Latest Odisha News

BREAKING NEWS

ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ?

ନୂଆଦିଲ୍ଲୀ: ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ? ୟୁପି, ବିହାରରେ ଅଧିକ ଜନସଂଖ୍ୟା, ଫସିଯିବେ କି ଦକ୍ଷିଣ ରାଜ୍ୟ ! ଆସନ୍ତାବର୍ଷ ସାରା ଦେଶରେ ଲୋକସଭା ସିଟର ପରିସୀମନ ହୋଇପାରେ । ତେବେ କେବଳ ଜନସଂଖ୍ୟା ଭିତ୍ତିରେ ପରିସୀମନ କରାଗଲେ ଦେଶରେ କ୍ଷମତାର ସନ୍ତୁଳନ ବିଗିଡିବା ଆଶଙ୍କା ରହିଛି। ଏପରିକି ୟୁପି, ବିହାରର ପଲ୍ଲା ଭାରି ହେବା ସହ ଦକ୍ଷିଣ ଭାରତ କ୍ଷତି ସହିବା ନେଇ ବି ଆଶଙ୍କା ଦେଖାଦେଇଛି । ତେବେ ଦକ୍ଷିଣ ଭାରତୀୟ ରାଜ୍ୟଙ୍କୁ ଆଶ୍ବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ଲୋକସଭା ସିଟ୍ କମିବ ନାହିଁ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କେଉଁ ଆଧାରରେ ହେବ ପରିସୀମନ?

ପରିସୀମନ କ’ଣ?

ଯେଉଁ ପରିସୀମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପ୍ରକୃତରେ ତାହା କ’ଣ? ଦେଶରେ ଲୋକସଭା ଓ ବିଧାନସଭା କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ପରିସୀମନ କୁହାଯାଏ । ଏହାଦ୍ବାରା ଜନସଂଖ୍ୟା ଆଧାରରେ ସବୁ କ୍ଷେତ୍ରକୁ ନିରପେକ୍ଷ ନେତୃତ୍ବ ମିଳିପାରିବ । ପରିସୀମନର ଉଦ୍ଦେଶ୍ୟ ସବୁ ନାଗରିକ ଓ କ୍ଷେତ୍ରକୁ ସଂସଦ ଓ ବିଧାନସଭାର ସମାନ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା । ନୂଆ ତଥ୍ୟ ଆଧାରରେ ସବୁବେଳେ ପରିସୀମନ କରାଯାଏ ।

କାହିଁକି ଡରୁଛନ୍ତି ଦକ୍ଷିଣ ରାଜ୍ୟ?

ପରିସୀମନ ପ୍ରକ୍ରିୟାକୁ ନେଇ ଆଶଙ୍କାରେ ରହିଛନ୍ତି ଦକ୍ଷିଣ ରାଜ୍ୟ । କାରଣ ଯଦି ଆସନ୍ତାବର୍ଷ ଜନସଂଖ୍ୟା ଆଧାରରେ ପରିସୀମନ ହୁଏ, ତେବେ ଦକ୍ଷିଣରୁ ସଂସଦୀୟ ପ୍ରତିନିଧିତ୍ବ କମିଯିବ । ସଂସଦରେ ଶକ୍ତି କମିଲେ ଜାତୀୟ ରାଜନୀତିରେ ବି ପ୍ରଭାବ କମିବ । ପରିସୀମନ ଜନସଂଖ୍ୟା ଆଧାରରେ ହେଲେ ଅଧିକ ଜନସଂଖ୍ୟା ଥିବା ରାଜ୍ୟକୁ ଅଧିକ ସିଟ୍ ମିଳିବ । ଅର୍ଥାତ ଉତ୍ତର ଭାରତରେ ସିଟ୍ ବଢିବା ବେଳେ ଦକ୍ଷିଣରେ ସିଟ୍ ସମାନ ରହିବ କିମ୍ବା କମିବ । ଲୋକସଭା ପରିସୀମନ ପ୍ରକ୍ରିୟା ଦେଶରେ ଶେଷ ଥର ପାଇଁ ୧୯୭୧ ମସିହାରେ ହୋଇଥିଲା । ଓଡିଶା ଭଳି କିଛି ରାଜ୍ୟରେ ୨୦୦୯ ନିର୍ବାଚନ ପୂର୍ବରୁ ସୀମାପୁନଃନିର୍ଦ୍ଧାରଣ କରାଯାଇଥିଲା । ସେତେବେଳେ କେବଳ ନିର୍ବାଚନ କ୍ଷେତ୍ରର ସୀମା ପରିବର୍ତ୍ତନ କରାଯାଇଥିଲା । ତେବେ ସିଟ୍ ସମାନ ରହିଥିଲା ।

ମହଙ୍ଗା ପଡିବ ଜନସଂଖ୍ୟା ନିୟନ୍ତ୍ରଣ !

