Latest Odisha News

BREAKING NEWS

‘ଝାରସୁଗୁଡାରେ ୨ ମାସରେ ଦୁଇଟି ହତ୍ୟା; ପୋଲିସର ନିଷ୍କ୍ରିୟତା ଅପରାଧୀଙ୍କୁ ସୁରକ୍ଷା ଦେଉଛି’

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି  ଆଇନଶୃଙ୍ଖଳା ସ୍ଥିତି । ଜାନୁଆରୀ ୨୯ ରେ ନବ ଦାସଙ୍କ ହତ୍ୟା । ଏହାର ଠିକ ୨ ମାସ ପରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅପହରଣ ପରେ ଜଘନ୍ୟ ହତ୍ୟା । ଏହା ଝାରସୁୁଗୁଡା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଜିଲ୍ଲାର ଏପରି ସ୍ଥିତିକୁ ନେଇ ସରକାର ଉପରେ ବର୍ଷିବା ସହ ଏପରି ଦୁଃଖଦ ଖବର ଶୁଣି ପବିତ୍ର ରାମନବମୀ ପର୍ବରୁ ନିଜକୁ ଦୂରେଇ ରଖିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ଜଣେ ଛାତ୍ରଙ୍କୁ ଦିନ ଦ୍ୱିପହରରେ ଅପହର କରି ନିଆଗଲା । ତାଙ୍କୁ ମୁଣ୍ଡ ଜାମିନ ରଖି ପରିବାରକୁ ୫୦ ଟଙ୍କା ମାଗିଲେ ଦୁଦୃର୍ତ୍ତ  । ଶେଷରେ ତାଙ୍କୁ  ହତ୍ୟା କଲେ । ଏହାର ମାତ୍ର ୨ ମାସ ପୂର୍ବରୁ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଗଲା । ଏହି ଘଟଣାରେ  ହତ୍ୟାକାରୀଙ୍କୁ ଚିହ୍ନଟ କରିବା, ତାଙ୍କ ହତ୍ୟାର ଉଦ୍ଦେଶ୍ୟ କ’ଣ ଏହା ଆଜିଯାଏ ସ୍ପଷ୍ଟ ହେଲାନି । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସମସ୍ତେ ଦାବି କଲେ । ହେଲେ ସରକାର ଶୁଣିଲେ ନାହିଁ । ରାଜ୍ୟ ସରକାରଙ୍କର ଏପରି ଖାମଖିଆଲି ମନୋଭାବ ଅପରାଧୀଙ୍କ ମନୋବଳ ବଢାଉଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ରାଜ୍ୟ ସରକାର ଏବଂ ପ୍ରଶାସନ ଯୋଗୁ ଜିଲ୍ଲାରେ ଅପରାଧୀମାନେ ନିଜକୁ ସୁରକ୍ଷିତ ମନେକରୁଛନ୍ତି । ଅନ୍ୟପକ୍ଷେ ସଧାରଣ ଜନତା ନିଜକୁ ଭୟଭୀତ ମନେ କରୁଛନ୍ତି । ଏଥିପାଇଁ ରାଜ୍ୟସରକାର, ଏଠିକାର ପୋଲିସ ପ୍ରଶାସନ ଏବଂ ଗୃହ ବିଭାଗରେ ଥିବା ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର  ତ୍ରିପାଠୀ । ରାମନବମୀ ପୂଜାକୁ ସାରା ଦେଶ ଖୁସି ମନରେ ପାଳୁଥିବାବେଳେ ଗୋଟିଏ ପରିବାର ଏବେ ଶୋକରେ ବୁଡି ଯାଇଛନ୍ତି । ଏପରି ପରିସ୍ଥିତିରେ ରାମନବମୀ ମହୋତ୍ସବରେ ସେ ନିଜକୁ ସାମିଲ କରିପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ ।

ସୂଚନାଥାଉ କି, ଝାରସୁଗୁଡା ଜିଲ୍ଲାର ଜଣେ ନିରୀହ ଛାତ୍ର ସମର୍ଥ ଅଗ୍ରୱାଲାଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ।    ଭେଡେନ ଥାନା ପାଖ ଜଙ୍ଗଲରୁ ଅପହୃତ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ଆଜି ତାଙ୍କର ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛି  ଏସ୍‌ପି ସ୍ମିତ ପାରମାର ।

ଏହି ଘଟଣାରେ ପୋଲିସ  ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି।  ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିବା ଜଣାପଡିଛି ବୋଲି ଏସପି କହିଥିଲେ । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ ।ପୋଲିସ ଘଟଣାସ୍ଥଳରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ କରିଛି । ତେବେ ଅପହରଣ ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ତେବେ ସମର୍ଥଙ୍କ ବାପା ସୁନିତ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ୨୭ ତାରିଖ ଅପରାହ୍ନ4ଟାରୁ ସମର୍ଥକ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ବାହାରିଥିଲେ ।  ତା’ ପରଠାରୁ ଆଉ ଘରକୁ ଫେରି ନ ଥିଲେ । ୨୭ ତାରିଖରୁ ସୁନିତ ପୁଅର ଫୋନରୁ ଏକ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ। ସେମାନେ ୫୦ ଲକ୍ଷ ଠଙ୍କା ଦାବି କରିଥିଲେ ।

 

Leave A Reply

Your email address will not be published.