Latest Odisha News

BREAKING NEWS

ଅଜଗର ସାପ ସହ ସର୍ଫିଙ୍ଗ୍ ମହଙ୍ଗା ପଡ଼ିଲା, ଭରିଲେ ୧,୫୦୦ ଡଲାର ଜରିମାନା

ଅଷ୍ଟ୍ରେଲିଆ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ । କିଏ ବିଭିନ୍ନ ସ୍ଥାନ ବୁଲିବାକୁ ଭଲ ପାଆନ୍ତି ତ ଆଉ କିଏ ପଶୁପକ୍ଷୀ ପାଳିବାକୁ ଭଲ ପାଆନ୍ତି । ଆଉ କେହି ସାପ ପାଳିବାକୁ ବି ରୁଚି ରଖନ୍ତି । ସେମାନେ ସାପ ଧରିବା ସହ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ । ଜଣେ ବ୍ୟକ୍ତି ବିପଜ୍ଜନକ ଅଜଗର ସାପ ସହ ସର୍ଫିଙ୍ଗ୍ କରିବା ମହଙ୍ଗା ପଡ଼ିଛି । ଏଥିଲାଗି ତାଙ୍କୁ ୧,୫୦୦ ଡ଼ଲାର ଜରିମାନା ଭରିବାକୁ ପଡ଼ିଛି ।

ହିଗର ଫିଉଜା ନାମକ ଏହି ସର୍ଫର ଅଷ୍ଟ୍ରେଲିଆରେ ରୁହନ୍ତି । ୩ ବର୍ଷ ହେଲା ସେ ଏକ ଅଜଗର ସାପକୁ ପାଳୁଛନ୍ତି । ତାର ନାଁ ଦେଇଛନ୍ତି ଶିବା । ନିକଟରେ ସେ ଏହି ପୋଷା ଅଜଗର ସାପ ‘ଶିବା’ ସହ ଅଷ୍ଟ୍ରେଲିଆର ରେନ୍‌ବୋ ଉପସାଗରରେ ସର୍ଫିଙ୍ଗ୍‌ର ମଜା ନେଉଥିଲେ । ଅଜଗରର ଲାଙ୍ଗୁଡ଼କୁ ସର୍ଫିଙ୍ଗ୍ ବୋର୍ଡରେ ବାନ୍ଧି ସେ ଢେଉ ସବୁ ଭାଙ୍ଗି ଚାଲିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହେଲା ପରେ ଫିଉଜା ଓ ଶିବା ଖୁବ୍ ଲୋକପ୍ରିୟ ହୋଇଯାଇଥିଲେ । ଏହା ପୂର୍ବରୁ ଶିବା ତାଙ୍କ ସହ ୧୦ ଥର ସର୍ଫିଙ୍ଗ୍‌ରେ ଭାଗନେଇଛି ବୋଲି ଫିଉଜା କହିଛନ୍ତି । ଏହି ଭିଡିଓଟି ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀମାନଙ୍କ ନଜରରେ ପଡ଼ିବାରୁ ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେମାନେ ତାଙ୍କ ନାମରେ ୧,୫୦୦ ଡଲାରର ଜରିମାନା କରିଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ, ଅଜଗର ସାପଟିକୁ ପାଳିବା ପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତ୍ରୁ ସର୍ବସାଧାରଣସ୍ଥଳକୁ ନେବା ପାଇଁ ନୁହେଁ । ପୋଷା ଜୀବଙ୍କୁ ଏପରି ସର୍ବସାଧାରଣ ସ୍ଥଳକୁ ନେବା ଦ୍ୱାରା ସେମାନଙ୍କ ଉପରେ ଅଯଥା ଚାପ ପଡ଼ିବା ସହ ସେମାନେ ଅପ୍ରତ୍ୟାଶିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି । ଏଥି ସହିତ ଏହାଦ୍ୱାରା ଫିଉଜା ସର୍ବସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ଶିବା ମଧ୍ୟ ସ୍ଥାନୀୟ ବନ୍ୟପ୍ରାଣୀଙ୍କ ଦେହକୁ ରୋଗଜୀବାଣୁ ସଂକ୍ରମଣ କରିଥିବାର ଆଶଙ୍କା ରହିଛି । ତେଣୁ ସେମାନେ ଫିଉଜାଙ୍କୁ ୧,୫୦୦ ଡଲାରର ଜରିମାନା କରିଥିଲେ ।

Leave A Reply

Your email address will not be published.