Latest Odisha News

BREAKING NEWS

ଗଞ୍ଜାମର ସୁରକ୍ଷା କବଚ ‘ସ୍ୱୟଂସିଦ୍ଧା’

ବିପର୍ଯ୍ୟୟ ମୁକାବିଲାରେ ସାମିଲ ହେଉଛନ୍ତି ମହିଳା; ୪ ବ୍ଲକରେ ସାଜିଛନ୍ତି ପଥ ପ୍ରଦର୍ଶକ

ବ୍ରହ୍ମପୁର:ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲା ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ଭୟ ସବୁବେଳେ ରହିଥାଏ । ପ୍ରାୟତଃ ସବୁ ବର୍ଷ ସାମୁଦ୍ରିକ ଝଡ଼ ଏହି ଜିଲାକୁ କ୍ଷତିଗ୍ରସ୍ତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲାରେ ବାତ୍ୟା ମୁକାବିଲା ଦିଗରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଲା, ମହିଳାଙ୍କୁ ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତ କରିବା । ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପର ନାଁ ଦିଆଯାଇଛି ‘ସ୍ବୟଂସିଦ୍ଧା’। ବର୍ତ୍ତମାନ ଏହି ‘ସ୍ବୟଂସିଦ୍ଧା’ ସାଜିଛି ଗଞ୍ଜାମ ଜିଲାର ସୁରକ୍ଷା କବଚ। ଓଡ଼ିଶା ସରକାରଙ୍କ ସହଯୋଗରେ ମହିଳାମାନେ ଏବେ ବିପଦ ସମୟରେ ବନ୍ଧୁ ସାଜୁଛନ୍ତି। ବିପର୍ୟ୍ୟୟ ମୁକାବିଲରେ ସାରଥି ହେଉଛନ୍ତି।

ଗଞ୍ଜାମ ଜିଲାରେ ଜାରି ରହିଛି ସ୍ବୟଂସିଦ୍ଧା ପ୍ରକଳ୍ପ । ଏଥି ଜରିଆରେ ବିପର୍ଯ୍ୟୟ ମୁକାବିଲା ପାଇଁ ମହିଳାଙ୍କୁ ତାଲିମ୍‌ ଦିଆଯାଉଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଏଥିରେ ନିୟୋଜିତ କରାଯାଇଛି । ତୃଣମୂଳସ୍ତରରେ ସେମାନଙ୍କୁ ସଶକ୍ତ କରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି । ୨୦୧୮ ମସିହାରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ନେଇ ସ୍ବୟଂସିଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ବାତ୍ୟା ପ୍ରବଣ ୪ଟି ବ୍ଲକ ଯଥା ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଓ ରଙ୍ଗେଇଲୁଣ୍ଡାରେ ସ୍ବୟଂସିଦ୍ଧା ଗଠନ ହୋଇଛି। ଗୋଟିଏ ବ୍ଲକରେ ୫୦ଜଣ ଏସ୍‌ଏସ୍‌ଜି ମହିଳାଙ୍କୁ ନେଇ ତାଲିମ୍‌ ଦିଆଯିବା ସହ ଏମାନେ ବିପର୍ଯ୍ୟ ସମୟରେ ସହାୟକ ହେଉଛନ୍ତି। ଏମାନଙ୍କ ନାମକରଣ ମଧ୍ୟ ଦିଆଯାଇଛି। ମୋଟ ଭାବେ ଜିଲାରେ ସମ୍ପ୍ରତି ୨୦୦ଜଣ ମହିଳା ତାଲିମ୍‌ ନେବା ସହ ମକ୍‌ ଡ୍ରିଲ୍‌ ସମୟରେ ପୁନଃ ଅଭ୍ୟାସ ନେଉଛନ୍ତି। ମହିଳା ଦଳର କାର୍ଯ୍ୟଦକ୍ଷତା ପାଇଁ ୨୦୨୧ରେ ସ୍ବୟଂସିଦ୍ଧା ପ୍ରକଳ୍ପ ପାଇଁ ରାଧାକୃଷ୍ଣ ଏସ୍‌ଏସ୍‌ଜି ଗ୍ରୁପର ଶୈଳବାଳା ରଥ ଏଥିପାଇଁ ରାଜ୍ୟସ୍ତରରେ ପୁରସ୍କାର ପାଇଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ଅଗ୍ନିକାଣ୍ଡ ସମୟରେ ଉଦ୍ଧାର କରିବା, ମହାମାରୀ ସମୟରେ ଉଦ୍ଧାର କରିବା, ରାସ୍ତା ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା, ପିଡ଼ିତାଙ୍କୁ ଉଦ୍ଧାର କରିବା ଆଦି କ୍ଷେତ୍ରରେ ମଧ୍ୟ ସ୍ବୟଂସିଦ୍ଧାମାନେ କାର୍ଯ୍ୟରତ । ତେବେ ସ୍ବୟଂସିଦ୍ଧା ଅଭିଯାନରେ ଗୋଷ୍ଠୀ ସମେତ ସମସ୍ତ ପଞ୍ଚାୟତରେ ୨୦ଜଣ ଲେଖାଏଁ ମହିଳାଙ୍କୁ ପ୍ରଶିକ୍ଷଣ ଜରୁରୀ ଉପରେ ଗୁରୁତ୍ବାରୋପ କରିଛି ଗଞ୍ଜାମ ଜିଲା ପ୍ରଶାସନ।

