କୋଲକାତା: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ତେବେ ଚାମ୍ପିୟନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନ ଥିବାରୁ ସୂର୍ଯ୍ୟକୁମାର ମନଦୁଃଖ କରିଛନ୍ତି । ଅବଶ୍ୟ ଏଥିପାଇଁ ସେ ନିଜ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଏହା ନିଶ୍ଚିତ ଭାବେ ମୋ ପାଇଁ ଯନ୍ତ୍ରଣାଦାୟକ । ଦିନିକିଆରେ ମୁଁ ଭଲ ପ୍ରଦର୍ଶନ କରି ନ ଥିବାରୁ ଦଳରେ ସ୍ଥାନ ପାଇ ନାହିଁ । ଯଦି ଭଲ ଖେଳିଥାନ୍ତି ତେବେ ନିଶ୍ଚିତ ଭାବେ ସୁଯୋଗ ପାଇଥାନ୍ତି ।
୨୦୨୧ରେ ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଦିନିକିଆ କ୍ରିକେଟରେ ତାଙ୍କୁ ଅନେକ ସୁଯୋଗ ପ୍ରଦାନ କରାଯାଇଥିଲେ ମଧ୍ୟ ସେ ସଫଳ ହୋଇପାରି ନ ଥିଲେ । ସେ ୩୭ ଦିନିକିଆରେ ୨୫.୭୬ ଆଭରେଜରେ ୭୭୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଅର୍ଦ୍ଧଶତକ ସାମିଲ । ତେବେ ଟି୨୦ରେ ତାଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ଟିମ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଛି । ସୂର୍ଯ୍ୟକୁମାର ୭୮ ଟି୨୦ରେ ୧୬୭ ଷ୍ଟ୍ରାଇକ ରେଟରେ ୨୫୭୦ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୧ ଅର୍ଦ୍ଧଶତକ ସାମିଲ । ସେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳି ୮ ରନ କରିଛନ୍ତି ।
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଟିମରେ ସୂର୍ଯ୍ୟକୁମାରଙ୍କୁ ସାମିଲ କରିବା ସପକ୍ଷରେ ରହିଥିଲେ । ସେ କହିଥିଲେ ସୂର୍ଯ୍ୟକୁମାରଙ୍କ ଉପସ୍ଥିତି ଭାରତକୁ ଫାଇଦାରେ ରଖିଥାନ୍ତା । ଆଗାମୀ ଟି୨୦ ବିଶ୍ୱକପ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏଥିପାଇଁ ବହୂତ ସମୟ ଅଛି । ଆମେ ଗୋଟିଏ ଗୋଟିଏ ସିରିଜ ଉପରେ ମନୋନିବେଶ କରୁଛୁ । ମହମ୍ମଦ ସାମୀ ପୂନର୍ବାର ଦଳରେ ସ୍ଥାନ ପାଇଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଖୁସୀ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।
Comments are closed.