Latest Odisha News

BREAKING NEWS

ନିରାଶ ସାହାରା ନିବେଶକଙ୍କୁ ଆଶ୍ୱସ୍ତି ! ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବାକୁ SEBIକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ବର୍ଷ ବର୍ଷ ଧରି ଫସିରହିଥିବା ଜମା ଅର୍ଥ ଫେରିପାଇବେ ନିବେଶକାରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେବା ପରେ ଏନେଇ ପଥ ପରିସ୍କାର ହୋଇଛି। ବୁଧବାର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବାକୁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି)କୁ ନିର୍ଦ୍ଦେଶ ଦେଇଛନ୍ତି। ସେବି-ସାହାରା ପାଣ୍ଠିରେ ଜମା ରହିଥିବା ୨୪,୦୦୦ କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଦେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ସାହାରା ଇଣ୍ଡିଆରେ ଫସି ରହିଥିବା ପ୍ରାୟ ୧.୧ କୋଟି ନିବେଶକଙ୍କୁ ତାଙ୍କ ଜମା ଅର୍ଥ ଫେରସ୍ତ ମିଳିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ଅନିଶ୍ଚିତତା ଭିତରେ ଥିବା ସାହାରା ନିବେଶକଙ୍କ ମହଲରେ ଆଶ୍ୱସ୍ତି  ଦେଖାଦେଇଛି।

ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ସୁବାସ ରେଡ୍ଡୀଙ୍କ ତତ୍ବାବଧାନରେ ନିବେଶକଙ୍କୁ ଜମା ଟଙ୍କା ଫେରସ୍ତ ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ । ପୂର୍ବରୁ ସାହାରା ରିଅଲ ଇଷ୍ଟେଟ କମ୍ପାନୀଠାରୁ ୬.୫୭ କୋଟି ଟଙ୍କା ଆଦାୟ କରାଯାଇଥିଲା ବେଳେ ଗତବର୍ଷ ଜୁନ ମାସରେ ଦେବାକୁ ଥିବା ୬ କୋଟି ଟଙ୍କା ପଇଠ କରିବାରେ ସାହାରା ବିଫଳ ହୋଇଥିଲା। ତେଣୁ ଚଳିତ ବର୍ଷ ସେବି ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ କରିଥିଲା।

୨୦୧୨ରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ ଯେ; ସାହାରା ସେବି ନିୟମକୁ ଉଲ୍ଲଂଘନ କରିଛି। ଏହାପରେ ସାହାରା ଉପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ।  ସାହାରା ଇଣ୍ଡିଆ ସମୂହ ତାର ନିବେଶକଙ୍କୁ ଅର୍ଥ ଦେବାରେ ବିଫଳ ହେବାପରେ ଏହାର ମୁଖ୍ୟ ସୁବ୍ରତ ରାୟଙ୍କୁ ଜେଲ ଯିବାକୁ ପଡିଥିଲା । ପାଖାପାଖି ଦୁଇ ବର୍ଷରୁ ଅଧିକ ସମୟ ଜେଲରେ ରହି ସେ ୨୦୧୭ ମେ’ ୬ଠାରୁ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ପାରୋଲ ଆସି ସେବେଠାରୁ ଅଛନ୍ତି, ଯାହାକୁ ପରବର୍ତ୍ତୀ ସମୟରେ ବୃଦ୍ଧି କରାଯାଇଛି। ସମ୍ପ୍ରତି ସେବି-ସାହାରା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଅନେକାଂଶରେ ସାହାରା ଇଣ୍ଡିଆର ନିବେଶକଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି।

 

Leave A Reply

Your email address will not be published.