Relief at 105: ୧୦୫ ବର୍ଷ ବୟସରେ ଜେଲରୁ ବାହାରିଲେ…ସୁପ୍ରିମକୋର୍ଟଙ୍କ ରାୟରେ ରସିକ ଚନ୍ଦ୍ରଙ୍କୁ ପରିଣତ ବୟସରେ ମିଳିଲା ନୂଆ ଜୀବନ
ନୂଆଦିଲ୍ଲୀ: ବୟସ ୧୦୫ ବର୍ଷ। ୧୦୫ ବର୍ଷ ବଞ୍ଚିବା ନିଜେ ଏକ ବଡ଼ କଥା। ଏତେ ବର୍ଷ ବଞ୍ଚିବା କଥା ସାଧାରଣତଃ କିଏ ବା ଚିନ୍ତା କରନ୍ତି! ତଥାପି ଦୁନିଆରେ ଏମିତି ଅନେକ ବୃଦ୍ଧବୃଦ୍ଧା ଅଛନ୍ତି, ଯେଉଁମାନେ ୧୦୦ ବର୍ଷ ପାର କରିବା ପରେ ବି ନିଜ ଜୀବନକୁ ଉପଭୋଗ କରୁଛନ୍ତି। ଏହି ବୟସରେ ଲୋକେ ସାଧାରଣତଃ ନିଜ ଜୀବନର ପୁରୁଣା ସ୍ମୃତିକୁ ସାଉଁଟି ପରିବାର ସହ ଶାନ୍ତିରେ ସମୟ କାଟିବାକୁ ଚାହାନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ, ଯାହାଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ। ମନରେ ପ୍ରଶ୍ନ ଆସିପାରେ,୧୦୫ ବର୍ଷ ବୟସରେ ଜଣେ ମଣିଷ ଆଉ କ’ଣ ଚାହିଁବେ? ହୁଏତ ଏହି ବୟସରେ ଆଉ କିଛି ବଡ଼ ଆଶା ନଥାଏ। କେବଳ ନିଜ ଲୋକଙ୍କ ଗହଣରେ ରହିବା, ଶାନ୍ତିରେ ଜୀବନର ଅବଶିଷ୍ଟ ସମୟ କାଟିବା, ଏତିକି ହିଁ ତ ଇଚ୍ଛା ଥାଏ।
ଆମେ କହୁଛୁ, ୧୦୫ ବର୍ଷୀୟ ବୃଦ୍ଧ ରସିକ ଚନ୍ଦ୍ର ମଣ୍ଡଳଙ୍କ କଥା । କିନ୍ତୁ ରସିକ ଚନ୍ଦ୍ର ମଣ୍ଡଳଙ୍କ ଜୀବନ କାହାଣୀ ଏଠି ଟିକେ ଅଲଗା। ୧୦୫ ବର୍ଷ ବୟସରେ ବି ସେ ଜେଲ୍ର ଚାରିକାନ୍ଥ ଭିତରେ ଥିଲେ। ଆଉ ଏବେ ସୁପ୍ରିମକୋର୍ଟଙ୍କ ଏକ ରାୟ ତାଙ୍କୁ ଦେଇଛି ଜୀବନର ଏହି ପରିଣତ ବୟସରେ ମୁକ୍ତ ଭାବେ ବଞ୍ଚିବାର ଅଧିକାର। ଜୀବନର ଏହି ବୟସରେ ଯେତେବେଳେ ଅଧିକାଂଶ ଲୋକ ପରିବାର ସହ ଶାନ୍ତିରେ ସମୟ କାଟିବାକୁ ଚାହାନ୍ତି, ସେତେବେଳେ ଜେଲ୍ରେ ଥିଲେ ରସିକ ଚନ୍ଦ୍ର ମଣ୍ଡଳ। ଅତ୍ୟଧିକ ବୟସ ଓ ଖରାପ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲ୍ରୁ ମୁକ୍ତ ଭାବେ ଜୀବନ ବିତାଇବାକୁ ଅନୁମତି ମିଳିଛି।
ରସିକ ଚନ୍ଦ୍ର ମଣ୍ଡଳଙ୍କ ଜନ୍ମ ୧୯୨୦ ମସିହାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ହୋଇଥିଲା। ୧୯୮୮ ମସିହାର ଏକ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରେ ୧୯୯୪ ଡିସେମ୍ବରରେ, ଯେତେବେଳେ ତାଙ୍କ ବୟସ ୬୮ ବର୍ଷ ଥିଲା, ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ।
ତାଙ୍କ ବିରୋଧରେ IPCର ୧୪୩, ୪୪୮, ୩୦୨ ଓ ୩୨୪ ଧାରା ଅନୁଯାୟୀ ମାମଲା ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ସେ ୨୦୧୮ରେ କୋଲକାତା ହାଇକୋର୍ଟରେ ନିଜ ଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ତୁରନ୍ତ ଆଶ୍ବସ୍ତି ମିଳିନଥିଲା। ୨୦୨୦ରେ ରସିକ ଚନ୍ଦ୍ର ୯୯ ବର୍ଷରେ ପହଞ୍ଚିବା ପରେ ପୁଣି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ତାଙ୍କ ଅତ୍ୟଧିକ ବୟସ ଓ ଖରାପ ହେଉଥିବା ସ୍ୱାସ୍ଥ୍ୟକୁ ଆଧାର କରି ସେ ଆଜୀବନ କାରାଦଣ୍ଡରୁ ପୂର୍ବରୁ ମୁକ୍ତି ଦାବି କରିଥିଲେ। ପରବର୍ତ୍ତୀ ବର୍ଷ ମେ’ରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏନେଇ ନୋଟିସ୍ ଜାରି କରିଥିଲେ। ଶେଷରେ ନଭେମ୍ବର ୨୦୨୪ରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଓ ପାରୋଲ୍ ପ୍ରଦାନ କରିଥିଲେ। ସେତେବେଳେ ତାଙ୍କ ବୟସ ଓ ଅବନତି ହେଉଥିବା ସ୍ୱାସ୍ଥ୍ୟକୁ ଅଦାଲତ ବିଚାରକୁ ନେଇଥିଲେ।
ଆଉ ପରିଶେଷରେ ଶୁକ୍ରବାର CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ ବଡ଼ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ୨୦୨୪ରେ ଦିଆଯାଇଥିବା ଅନ୍ତରୀଣ ଜାମିନ/ପାରୋଲ୍ ଆଦେଶ ଏବେ ଚୂଡ଼ାନ୍ତ। ଅର୍ଥାତ୍ ଆଜୀବନ କାରାଦଣ୍ଡର ସମୟ ପୂରା ହୋଇନଥିଲେ ମଧ୍ୟ ରସିକ ଚନ୍ଦ୍ରଙ୍କୁ ପୁଣି ଜେଲ୍କୁ ନିଆଯିବ ନାହିଁ। ୧୦୫ ବର୍ଷ ବୟସରେ ମିଳିଥିବା ଏହି ଆଶ୍ବସ୍ତି ତାଙ୍କ ଦୀର୍ଘ ଆଇନଗତ ଲଢ଼େଇର ଶେଷ ଅଧ୍ୟାୟ ପାଲଟିଛି। ଏବେ ଜୀବନର ଶେଷ ପର୍ଯ୍ୟାୟ ସେ ସ୍ୱାଧୀନ ଭାବେ ନିଜ ପରିବାର ସହ ବିତାଇପାରିବେ।

