ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ ନିଯୁକ୍ତି ଓ ଖାଲି ପଦ ନେଇ ପ୍ରଶ୍ନ ଉଠୁଥିବ । ଏଭଳି କହି କେନ୍ଦ୍ର ଆଇନ୍ ମନ୍ତ୍ରୀ ବିଚାରପତି ନିଯୁକ୍ତି ଉପରୁ ହାତ ଟେକି ଦେଇଛନ୍ତି ।
ସଂସଦରେ କିରଣ ରିଜିଜୁ କହିଛନ୍ତି, ଏବେ ଅଦାଲତରେ ବିଚାର ନ ହୋଇ ପଡ଼ି ରହିଥିବା ମାମଲା ୫ କୋଟି ଛୁଇଁବାକୁ ବସିଲାଣି । ଅଦାଲତରେ ବିଚାରପତି ପଦ ଖାଲି ପଡ଼ିଛି । ଅଦାଲତରେ ଖାଲି ପଡ଼ିଥିବା ପଦ ପୂରଣ ଲାଗି ସରକାରଙ୍କ ପାଖରେ ସୀମିତ ଶକ୍ତି ରହିଛି । କଲେଜିୟମ୍ ସୁପାରିସ୍ ଛଡ଼ା ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନିଯୁକ୍ତି ପାଇଁ ନାହିଁ ବୋଲି କେନ୍ଦ୍ର ଆଇନ୍ ମନ୍ତ୍ରୀ କହିଛନ୍ତି ।
ଆସନ୍ତୁ ନଜର ପକାଇବା ଦେଶରେ ଥିବା କଲେଜିୟମ୍ ବ୍ୟବସ୍ଥା କଣ ? କିଭଳି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ମିଳେ ?
- ଦେଶ ସ୍ୱାଧୀନତା ପାଇବା ପରେ ୧୯୯୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ସରକାର ବିଚାରପତି ନିଯୁକ୍ତ କରୁଥିଲେ । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପରାମର୍ଶରେ ରାଷ୍ଟ୍ରପତି ଦେଉଥିଲେ ବିଚାରପତି ନିଯୁକ୍ତି ।
- ୧୯୯୩ରେ କଲେଜିୟମ୍ ଗଠନ କରିଥିଲେ ସୁପ୍ରିମକୋର୍ଟ । କଲେଜିୟମ୍ ସୁପ୍ରିମକୋର୍ଟଙ୍କ ୫ ବିଚାରପତିଙ୍କ କମିଟି । ଯାହା ବିଚାରପତି ନିଯୁକ୍ତି ଓ ପଦୋନ୍ନତି ସହ ଜଡ଼ିତ ମାମଲା ଉପରେ ନିଷ୍ପତ୍ତି ନେଇଥାଏ । ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି କଲେଜିୟମ୍ ସୁପାରିସ୍ ଅନୁଯାୟୀ ହୋଇଥାଏ । କଲେଜିୟମର ଅଧ୍ୟକ୍ଷ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ।
- କଲେଜିୟମ କମିଟିରେ ଏପରି ଜଣେ ବିଚାରପତି ଥାଆନ୍ତି ଯିଏ କି ପରବର୍ତ୍ତୀ ସମୟରେ ପ୍ରଧାନବିଚାରପତି ହେବେ । କଲେଜିୟମ୍ ବିଚାରପତିଙ୍କ ନାଁ ସରକାରଙ୍କୁ ସୁପାରିସ୍ କରିଥାନ୍ତି । କେନ୍ଦ୍ର ସେହି ନାଁକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଥାଏ । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇ ବିଚାରପତି ନିଯୁକ୍ତ ହୁଅନ୍ତି ।
୨୦୧୫ ମସିହାରେ କଲେଜିୟମ୍ ବ୍ୟବସ୍ଥାକୁ ହଟାଇବା ଲାଗି ମୋଦି ସରକାର ଏକ ଆଇନ୍ ଆଣିଥିଲେ । ଉକ୍ତ ଆଇନ୍ ଅନୁସାରେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ NJAC ଗଠନ କରାଯାଇଥିଲା । ଆଇନ୍ ପ୍ରକାରେ, NJACର ଅଧ୍ୟକ୍ଷ ଦେଶର ପ୍ରଧାନବିଚାରପତି ରହିଥାନ୍ତେ । ତା’ଛଡ଼ା ସୁପ୍ରିମକୋର୍ଟର ୨ ବରିଷ୍ଠ ବିଚାରପତି, ଆଇନ୍ ମନ୍ତ୍ରୀ ଓ ଦୁଇଜଣ ଜଣାଶୁଣା ବ୍ୟକ୍ତି ରହିଥାନ୍ତେ । ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଚୟନ ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି ଓ ଲୋକସଭାରେ ବିରୋଧୀ ଦଳ ନେତା କରିଥାନ୍ତେ । ତେବେ ସେହିବର୍ଷ ଅକ୍ଟୋବରରେ ଏହି ଆଇନକୁ ସୁପ୍ରିମକୋର୍ଟ ନ୍ୟାୟିକ ନିଯୁକ୍ତି ଆୟୋଗକୁ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଥିଲେ ।
ଦୁନିଆର ବଡ଼଼ ଦେଶରେ କଣ ବ୍ୟବସ୍ଥା ?
