Latest Odisha News

BREAKING NEWS

ଦାରିଙ୍ଗବାଡିର ସୁପର ମା ; ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍ କଲେ ମା

ବାଲିଗୁଡ଼ା : ବିଫଳତା ହେଉଛି ସଫଳତାର ଚାବିକାଠି । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳର ସୁପର ମା ସୁଜାତା । ୪୭ ବର୍ଷ ବୟସରେ ପୁଅ ସହ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି ସୁଜାତା । ଆଉ ସମାଜକୁ ଦେଇଛନ୍ତି ଏକ ପ୍ରେରଣା । ଏଭଳି ଏକ ଭିନ୍ନ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଦାରିଙ୍ଗବାଡ଼ି ଲୋହରା ସାହିର ବିକ୍ରମ ନାୟକଙ୍କ ସ୍ତ୍ରୀ ସୁଜତା ନାୟକ ବାହାଘର ପୂର୍ବରୁ ମାଟ୍ରିକ ଫେଲ୍ ହୋଇଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାର ଜଞ୍ଜାଳ ଓ ଅର୍ଥାଭାବରୁ ଆଗକୁ ବଢିପାରିନଥିଲେ । କିନ୍ତୁ ପରିବାରର ସହଯୋଗ ଯୋଗୁଁ ପୁଣି ଥରେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇଥିଲେ ସୁଜାତା । ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲା ବେଳେ ପୁଅ ଆୟୁଷ ନାୟକ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଚଳିତ ବର୍ଷ ଉଭୟେ ମା,ପୁଅ ମାଟ୍ରିକ ପରୀକ୍ଷା ଦେଇଥିଲେ । ହେଲେ୧୬ ବର୍ଷର ପୁଅ ଆୟୁଷ ନାୟକଙ୍କୁ ପଛରେ ପକାଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ସୁଜାତା । ମା ସୁଜାତା ନାୟକ ୬୦୦ ମାର୍କ ରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍ ରେ ପାସ୍ ହୋଇଥିବା ବେଳେ ପୁଅ ଆୟୁଷ ନାୟକ ୬୦୦ ମାର୍କ ରୁ ୨୫୮ ମାର୍କ ରଖି ଡି ଗ୍ରେଡ୍ ରେ ପାସ୍ ହୋଇଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ପରେ ପୁଣି ପାଠ ପଢି ଭଲ ନମ୍ବର ରଖି ପାସ୍ ହୋଇଛନ୍ତି ସୁଜାତା ।

ଅନ୍ୟପଟେ ଯଦି ସରକାରୀ ସହାୟତା ମିଳେ ତେବେ ସୁଜାତାଙ୍କ ସମେତ ତାଙ୍କ ପୁଅ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇପାରନ୍ତେ ବୋଲି କହିଛନ୍ତି ସୁଜାତା । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଥିବା ବେଳେ ପରିବାର ବର୍ଗଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବାଲିଗୁଡ଼ାରୁ ବିପ୍ର ଚରଣ ସାହୁଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.