ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ପାଳିତ ହେବ ‘ଗରିମା ଦିବସ
ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବାଆମର ଦାୟିତ୍ୱ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ‘ଗରିମା ଦିବସ’ ଭାବେ ପାଳିତ ହେବ। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି। ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି।
ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ୧୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସ୍ୱଚ୍ଛତା ଭାରତର ଜାତୀୟ ବିକାଶର ପରିସୀମାଭୁକ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନିଜେ ହାତରେ ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍ଥାନର ପ୍ରତୀକ ସାଜିଲେ ଏବଂ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ସ୍ୱଚ୍ଛତା ହେଉଛି ରାଷ୍ଟ୍ର ନିର୍ମାଣର କାମ’। ଉପସ୍ଥିତ ବିଶେଷଜ୍ଞ ଓ ମେସିନ ନିର୍ମାତାଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଡ୍ରୋନ୍ ଜରିଆରେ ଆମେ ଆମର ସୀମାର ସୁରକ୍ଷା କରୁଛୁ । ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ନୂଆ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ତେବେ ଆମେ ଏହିଭଳି ଟେକ୍ନୋଲୋଜିକୁ ଆମ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ କାହିଁକି ବ୍ୟବହାର କରିପାରିବା ନାହିଁ । ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ମେସିନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆଜି ସମୟ ଆସିଛି ସଫେଇ କର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦ୍ଜନକ ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର କରିବା ପାଇଁ । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସୁଦକ୍ଷ କରିବାକୁ ପଡ଼ିବ ।
ସେ ଆହୁରି କହିଥିଲେ ଯେ, ଗରିମା ଦିବସ ପ୍ରତିବର୍ଷ ଆମକୁ ମନେ ପକାଇବ ଯେଉଁ ହାତ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ ଏବଂ କହିଥିଲେ କ୍ଷତି ପୂରଣ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି, ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା । ଦୁର୍ଘଟଣା ପରେ କ୍ଷତିପୂରଣ ନୁହେଁ, ଦୁର୍ଘଟଣା ପୂର୍ବରୁ ପ୍ରତିରୋଧ। ବିପଦପୂର୍ଣ୍ଣ କାର୍ଯ୍ୟରତ ଆମର ଏହି କର୍ମଯୋଗୀ ମାନଙ୍କ ଜୀବନ ସୁରକ୍ଷିତ ରହୁ । ଏହା ହିଁ ହେଉଛି ମିଶନ ଜିରୋର ଆଭିମୁଖ୍ୟ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୁଇ ଜଣ ସଫେଇ କର୍ମୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମୃତ୍ୟୁ ସଫେଇ ନୁହେଁ। ବରଂ ଅନ୍ୟ କାରଣରୁ ଘଟିଥିଲା । ଗରିମା ଦିବସ ଉପଲକ୍ଷେ ଆଧୁନିକ ଟେକ୍ନୋଲୋଜିଯୁକ୍ତ ମେସିନ ବ୍ୟବହାର ଓ ସୁରକ୍ଷା ଉପକରଣ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ । ସଫେଇ କର୍ମୀଙ୍କୁ ବାସଗୃହ ପାଇଁ ୱାର୍କ ଅର୍ଡର ପ୍ରଦାନ କରିଥିଲେ।
କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗର ସଚିବ ସୁଧାଂଶ ପନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସଫେଇ କର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସରକାର ଗରିମା ଯୋଜନାକୁ ହୋଲ୍ ଅଫ୍ ଆପ୍ରୋଜ୍ ଭାବେ ନେଇ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ସ୍ୱଚ୍ଛ ସାଥୀ ମାନଙ୍କ ଯୋଗୁ ଆମେ ସ୍ୱଚ୍ଛ ଅଛୁ । ସହର ସ୍ୱଚ୍ଛ ଅଛି ଓ ରାଜ୍ୟ ଆଗକୁ ବଢ଼ୁଛି । ଜିରୋ ଫାଟାଲିଟି ଆମ ପାଇଁ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଆମ ପାଇଁ ଏକ ସଂକଳ୍ପ । ସଫେଇ କର୍ମୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ଆମେ ତାହା ନିଶ୍ଚୟ କରିବୁ ବୋଲି ସେ କହିଥିଲେ । ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର’ର ନିର୍ଦ୍ଦେଶିକା ମନ୍ୱିତା ବରାଡ଼ି ସଫେଇ କର୍ମୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଂଶସା କରି କହିଥିଲେ ଯେ, ଓଡ଼ିଶାରେ ଗରିମା ଯୋଜନାରେ କେବଳ ସଫେଇ କର୍ମୀମାନଙ୍କ ପାଇଁ ଚିନ୍ତା କରାଯାଇନାହିଁ, ଏଥିରେ ସେମାନଙ୍କ ପରିବାର ବର୍ଗଙ୍କ କଲ୍ୟାଣ ପାଇଁ ମଧ୍ୟ ଅନେକ ପ୍ରାବଧାନ କରାଯାଇଛି ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ନିର୍ଦ୍ଦେଶକ, ପୌର ପ୍ରଶାସନ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

