Latest Odisha News

BREAKING NEWS

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ସିଏମ ଆବାସ ବର୍ଷା ଛାଡି ରାତି ଅଧରେ ମାତୋଶ୍ରୀ ଗଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ ବିଧାୟକ ମାନେ ସର୍ତ୍ତ ରଖିଛନ୍ତି ଶିବସେନା କଂଗ୍ରେସ ଏବଂ ଏନସିପି ମେଂଟରୁ ବାହାରି ଯିବାପାଇଁ । ଏଥିପାଇଁ ସେମାନେ ଯେଉଁ କାରଣ ରଖିଛନ୍ତି ତାହା ହେଉଛି ଶିବସେନା ଯେଉଁ ହିନ୍ଦୁତ୍ବ ଆଦର୍ଶକୁ ନେଇ ଲୋକଙ୍କଠାରୁ ଭୋଟ ପାଇଥିଲା ତାହା ବିରୋଧରେ ମେଂଟ ସରକାର କାର୍ଯ୍ୟ କରୁଛି ।

ଶିବସେନା ଏବେ କାହା ହାତରେ

ମହାରାଷ୍ଟ୍ର ରାଜନୀତିରେ ଏବେ ଯେଉଁ ରାଜନୀତି ଚାଲିଛି ସେଥିରେ ଅନେକ ପ୍ରଶ୍ନ ଉଠୁଛି ଯାହାର ଉତ୍ତର ଖୋଜିବା ମଧ୍ୟ କଷ୍ଟକର । ଯଦିଓ ଉଦ୍ଧବ ଠାକରେ ହେଉଛନ୍ତି ଶିବସେନାର ମୁଖ୍ୟ । ଏବଂ ତାଙ୍କ ହାତରେ ଦଳ ସଂଗଠନ କ୍ଷମତା ରହିଛି । ତେବେ ଏକନାଥଙ୍କ ପାଖରେ ରହିଛି ବହୁ ବିଧାୟକଙ୍କ ସମର୍ଥନ । ଏହି ସମର୍ଥନ ଯାହା ସପକ୍ଷରେ ଯିବ ସେହି ଦଳ ହିଁ ସରକାର ଗଠନ କରିବ । ଯେହେତୁ ବିଦ୍ରୋହୀ ବିଧାୟକମାନେ ମେଂଟ ଭାଙ୍ଗିବାକୁ ଚାହୁଁଛନ୍ତି ତେଣୁ ଏମଭିଏ ସରକାର ଭାଙ୍ଗିବା ନିଶ୍ଚିତ । କେବଳ ସରକାର ନୁହେଁ ଶିବସେନା ଦଳ ମଧ୍ୟ ଭାଙ୍ଗିବା ଅବସ୍ଥାରେ । ଏବେ ଦୁଇଫାଳ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିବସେନା ଏବେ ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ଏକନାଥଙ୍କ ପାଖରେ ଅଛି ଏହାର ପ୍ରମାଣ ମଧ୍ୟ ଦେଇଛନ୍ତି  ଏକନାଥ ସିନ୍ଧେ ।

କାହା ପାଖରେ କେତେ ସଂଖ୍ୟା

ଉଦ୍ଧବ ଠାକରେଙ୍କ ପାଖରେ ସରକାର ଗଠନ କରିବା ପାଇଁ ଏବେ ସଂଖ୍ୟା ନାହିଁ । ଏପରିକି ତାଙ୍କ ଦଳର ମାନେ ଶିବସେନାର ଜମାରୁ  15 ବିଧାୟକ ତାଙ୍କ ପାଖରେ ଅଛନ୍ତି । ବାକି 40 ବିଧାୟକ ଏବେ ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଛନ୍ତି । ତେଣୁ ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ଏକନାଥ ସିନ୍ଧେ ହିଁ ଏବେ ଶିବସେନାର ନେତା ବୋଲି କହୁଛନ୍ତି । କାରଣ ତାଙ୍କ ପାଖରେ ଶିବସେନାର ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଉଦ୍ଧବ ବାଧ୍ୟ ହୋଇ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ଅଛନ୍ତି । ଆଉ କେହି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହେଲେ ସେ ଖୁସି ହେବେ । ଏହାର ମାନେ ହେଉଛି ସେ ଏକନାଥ ସିନ୍ଧେଙ୍କୁ ଲୋଭ ଦେଖାଇଛନ୍ତି । ଯଦି ଏକନାଥ ଚାହାଁନ୍ତି ତାଙ୍କୁ ସେ ମୁଖ୍ୟମନ୍ତ୍ରୀ ପଦ ଦେଇଦେବେ ।

ବିଧାନସଭା ଭାଙ୍ଗିପାରିବେ କି ଉଦ୍ଧବ?

