Latest Odisha News

BREAKING NEWS

ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିଥିବା ୧୭ଟି ଦଳ ମଧ୍ୟରୁ ଶିବସେନା (ଉଦ୍ଧବ ଠାକରେ) ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଯାହାକି ଯଶଓ୍ୱନ୍ତ ସିହ୍ନାଙ୍କ ପାଇଁ ଝଟକା ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟର ବାଟ ସହଜ ହୋଇଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ବେଳେ ବିଭିନ୍ନ ରାଜ୍ୟର ସରକାର ଏବଂ ସାଂସଦଙ୍କ ସଂଖ୍ୟା ଦେଖିଲେ ଏହି ମୁକାବିଲାରେ ଶାସକ ଦଳକୁ ବିଜୟୀ ହେବାକୁ ହେଲେ ବହୁତ ଚ୍ୟାଲେଞ୍ଜ ସାମ୍ନା କରିବାକୁ ହେବ ବୋଲି କୁହାଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ରାଜନାଥ ସିଂହ, ନୀତୀନ ଗଡକରୀ, ଶିବରାଜ ସିଂହ ଚୌହ୍ୱାନ ଏବଂ ଅନ୍ୟ ବିଜେପି ସଂସଦୀୟ ଦଳର ବୈଠକ ସମସ୍ତ ଗଣିତକୁ ବିଗାଡିଦେଇଛି। କାରଣ କେନ୍ଦ୍ର ସରକାର ଦ୍ରୌପଦୀ ମୁର୍ମୁଙ୍କ ଭଳି ଜଣେ ଆଦିବାସୀ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଯିଏକି ମହିଳା ମଧ୍ୟ। ସାରା ଦେଶରେ ଏବେ ରାଜନୀତି ଆଦିବାସୀ, ଦଳିତ ଏବଂ ମହିଳାଙ୍କୁ ନେଇ ଚାଲିଛି। ଏପରି ସ୍ଥିତିରେ ଦ୍ରୌପଦୀଙ୍କୁ ବିରୋଧ କରିବା ଅର୍ଥ ଆଦିବାସୀ ବିରୋଧୀ ଏବଂ ମହିଳାଙ୍କୁ ଆଗକୁ ବଢାଇବାରେ ସହଯୋଗ କରୁନଥିବା ଭଳି ଏକ ବାର୍ତ୍ତା ଯିବ। ଏପରି ଚିନ୍ତା କରି ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୈପଦୀଙ୍କୁ ପ୍ରାର୍ଥୀ କରିଛି। ଆଉ ଦ୍ରୌପଦୀଙ୍କୁ ଚେହେରା କରି ବିଜେପି ଆଗାମୀ ଦିନରେ ଆଦିବାସୀ ଭୋଟ୍ ବ୍ୟାଙ୍କକୁ ନିଜ ପକେଟରେ ରଖିବାକୁ ଚେଷ୍ଟା କରିଛି।

ବିରୋଧୀ କାହିଁକି ହୋଇପାରିଲେନି ଏକଜୁଟ?

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକ ହୋଇ କେନ୍ଦ୍ରକୁ କଡା ଜବାବ ଦେବାକୁ ପ୍ରୟାସ କରୁଥିଲେ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏକଥା ନିଜେ ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବରେ କହିଥିଲେ। କିନ୍ତୁ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଭାଙ୍ଗିଯିବା ବିରୋଧୀ ଦଳର ନିଅଁକୁ ଦୁର୍ବଳ କରିବାରେ ଗୋଟିଏ ବଡ ଭୂମିକା ନେଇଛି। କାରଣ ବିରୋଧୀ ଏଠାରେ ସରକାରରେ ଥିଲା। କିନ୍ତୁ ଶିବସେନାର କନ୍ଦଳ ଏଠାରେ ସବୁ ଗଣିତକୁ ଓଲଟ ପାଲଟ କରିଦେଲା। ତେଣୁ ମହାରାଷ୍ଟ୍ର ବିଧାନସଭାରୁ ଯେଉଁ ୪୦ରୁ ଅଧିକ ଭୋଟ୍ ଯଶଓ୍ୱନ୍ତ ସିହ୍ନାଙ୍କ ସମର୍ଥନରେ ପଡିଥାନ୍ତା ତାହା ଓଲଟିଗଲା।