ଦେଶରେ ଜନସଂଖ୍ୟା ସବୁ ଅଞ୍ଚଳରେ ସମାନ ଅନୁପାତରେ ବଢିନି। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପରି ଦକ୍ଷିଣ ଭାରତୀୟ ରାଜ୍ୟ ପରିବାର ନିୟୋଜନ ଦ୍ବାରା ଜନସଂଖ୍ୟା ବୃଦ୍ଧି ହାର ନିୟନ୍ତ୍ରଣ କରିଛନ୍ତି । ତେବେ ୟୁପି, ବିହାର ପରି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଜନସଂଖ୍ୟା ବଢିଛି । ଏବେ ଜନସଂଖ୍ୟା ନିୟନ୍ତ୍ରଣ କରିବାର ଦଣ୍ଡ ଭାବେ ସିଟ୍ ସଂଖ୍ୟା କମ୍ କରାଯାଉଥିବା ଦକ୍ଷିଣ ଭାରତୀୟ ରାଜ୍ୟ ଅଭିଯୋଗ କରୁଛନ୍ତି । ଏବେ ସଂସଦରେ ଉତ୍ତର ଭାରତରୁ ଅଧିକ ପ୍ରତିନିଧିତ୍ବ ରହିଛି । ଜନସଂଖ୍ୟା ଆଧାରରେ ପରିସୀମନ ହେଲେ ଏହି ଅସମାନତା ଆହୁରି ବଢିବ । ଫଳରେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ ଡିଏମକେ, ଓ୍ବାଇଏସଆରସିପି ପରି ଆଞ୍ଚଳିକ ଦଳ ।

କମିବ କି ଦକ୍ଷିଣ ରାଜ୍ୟଙ୍କ ସିଟ୍?

ଯଦି କେବଳ ଜନସଂଖ୍ୟା ଆଧାରରେ ପରିସୀମନ କରାଯାଏ, ତେବେ ଦକ୍ଷିଣ ରାଜ୍ୟ ଗୁଡିକର ସିଟ୍ କମିବ । ତାମିଲନାଡୁର ଜନସଂଖ୍ୟା ୭କୋଟି ୬୦ଲକ୍ଷ ଥିବା ବେଳେ ସେଠାରେ ୩୯ଲୋକସଭା ସିଟ୍ ଅଛି । ସେହିପରି ୟୁପିର ଜନସଂଖ୍ୟା ୨୨କୋଟିରୁ ଅଧିକ ହୋଇଥିବା ବେଳେ ସେଠାରେ ଲୋକସଭା ସିଟ୍ ୮୦ ରହିଛି । ନୂଆ ପରିସୀମନରେ ୟୁପିର ସିଟ୍ ବଢିପାରେ ହେଲେ ତାମିଲନାଡୁର ସିଟ୍ ବଢିବା ସମ୍ଭାବନା କମ୍ । ୨୦୨୫ ସୁଦ୍ଧା ୟୁପିର ଜନସଂଖ୍ୟା ୨୫କୋଟି ପହଞ୍ଚିପାରେ । ୨୦ଲକ୍ଷ ଜନସଂଖ୍ୟାରେ ଗୋଟିଏ ଲୋକସଭା ସିଟ୍ ହିସାବ ଦେଖିଲେ ୟୁପିକୁ ୧୨୬ଲୋକସଭା ସିଟ୍ ମିଳିପାରେ । ସେହିପରି ବିହାର ଭାଗରେ ୮୫ସିଟ୍ ଆସିପାରେ ତ ଓଡିଶା ସିଟ୍ ୨୪କୁ ବଢିପାରେ । ହେଲେ ତାମିଲନାଡୁର ସେଇ ୩୯ ସିଟ୍ ରହିବ ତ କେରଳର ସିଟ୍ ୨୦ରୁ କମି ୧୮ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଉଛି। ତେବେ ଦକ୍ଷିଣ ରାଜ୍ୟର ଗୋଟିଏ ବି ସିଟ୍ କମିବନି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାର ଅର୍ଥ ପରିସୀମନ ପାଇଁ ଭିନ୍ନ ଫର୍ମୁଲା ନେଇ ବିଚାର ବିମର୍ଶ କରୁଛି କେନ୍ଦ୍ର। ତେବେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ପକଡ ମଜବୁତ ରହିଥିବା ବେଳେ ଦକ୍ଷିଣରେ କେବଳ କର୍ଣ୍ଣାଟକକୁ ଛାଡିଦେଲେ ବାକି ରାଜ୍ୟରେ ଦୁର୍ବଳ ସ୍ଥିତି ରହିଛି । ତେଣୁ ଉତ୍ତର ଭାରତକୁ ଅଧିକ ପ୍ରତିନିଧିତ୍ବ ମିଳିବା ନେଇ ଆଶଙ୍କା କରୁଛନ୍ତି ଦକ୍ଷିଣ ରାଜ୍ୟ ।

Comments are closed.