ରାଜ୍ୟ ବିଧାନସଭା ଭାଙ୍ଗିବା ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ କି ବାଚସ୍ପତିଙ୍କ ପାଖରେ ନାହିଁ । ଏହି ଅଧିକାର ରାଜ୍ୟପାଳଙ୍କ ପାଖରେ ଥିବାରୁ ଉଦ୍ଧବ ବିଧାନସଭା ଭାଙ୍ଗିପାରିବେ ନାହିଁ । କେବଳ ଇସ୍ତଫା ଦେଇପାରନ୍ତି । କାରଣ ତାଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠ ବିଧାୟକଙ୍କ ସମର୍ଥନ ନାହିଁ ।

ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବ କି?

ନିର୍ବାଚନ ହେବା ନହେବା ମଧ୍ୟ ଉଦ୍ଧବ ଠାକରେଙ୍କ ଅଧିକାର ଭିତରେ ଆସୁନାହିଁ । ରାଜ୍ୟପାଳ ବିଧାନସଭା ନ ଭାଙ୍ଗିବା ଯାଏ ନିର୍ବାଚନ ହେବା ଅସମ୍ଭବ । ତେବେ ବିଜେପି ଯଦି କହିବ  ସରକାର ଗଠନ ପାଇଁ ସେମାନଙ୍କ ପାଖରେ ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କ ସମର୍ଥନ ରହିଛି । ତେବେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିପାରନ୍ତି । ତେବେ ଏଠାରେ ବିଦ୍ରୋହୀ ଶିବସେନା ସଦସ୍ୟମାନେ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କଲେ ହିଁ ବିଜେପି ସରକାର ଗଠନ ପାଇଁ ଦାବି କରିପାରେ ।

ବିଜେପି ଗଢ଼ିବ କି ସରକାର?

ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ନିଜର ବିଧାୟକ ସଂଖ୍ୟା 106 ଥିବାରୁ ଆଉ 38 ବିଧାୟକଙ୍କ ସମର୍ଥନ ହେଲେ ସରକାର ଗଠନ କରିପାରିବ ବିଜେପି । ଯଦି ଶିବସେନାର ବିଦ୍ରୋହୀ ବିଧାୟକମାନେ ବିଜେପିକୁ ସମର୍ଥନ ଦେବାକୁ କୁହନ୍ତି ତେବେ ଯାଇ ବିଜେପି ସରକାର ଗଠନ କରିପାରେ ।

ରାଷ୍ଟ୍ରପତି ଶାସନ ଜାରି ହେବ କି?

ମହାରାଷ୍ଟ୍ରରେ ଯଦି କୈାଣସି ଦଳ ସରକାର ଗଠନ କରିନପାରନ୍ତି ତେବେ ଯାଇ ଏହି ପନ୍ଥା ଶେଷ ପନ୍ଥା ହୋଇପାରେ । କାରଣ ରାଜ୍ୟପାଳ ଯଦି ଅନୁଭବ କରନ୍ତି କୈାଣସି ଦଳ ସରକାର ଗଠନ କରିବାକୁ ଅସମର୍ଥ, ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିପାରନ୍ତି ରାଜ୍ୟପାଳ ।

ଏକନାଥଙ୍କ ସର୍ତ୍ତ

ଶିବସେନାର ବିଦ୍ରୋହୀ ବିଧାୟକ ଏବେ ଉଦ୍ଧବ ଠାକରେଙ୍କୁ ସିଧା ଚେତାବନୀ ଦେଇଛନ୍ତି । କାରଣ କହିବାକୁ ଯାଇ ସେମାନେ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଏବେ ମେଂଟ ସରକାର ଭ୍ରଷ୍ଟାଚାରେ ଲିପ୍ତ ରହିଛି । ପୋଲିସ ମଧ୍ୟ ଦୁର୍ନୀତିରେ ବୁଡି ଯାଇଛି । ଆଇନକାନୁନ ମଧ୍ୟ ବିଗିଡି ଯାଇଛି । ସବୁଠୁ ବଡ଼ କଥା ମେଂଟରେ ଥିବା ଶିବସେନାର ଆଦର୍ଶ ବୋଲି କିଛି ରହିନାହିଁ । ହିନ୍ଦୁତ୍ବ ଆଦର୍ଶରୁ ହଟିଯାଇଛି ଶିବସେନା । ଏହା ହିଁ ଅଭିଯୋଗ କରିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ । ତେବେ ବିଦ୍ରୋହୀ ବିଧାୟକମାନେ ଯେଉଁ ସର୍ତ୍ତ ରଖିଛନ୍ତି ତାହା ହେଉଛି କଂଗ୍ରେସ ଏବଂ ଏନସିପିଠାରୁ ଦୂରେଇ ଯାଉ ଶିବସେନା । ବିଜେପି ସହ ମିଶି ସରକାର ଗଠନ କରୁ । ତେବେ ଏହି ସର୍ତ୍ତକୁ ଉଦ୍ଧବ ଠାକରେ ମାନିବେ କି ନାହିଁ ତାହା ସମୟ କହିବ ।

