Latest Odisha News

BREAKING NEWS

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ

ବୃନ୍ଦାବନ: ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ଜଣେ ୨୫ ବର୍ଷୀୟ ଶିଷ୍ୟଙ୍କର ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଯୁବକଙ୍କ ନାମ ଦୀପକ ଲୋଧି (୨୫) ଏବଂ ସେ ଆଶ୍ରମରେ ‘ରସିକ ଦୁଲାରୀ ଶରଣ’ ନାମରେ ପରିଚିତ ଥିଲେ । ତାଙ୍କର ମୂଳ ଘର ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ବୃନ୍ଦାବନର ବରାହ ଘାଟ ନିକଟରେ ଥିବା ନବନିର୍ମିତ ‘ଗୋଉ କୃପା କୁଞ୍ଜ ଆଶ୍ରମ’ର ୪ର୍ଥ ମହଲାରୁ ସେ ତଳକୁ ଖସି ପଡ଼ିଥିଲେ । ତଳେ ପଡ଼ିବା ପରେ ରକ୍ତାକ୍ତ ଓ ଗୁରୁତର ଅବସ୍ଥାରେ ଆଶ୍ରମର ଅନ୍ୟ ଅନ୍ତେବାସୀମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ମଥୁରା ପୁଲିସ ତୁରନ୍ତ ଆକ୍ସନ ମୋଡ୍‌କୁ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଦୃଷ୍ଟିରୁ ଏହା ଏକ ଆତ୍ମହତ୍ୟା ଭଳି ମନେ ହେଉଥିଲେ ମଧ୍ୟ ପୁଲିସ ହତ୍ୟା ଦିଗକୁ ମଧ୍ୟ ଏଡ଼ାଇ ଦେଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମୃତ ଯୁବକଙ୍କ ଗୁପ୍ତାଙ୍ଗ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ପୁଲିସ ଦେଖିବାକୁ ପାଇଛି । ଏହା ସହିତ ତାଙ୍କ ରୁମ୍‌ରୁ ଏକ ରକ୍ତ ଭିଜା ଇଲେକ୍ଟ୍ରୋନିକ୍ ଗ୍ରାଇଣ୍ଡର ମଧ୍ୟ ଜବତ କରାଯାଇଛି, ଯାହା ଏହି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି । ସତ୍ୟାସତ୍ୟ ଜାଣିବା ପାଇଁ ଏକ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି ।

ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ସେମାନେ ଆସି ମଥୁରାରେ ପହଞ୍ଚିଛନ୍ତି । ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ଏବଂ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଦୀପକ ଗତ ୨୦୨୫ ମସିହାରେ ନିଜ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜବଲପୁରରୁ ବୃନ୍ଦାବନ ପଳାଇ ଆସିଥିଲେ । ସେଠାରେ ସେ ଆଶ୍ରମର ବିଭିନ୍ନ ଦାୟିତ୍ୱ ତୁଲାଇବା ସହ ଅନ୍ୟ ୪୦ ରୁ ୫୦ ଜଣ ଭକ୍ତଙ୍କ ସହିତ ସେହି ନୂଆ କୋଠାରେ ବସବାସ କରୁଥିଲେ ।

Leave A Reply

Your email address will not be published.