ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳରେ ଚିହ୍ନଟ ପରେ ଗୁରୁବାର ସନ୍ଧ୍ୟାରେ ବିଏମସି ପକ୍ଷରୁ ଏହି ଅଂଚଳକୁ ସିଲ କରାଯାଇଛି । ବିଏମସି ପକ୍ଷରୁ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗ ନଗର ଛକ, ଗଙ୍ଗ ନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ସିଲ କରାଯାଇଛି ।
ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ଏଥି ସହ ସମସ୍ତ ଦୋକାନକୁ ବନ୍ଦ ରଖାଯାଇଛି । ଘରମାନଙ୍କରେ ଅତ୍ୟାବଶ୍ୟକ ଜିନିଷ ତଥା ଔଷଧପତ୍ର ଯୋଗାଇ ଦେବାକୁ ବିଏମସି ପକ୍ଷରୁ ଟିମ୍ ଗଠିତ ହୋଇଛି । ଏକ ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି, ପ୍ରତିଦିନ ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ଯେଉଁମାନେ ପଞ୍ଚମ କରୋନା ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ତେବେ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ ।
ଗୁରୁବାର ସୂର୍ଯ୍ୟନଗର ଓ ଏହାର ଆଖପାଖ ଅଂଚଳରେ ଭୂତାଣୁ ସଂକ୍ରମଣ ନିରୋଧୀ ସ୍ପ୍ରେ କରାଯାଇଥିଲା ।
Comments are closed.