ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା। ପ୍ରଥମେ ହାଇକୋର୍ଟ ଓ ଏବେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି। ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ମାଡ ଘଟଣାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଜୟନାରାୟଣ। ହେଲେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ବି ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇଆଇସି ଅନିତା ପ୍ରଧାନଙ୍କୁ ତତ୍କାଳୀନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ନେଇ ଅଭିଯୋଗ ହୋଇଥିଲା । ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ ଜୟନାରାୟଣ ଓ ଆଇଆଇସି ।
ଅଡୁଆରେ ଜୟନାରାୟଣ
ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢିଛି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ । ଜାମିନ ଆବେଦନ ଖାରଜ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି, ଜନପ୍ରତିନିଧିଙ୍କ ଆଚରଣ ଶୋଭନୀୟ ହେବା ଆବଶ୍ୟକ । ନେତାଙ୍କ ବ୍ୟବହାର ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ଜଷ୍ଟିସ ହୃଷିକେଶ ରାୟ ଓ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ରାୟ ଶୁଣାଇବା ବେଳେ କହିଛନ୍ତି । ଏଥିସହ ଜୟନାରାୟଣଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ହଟିଛି । ତେବେ ଗିରଫଦାରୀକୁ ନେଇ ଆଶଙ୍କା ଥିଲେ ଆଗୁଆ ଜାମିନ ଆବେଦନ କରାଯାଏ। ରାଜ୍ୟ ସରକାରଙ୍କ ଓକିଲ ଜୟନାରାୟଣଙ୍କୁ ପୋଲିସ ହେପାଜତରେ ଜେରାର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟରେ କହିଥିଲେ। ତେଣୁ ତାଙ୍କ ଆଗୁଆ ଜାମିନର କିଛି ମୂଲ୍ୟ ନଥବାରୁ ସର୍ବୋଚ୍ଚ କୋର୍ଟ ଆବେଦନ ଖାରଜ କରିଥିବା ଜୟନାରାୟଣଙ୍କ ଓକିଲ ସାର୍ଥକ ନାୟକ କହିଛନ୍ତି ।
ଆଇଆଇସିଙ୍କୁ ଧକ୍କା…ଫସିଯିବେ ଜୟନାରାୟଣ !
ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲା ବିଜେପି। ଆନ୍ଦୋଳନ ବେଲେ ପୋଲିସ ଓ ଆନ୍ଦୋଳନକାରୀ ବିଜେପି ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଜୟନାରାୟଣ ତତ୍କାଳୀନ ଧନୁପାଲୀ ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ପରେ ଆଇଆଇସି ମଧ୍ୟ ଜୟନାରାୟଣଙ୍କୁ ଧକ୍କା ମାରିଥିଲେ । ସେତେବେଳେ ବିରୋଧୀ ଦଳ ନେତା ପଦରେ ଥିଲେ ଜୟନାରାୟଣ । ଘଟଣାକୁ ନେଇ ପ୍ରବଳ ହଟଚମଟ ହୋଇଥିଲା । ବିଜେଡି ଘଟଣାକୁ ନେଇ ଜୟନାରାୟଣଙ୍କୁ ସମାଲୋଚନା କରିବା ସହ ସେ ଅଭ୍ୟାସଗତ ଅପରାଧୀ କହି ପଦ ଛାଡିବାକୁ କହିଥିଲା । ଅଫିସର ଓ ହାବିଲଦାର ସଂଘ ବି ତାଙ୍କ ବିରୋଧରେ ଦାବିପତ୍ର ଦେଇଥିଲା ।
ନା ପଦ ମିଳିଲା ନା ସାଥ୍
ବିରୋଧୀ ଦଳ ନେତା ଥିବା ବେଳେ ପୂର୍ବ ବିଜେଡି ସରକାରକୁ ତୀବ୍ର ବିରୋଧ କରୁଥିଲେ ଜୟନାରାୟଣ । ତତ୍କାଳୀନ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ୍ କରୁଥିଲେ । କଡା ସମାଲୋଚନା କରି ବିଜେଡିକୁ ବାରମ୍ବାର ଅପଦସ୍ତ କରୁଥିବା ଜୟନାରାୟଣ ବିଜେଡିର ଟାର୍ଗେଟରେ ରହିଥିଲେ । ଆଇଆଇସିଙ୍କୁ ଆକ୍ରମଣ ଘଟଣା ବି ବିଜେପି ବିକ୍ଷୋଭ ବେଳେ ଘଟିଥିଲା, ଯାହାର ନେତୃତ୍ବ ନେଉଥିଲେ ଜୟନାରାୟଣ । ଦଳ ପାଇଁ ବାହାରି ହିଁ ସେ ଏଭଳି ଅସୁବିଧାରେ ଫସିଥିବା କହିଲେ ଅତ୍ୟୁକ୍ତି ହେବନି । ହେଲେ ବିଜେପି ସରକାରକୁ ଆସିବା ପରେ ଜୟନାରାୟଣଙ୍କୁ କୋଣଠେସା କରିଥିବା ଅଭିଯୋଗ ହେଉଛି । ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବହୁ ନବାଗତଙ୍କୁ ସୁଯୋଗ ମିଳିଥିବା ବେଳେ ଜୟନାରାୟଣଙ୍କ ଭଳି ଭେଟେରାନ୍ ନେତାଙ୍କୁ ନିରାଶ ହେବାକୁ ପଡିଛି। ସରକାରକୁ ୫ମାସ ପୂରିଥିଲେ ବି ତାଙ୍କୁ ନା ସରକାର ନା ଦଳରେ କୌଣସି ପଦ ପଦବୀ ମିଳିନି । ଏବେ ପୁଣି ସୁପ୍ରିମକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଦଳର ସ୍ବର ପାଲଟିଥିବା ଜୟନାରାୟଣ ଏବେ ଅଡୁଆରେ ।
Comments are closed.