଆଗମନରେ ଦଳର କର୍ମୀମାନେ ସକ୍ରିୟ ହେବେ ଏବଂ ସଂଗଠନ ଶକ୍ତିଶାଳୀ ହେବ ବୋଲି କର୍ମୀମାନେ ଭାବୁଛନ୍ତି, ତେବେ ତାହା ସ୍ୱାଗତଯୋଗ୍ୟ। ଦଳ ସଭାପତି ନବୀନ ପଟ୍ଟନାୟକ ଯଦି ସୁଜାତାଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ, ତେବେ ଦଳ ତାଙ୍କୁ ନିଶ୍ଚିତ ଭାବେ ଗ୍ରହଣ କରିବ। ତେବେ ଏହି ନିଷ୍ପତ୍ତି କେତେକଙ୍କୁ ପସନ୍ଦ ନଆସିପାରେ ବୋଲି ସେ ସ୍ୱୀକାର କରିଛନ୍ତି।

“ଯେଉଁମାନଙ୍କ ପାଇଁ ଏହା ଗ୍ରହଣୀୟ ହେବ ନାହିଁ, ସେମାନେ ଦଳ ଛାଡ଼ିପାରନ୍ତି। କିନ୍ତୁ ଦଳର ନିଷ୍ପତ୍ତି ସମସ୍ତଙ୍କୁ ମାନିବାକୁ ପଡ଼ିବ,” ବୋଲି ସେ କହିଛନ୍ତି। ସୁଜାତାଙ୍କ ବିଜେଡି ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବିଭିନ୍ନ ନେତାଙ୍କ ମତାମତ ରାଜନୈତିକ ମହଲରେ ନୂଆ ଆଲୋଚନାର ସୂତ୍ରପାତ କରିଛି। ଏହାକୁ ନେଇ ବିଜେଡିର ଆଗାମୀ ରଣନୀତି ଓ ସଂଗଠନୀୟ ଦିଗ ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.