ଏହାପରେ ବିଜେଡି, ଓ୍ୱାଇଏସଆର କଂଗ୍ରେସ ଏନଡିଏର ଅଂଶୀଦାର ହୋଇନଥିଲେ ବି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ। ଦ୍ରୌପଦୀଙ୍କୁ ବିରୋଧ କରିବାର କାରଣ କଣ ଜାଣିପାରିଲେନି ବିରୋଧୀ। ସେ ଜଣେ ମହିଳା ଏବଂ ଆଦିବାସୀ ହୋଇଥିବାରୁ ତାଙ୍କୁ ବିରୋଧ କରିବା ଆଗାମୀ ଦିନରେ ଭୋଟ୍ ବ୍ୟାଙ୍କ ହରାଇବାର ଭୟ ମଧ୍ୟ ରହିଛି। ପଶ୍ଚିମବଙ୍ଗରେ ଦୁଇରୁ ଚାରି ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ। ଏପରି ସ୍ଥିତିରେ ଦ୍ରୌପଦୀଙ୍କ ବିରୋଧରେ ନାରାବାଜି କରିବା ଦଳ ପାଇଁ ଆଗାମୀ ଦିନରେ ବୁମେରାଂ ହେବାର ସମ୍ଭାବନା ରହିଛି। ତେଣୁ ଯଶଓ୍ୱନ୍ତ ସିହ୍ୱାଙ୍କୁ ପ୍ରଚାର ପାଇଁ ମଧ୍ୟ ମମତା କୋଲକାତାକୁ ଡାକିନଥିଲେ। ସେହିପରି ନିଜେ ମମତା କହିଥିଲେ ଯଦି ଏନଡିଏ ତାଙ୍କୁ ଦ୍ରୌପଦୀଙ୍କ ନାଁ ଆଗୁଆ କହିଥାନ୍ତା ତାହେଲେ ସେ ସମର୍ଥନ କରିଥାନ୍ତେ। ଅର୍ଥାତ୍ ମମତା ପରୋକ୍ଷରେ ଭୋଟ୍ ବ୍ୟାଙ୍କକୁ ନଷ୍ଟ ନକରିବାକୁ ଯାଇ ପରୋକ୍ଷରେ ଦ୍ରୌପଦୀଙ୍କ ସମର୍ଥନରେ ବାର୍ତ୍ତା ଦେଲେ।

ସେହିପରି ଝାଡଖଣ୍ଡର ରାଜ୍ୟପାଳ ଥିଲେ ମୁର୍ମୁ । ଏଠାରେ ସରକାରରେ କଂଗ୍ରେସ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରହିଛି। ଉଭୟ ମିଳିତ ବିରୋଧୀ ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ମୁର୍ମୁ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନ ଆଦାବାସୀ । ଯଦି ହେମନ୍ତ ଦ୍ରୌପଦୀଙ୍କ ବିରୋଧରେ ରହିବେ ତାହେଲେ ଏଠାରେ ଥିବା ବିଜେପିକୁ ଆଗାମୀ ଦିନରେ ପ୍ରସଙ୍ଗ ମିଳିଯିବ। ଅନ୍ୟପଟେ ଦ୍ରୌପଦୀ ଏବଂ ହେମନ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଭଲ। ଏପରି ସ୍ଥିତିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁର୍ମୁଙ୍କୁ ସମର୍ଥନ କରିଛି।

ଉତ୍ତର ପ୍ରଦେଶରେ ବିଏସପି ଆଦିବାସୀ ବିରୋଧୀ ନହେବାକୁ ଯାଇ ବିରୋଧୀ ଶିବିରରେ ଥିଲେ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ କରିଛି। ସେହିପରି କଂଗ୍ରେସ ସହିତ ମେଣ୍ଟରେ ରହିବ ନି ବୋଲି କହି ଅକାଳୀ ଦଳ ମୁର୍ମୁଙ୍କୁ ସମର୍ଥନ କରିଛି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ କ’ଣ ଥିଲା ଗଣିତ?

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପାଇଁ ୫୪୯,୪୫୨ ଭୋଟ୍ ଆବଶ୍ୟକ। ଏନଡିଏ ବର୍ତ୍ତମାନ ୯୦୦୦ ଭୋଟ୍ ଅର୍ଥାତ୍ ପ୍ରାୟ ୧.୨ ପ୍ରତିଶତ ଭୋଟ୍ ପଛରେ ଥିଲା। ସେହିପରି ସେତେବେଳେ ୟୁପିଏର ଭୋଟ୍ ପ୍ରତିଶତ ୨୫ ପ୍ରତିଶତ ଥିଲା। କିନ୍ତୁ ଡିଏମକେ, ଟିଆରଏସ, ଟିଏମସି, ଶିବସେନା, ଏନସିପି, ଏଆଇଏମଆଇଏମ ଏବଂ ଅନ୍ୟାନ୍ୟ ଦଳର ଭୋଟ୍ ମିଶିଲେ ଏନଡିଏ ପାଖାପାଖି ଭୋଟ୍ ପ୍ରତିଶତ ଥିଲା। ଏବେ ବିଜେଡି ଏବଂ ଓ୍ୱାଇଏସଆର କଂଗ୍ରେସ ସମର୍ଥନ କରିବା ପରେ ଏନଡିଏର ଭୋଟ୍ ପ୍ରତିଶତ ସଂଖ୍ୟା ଢେର ବଢି ସାରିଛି।

କ’ଣ ରହିଛି ଏବେର ଭୋଟ୍ ଗଣିତ?

ଏବେ ବିଜେପି ସମେତ ୨୪ ରାଜନୈତିକ ଦଳର ସମର୍ଥନ ସହ ଦ୍ରୈପଦୀ ମୁର୍ମୁଙ୍କ ସମର୍ଥନରେ ୬୦ ପ୍ରତିଶତ ଭୋଟ୍ ରହିଛି।

Leave A Reply

Your email address will not be published.