ସ୍କୁଲମାନଙ୍କରେ ପ୍ରତି ଶନିବାର ପ୍ରାର୍ଥନା ପରେ ଅଧଘଣ୍ଟା ପାଇଁ ଛାତ୍ରଛାତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ସଚେତନତା ସୃଷ୍ଟି କରାଯିବା ଲାଗି ନିଷ୍ପତି ହୋଇଥିବା ଜଣାଯାଇଛି। ତେବେ ଚଳିତମାସ ପହିଲାରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ତିନିଦିନିଆ ଗସ୍ତରେ ଆସିଥିବା ଆଇଏଏସ୍‌ ଓ ରୟାଲ୍‌ ଭୁଟାନ ସିଭିଲ୍‌ ସର୍ଭିସ୍‌ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଉପକୂଳବର୍ତ୍ତୀ ଗଞ୍ଜାମ ବ୍ଲକ୍‌ ପରିଦର୍ଶନ କରିଥିଲେ।

ସୁବଳୟା ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ। ଏଥିସାଙ୍ଗକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ଜିଲା ପ୍ରଶାସନର ଉଦ୍ୟମରେ ଗଠିତ ହୋଇଥିବା ସ୍ବୟଂସିଦ୍ଧାସଦସ୍ୟଙ୍କ ଦ୍ବାରା ବିପର୍ଯ୍ୟୟ ପରିଚାଳନା ବାବଦରେ ମଧ୍ୟ ସେମାନେ ଅବଗତ ହୋଇଥିଲେ।

ଏହା ପୂର୍ବରୁ ଗତମାସରେ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ (ଏପିଏସ୍‌ଡିଏମ୍‌ଏ) ପ୍ରତିନିଧି ଦଳ ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ୍‌ ପରିଦର୍ଶନ କରିଥିଲୋ। ସେମାନେ ଗାଁର ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଏସ୍‌ଏଚ୍‌ଜି ସଦସ୍ୟା, ଓଡ୍ରାଫ୍‌ ଟିମ୍‌ ସମେତ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ବାତ୍ୟା ବିପର୍ଯ୍ୟୟ ମୁକାବିଲା କୌଶଳ ବାବଦରେ ଜ୍ଞାନ ଆହରଣ କରିଥିଲେ।

ଜିଲା ଟାସ୍କ ଫୋର୍ସ ପକ୍ଷରୁ ସେମାନଙ୍କୁ ଗ୍ରାମ୍ୟସ୍ତରରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ମୁକାବିଲା ନେଇ ଅବଗତ କରାଯାଇଥିବା ସ୍ଥଳେ କିପରି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି, ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଆନ୍ଧ୍ର ସରକାରଙ୍କ ପ୍ରତିନିଧି ଦଳ। ମାର୍କଣ୍ଡିସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ବୁଲି ଦେଖିଥିଲେ ।

ବିପର୍ଯ୍ୟୟ ମୁକାବିଲା ଦିଗରେ ଗଞ୍ଜାମ ଏବେ ଅନ୍ୟ ଜିଲା ପାଇଁ ରୋଲ୍‌ ମଡେଲ୍‌ ସାଜିଛି । ଏଭଳି କ୍ଷେତ୍ରରେ ‘ସ୍ବୟଂସିଦ୍ଧା’ ପ୍ରକଳ୍ପକୁ ନେଇ ମଧ୍ୟ ବର୍ତ୍ତମାନ ଗଞ୍ଜାମ ଜିଲା ଅନ୍ୟ ଜିଲା ପାଇଁ ଆଦର୍ଶ ହୋଇପାରିଛି।

Leave A Reply

Your email address will not be published.