Latest Odisha News

BREAKING NEWS

ଭାରତକୁ ବିଶ୍ୱକପ ଜିତାଇବେ କି ‘ସୂରବୀର’

ଭୁବନେଶ୍ୱର: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ଶିବିରରେ ଭୟ ସଂଚାର କରୁଛି । ବୋଲର ଦିଗହୀନ ହୋଇ ପଡୁଛି । ମିଡିଲ ଅର୍ଡରରେ ଏବେ ଏହି ଯୋଡି ସୁରବୀର ଭାବେ ପରିଚିତ ହୋଇ ସାରିଲେଣି ।

ଆଜ୍ଞା ହଁ ସୂର୍ଯ୍ୟକୁମାରରୁ ସୂର ଏବଂ ବିରାଟ କୋହଲିରୁ ବୀର ଆସିଛି । କୋହଲି ୨ଟି ମ୍ୟାଚରେ ୧୪୪ ରନ କରି ଅପରାଜିତ ରହିଛି । ଏଥିସହ ସେ ବିଶ୍ୱକପରେ ୨୧ ଇନିଂସରେ ୮୯.୯୦ ଆଭରେଜରେ ରନ ସଂଗ୍ରହ କରି ଚାଲିଛନ୍ତି । ସୂରବୀର ଭାରତକୁ ବିଶ୍ୱକପ ଜିତାଇବେ ବୋଲି ପ୍ରଶଂସକଙ୍କ ଦୃଢ଼ ବିଶ୍ୱାସ ରହିଛି । ସୂର୍ଯ୍ୟକୁମାର ୨୦୨୨ରେ ଟି୨୦ରେ ସର୍ବାଧିକ ୮୬୭ ରନ ସଂଗ୍ରହ କରିଛନ୍ତି । ନେଦରଲାଣ୍ଡ ବିପକ୍ଷ ମୁକାବିଲାରେ ସୂରବୀର ୪୮ ବଲରେ ୯୫ ରନ ସଂଗ୍ରହ କରିଥିଲେ ।

ଭାରତ ସୁପର ୧୨ରେ ୨ଟି ମ୍ୟାଚ ଜିତି ସେମିଫାଇନାଲ ପ୍ରବେଶ ଦୌଡରେ ଆଗରେ ରହିଛି । ସୂର୍ଯ୍ୟକୁମାରଙ୍କ ଉପସ୍ଥିତିରେ କୋହଲି ଚାପମୁକ୍ତ ରହୁଛନ୍ତି । ଯାହାକି ତାଙ୍କୁ ଚିରାଚରିତ ଖେଳ ପ୍ରଦର୍ଶନ କରିବାରେ ସହାୟ ହୋଇଛି । ପୂର୍ବରୁ ଏସିଆ କପରେ ଉଭୟ ଦ୍ରୁତ ୯୮ ରନ ସଂଗ୍ରହ କରିଥିଲେ । ସବୁଠାରୁ ବଡ କଥା ସେ ସମୟରେ କୋହଲି ଖରାପ ଫର୍ମରେ ଥିଲେ । ଏହି ଇନିଂସ ତାଙ୍କୁ ଫର୍ମକୁ ଫେରିବାରେ ସହାୟ ହୋଇଥିଲା ।

ସୂର୍ଯ୍ୟକୁମାର ଯେଉଁ ଭଳି ବେଖାତିର ଢ଼ଙ୍ଗରେ ଶଟ ମାରୁଛନ୍ତି ତାହା ବୋଲରକୁ ଅସହାୟ କରି ଦେଉଛି । ବିଶ୍ୱକପରେ ଭାରତ ଆଗକୁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ମ୍ୟାଚ ଖେଳିବ । ଟିମ ଇଣ୍ଡିଆ ଦଳଗତ ପ୍ରଦର୍ଶନ ମାଧ୍ୟମରେ ମ୍ୟାଚଗୁଡିକ ଜିତିବାକୁ ଚାହିଁବ । ତେବେ ଭାରତୀୟ କ୍ରିକେଟପ୍ରେମୀ ସୂରବୀରଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ଆଶା କରି ବସିଛନ୍ତି । କାରଣ ସେମାନେ ରୋମାଂଚ ଆଉ ଜିତିବା ସ୍ୱାଦ ଆମକୁ ଚଖେଇ ସାରିଛନ୍ତି ।

Leave A Reply

Your email address will not be published.