ରାଂଚି: ଅନ୍ଧବିଶ୍ୱାସରେ ଅନ୍ଧ । ଭକ୍ତି ବଦଳରେ ଭଗବାନଙ୍କୁ ଚଢାଇଥିଲେ ରକ୍ତ । ନିଜ ବୋହୁକୁ ଫେରିପାଇବା ପାଇଁ ଜଣେ ଶାଶୁର ଚକିତକର କାରନାମା ଝାଡଖଣ୍ଡରେ ଚାଂଚଲ୍ୟ ସୃଷ୍ଟି କରିଛି ।
ରବିବାର ସଂଧ୍ୟାରେ ଷଢେଇକଳା ଖରସୁଆଁ ଜିଲ୍ଲାରେ ଲକ୍ଷ୍ମୀ ନିରଳା ନାମକ ଜଣେ ମହିଳା ନିଜ ଜିଭ କାଟିଦେଇଥିଲେ । ଅତ୍ୟଧିକ ରକ୍ତସ୍ରାବ ହୋଇଥିଲେ ବି ସେ ପ୍ରଥମେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ । ହେଲେ ଶେଷରେ ବହୁ ବୁଝାସୁଝା କରିବା ପରେ ତାଙ୍କୁ ମହାତ୍ମା ଗାନ୍ଧୀ ମେମୋରିଆଲ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ରିପୋର୍ଟ ଅନୁଯାୟୀ ମହିଳା ଜଣକ ପର ଘରେ କାମ କରି ପେଟ ପୋଷୁଥିଲେ । ଶୁକ୍ରବାର ତାଙ୍କ ବୋହୁ ନିଜ ଝିଅ ସହ ହଠାତ୍ ନିଖୋଜ ହୋଇଯାଇଥିଲେ । ଥାନାରେ ଏତଲା ଦେବା ସହ ବହୁ ଖୋଜାଖୋଜି ପରେ ବି ସେମାନଙ୍କର ପତ୍ତା ମିଳିନଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ ଭଗବାନ ଶିବଙ୍କ ନିକଟରେ ବୋହୁକୁ ଫେରିପାଇବା ଲାଗି ସେ ମାନସିକ କରିଥିଲେ ।
ହେଲେ ବୋହୁ ନ ଫେରିବା ପରେ ବଳି ସ୍ୱରୂପ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ସେ ଏକ ବ୍ଲେଡ୍ରେ ନିଜ ଜିଭ କାଟିଦେଇଥିଲେ । ତେବେ ନିଜସ୍ୱ ବୁଦ୍ଧି ନୁହେଁ ବରଂ କାହା ପ୍ରରୋଚନାରେ ପଡି ଲକ୍ଷ୍ମୀ ଏପରି କରିଥିବା ସ୍ୱାମୀ ନନ୍ଦୁ ଲାଲ ନିରଲା ପ୍ରକାଶ କରିଥିଲେ ।
Comments are closed.