ନୂଆ ଦଳ ଗଠନ କରିବେ କି ସିନ୍ଧେ

ଶିବସେନାର 40 ବିଧାୟକ ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଛନ୍ତି । ତେବେ ନୂଆ ଦଳ ଗଠନ ପାଇଁ ମନା କରିଛନ୍ତି ସିନ୍ଧେ । ଯେହେତୁ ନୂଆ ଦଳ ଗଠନ କରିବେ ନାହିଁ ତେଣୁ କୁହାଯାଇପାରେ ବିଜେପିକୁ ସମର୍ଥନ କରିପାରନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ।

ଗୁଜରାଟ କାହିଁକି ଗଲେ ଶିବସେନା ବିଧାୟକ

ଶିବସେନାର ବିଦ୍ରୋହୀ ବିଧାୟକମାନେ ଉଦ୍ଧବ ଠାକରେଙ୍କ ଚାପରୁ ବର୍ତ୍ତିବା ପାଇଁ ଗୁଜରାଟର ସୁରଟକୁ ବାଛିଥିଲେ । କାରଣ ଗୁଜରାଟରେ ବିଜେପି ସରକାର ରହିଛି । ଶିବସେନାର ବିଧାୟକଙ୍କୁ ସୁରକ୍ଷା ଦେଇପାରିବ । ସେପଟେ ସୁରଟରୁ ମୁମ୍ବାଇର ଦୂର 260 କିମି  । ତେଣୁ ମୁମ୍ବାଇ ପୋଲିସ ଏବଂ ଶିବସେନା ନେତାମାନେ ସେଠାରେ ପହଁଚିବାକୁ ସମୟ ଲାଗିବ । ତେଣୁ ପ୍ରଥମେ ଏହି ବିଧାୟକମାନେ ବିଜେପି ଶାସିତ ରାଜ୍ୟ ଗୁଜରାଟରେ ରହିବା ପାଇଁ ଠିକ୍ କରିଥିଲେ ।

ଆସାମ ଗଲେ କାହିଁକି ବିଧାୟକ

ଉଦ୍ଧବଙ୍କ ଅନୁଗତ ନେତାମାନେ ଗୁଜରାଟ ଯାଇ ଆଲୋଚନା କରିବା ପାଇଁ ପହଁଚିବାରୁ ପୁଣି ସୁରକ୍ଷିତ ସ୍ଥାନ ସନ୍ଧାନରେ ଥିଲେ ଏକନାଥ ସିନ୍ଧେ ଏବଂ ତାଙ୍କ ସମର୍ଥକ । ତେଣୁ ସେମାନେ ଗୈାହାଟି ଯିବାପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଆସାମରେ ମଧ୍ୟ ବିଜେପି ସରକାର ରହିଛି । ତେଣୁ ବିଦ୍ରୋହୀ ବିଧାୟକମାନଙ୍କୁ ଏଠାରେ  ସୁରକ୍ଷା ମିଳିପାରିବ । ମୁମ୍ବାଇରୁ ଆସାମ ବହୁ ଦୂର ପୁଣି ଯୋଗାଯୋଗ କରିବା ମଧ୍ୟ କଷ୍ଟକର ।

ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇପାରିବ କି?

ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ନିୟମ ଦେଇ କରିବାକୁ ପଡ଼ିବ । ଏଥିପାଇଁ ଦଳବଦଳ ଆଇନ ମଧ୍ୟ ଅଛି । କିନ୍ତୁ ଯେହେତୁ ଏକନାଥଙ୍କ ପାଖରେ  ବିଧାୟକଙ୍କ ସଂଖ୍ୟା ଦୁଇତୃତୀୟାଂଶ ରୁ ଅଧିକ ସମର୍ଥନ ରହିଛି । ତେଣୁ ବିଧାୟକଙ୍କ ପଦ ରଦ୍ଦ କରାଯାଇପାରିବ ନାହିଁ । ତେଣୁ ଦେଖିବାକୁ ଗଲେ ଉଦ୍ଧବ ଠାକରେ ଙ୍କ ପାଖରେ ସରକାର ବଂଚାଇବା ପାଇଁ କୈାଣସି ଗୋଟିଏ ବି କାରଣ ବାକି ରହୁନାହିଁ । ଏସବୁ ଭିତରେ ଦେଖିବାକୁ ଗଲେ ଉଦ୍ଧବଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ରହିଛି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା । ଆଉ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବର୍ଷାରୁ ସମସ୍ତ ସମନ ଖାଲିକରି ମାତୋଶ୍ରୀ ଚାଲିଯାଇଛନ୍ତି ।  ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ନା ସରକାର ବଂଚାଇ ପାରୁଛନ୍ତି ତାହା ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.