- ବିଶ୍ୱର ଶକ୍ତିଶାଳୀ ଓ ବିତ୍ତଶାଳୀ ଦେଶ ଆମେରିକାରେ ସିନେଟ୍ ବିଚାରପତିଙ୍କ ନାଁ ସୁପାରିସ୍ କରିଥାଏ । ସିନେଟ୍ ସୁପାରିସ୍ କରିଥିବା ନାଁର ଯୋଗ୍ୟତା ମୂଲାଙ୍କନ ଆମେରିକାନ ବାର୍ ଆସୋସିଏସନ୍ କରିଥାଏ । ଏହାପରେ ରାଷ୍ଟ୍ରପତିଙ୍କୁ ନାଁ ପଠାଯାଇ ବିଚାରପତିଙ୍କୁ ନିଯୁକ୍ତି ମିଳେ ।
- ସେହିଭଳି ବ୍ରିଟେନରେ ଅଦାଲତ ଓ ଟ୍ରିବୁନାଲରେ ବିଚାରପତି ନିଯୁକ୍ତି ନ୍ୟାୟକ ନିଯୁକ୍ତି ଆୟୋଗ ଉପରେ ନ୍ୟସ୍ତ । ବ୍ରିଟେନରେ ଏହି ଆୟୋଗରେ ୧୫ ସଦସ୍ୟ ରହିଥାନ୍ତି । ଯେଉଁଥିରେ ୩ ଜଣ ବିଚାରପତି ରହିଥିବା ବେଳେ ସରକାର ଅନ୍ୟ ସଦସ୍ୟଙ୍କୁ ଚୟନ କରିଥାନ୍ତି ।
- ଚୀନର ସମସ୍ତ ଅଦାଲତରେ ବିଚାରପତି ନିଯୁକ୍ତିରେ ସରକାରଙ୍କ ହସ୍ତକ୍ଷେପ ରହିଛି । ଚୀନରେ ପିପୁଲ୍ସ କୋର୍ଟ, ସ୍ପେଶାଲ ପିପୁଲ୍ସ କୋର୍ଟ, ମିଲିଟ୍ରି କୋର୍ଟ ଓ ଲୋକଲ ପିପୁଲ୍ସ କୋର୍ଟ ରହିଛି । ସବୁଠୁ ବଡ଼଼ ସୁପ୍ରିମ ପିପୁଲ୍ସ କୋର୍ଟରେ ବିଚାରପତି ନିଯୁକ୍ତି ନ୍ୟାସନାଲ ପିପୁଲ୍ସ କଂଗ୍ରେସ କରିଥାଏ । ଅନ୍ୟ ଅଦାଲତରେ ବିଚାରପତି ନିଯୁକ୍ତ ନ୍ୟାୟିକ ଆୟୋଗ ହାତରେ ନ୍ୟସ୍ତ । ନ୍ୟାୟିକ ସରକାର ଗଠନ କରିଥାନ୍ତି ।
- ସେହିଭଳି ଫ୍ରାନ୍ସରେ ସରକାର ବିଚାରପତିଙ୍କ ଏକ ପ୍ୟାନେଲ୍ ଗଠନ କରନ୍ତି । ଉକ୍ତ ପ୍ୟାନେଲ୍ ନାମ ଚୟନ କରିବା ପରେ ଅନୁମୋଦନ ପାଇଁ ହାଇ କାଉନସିଲ୍ ଅଫ୍ ଜ୍ୟୁଡିସିଆରୀଙ୍କ ପାଖକୁ ପଠାଯାଏ । ଏହି ପରିଷଦରେ ବିଚାରପତି ରହିଥାନ୍ତି ।
- ଋଷର ନ୍ୟାୟିକ ବ୍ୟବସ୍ଥା ବେଶ୍ ଭିନ୍ନ । ସେଠାରେ ଅନେକ ପ୍ରକାରର ଅଦାଲତ ରହିଛି । ସମସ୍ତ ଅଦାଲତରେ ବିଚାରପତି ନିଯୁକ୍ତିରେ ସରକାରଙ୍କ ହସ୍ତକ୍ଷେପ ରହିଛି । ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ରାଷ୍ଟ୍ରପତିଙ୍କ ପ୍ରସ୍ତାବ କ୍ରମେ ଉପର ସଦନ କରିଥାଏ । ସେହିଭଳି ଅନ୍ୟ ଅଦାଲତରେ ବିଚାରପତିଙ୍କ ନିଯୁକ୍ତି ରାଷ୍ଟ୍ରପତି କରିଥାନ୍ତି ।
Comments are closed.