Latest Odisha News

BREAKING NEWS

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି ।

ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି ଅନୁଯାୟୀ ବଦଖାସନର ଡେପୁଟି ଗଭର୍ଣ୍ଣର ମୁଲାହ ନିସାର ଅହମଦ ଅହମଦି ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମଘାତୀ ସେନା ଗଠନ କଥା ପ୍ରକାଶ କରିଥିଲେ । ନୂତନ ଭାବେ ଗଠିତ ସୁଇସାଇଡ ବମ୍ବର ସେନାକୁ ଲସ୍କର-ଏ-ମନସୁରୀ ଭାବେ ନାମିତ କରାଯାଇଛି । ଆଫଗାନିସ୍ତାନରେ ବାହ୍ୟ ସେନାର ପ୍ରବେଶକୁ ରୋକିବା ଲାଗି ସ୍ୱତନ୍ତ୍ର ଆତ୍ମଘାତୀ ସେନାକୁ ଗଠନ କରାଯାଇଥିବା ଅହମଦି ପ୍ରକାଶ କରିଥିଲେ ।

ଆତ୍ମଘାତୀ ସେନାର ମୁଖ୍ୟ ଟାର୍ଗଟ୍ ଆଫଗାନିସ୍ତାନରେ ଥିବା ଆମେରିକୀୟ ସେନାର ସାମରିକ ଘାଟି ବୋଲି ଅହମଦି ପ୍ରେସ୍ କନଫେରେନ୍ସରେ ପ୍ରକାଶ କରିଥିଲେ । ଲସ୍କର-ଏ-ମନସୁରୀର ସଦସ୍ୟଙ୍କୁ ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀରେ ସଜ୍ଜିତ କରାଯିବା ସହ ଯେକୌଣସି ସମୟରେ ବିସ୍ଫୋରଣ ଘଟାଇବା ନେଇ ଅନୁମତି ମିଳିଛି ।

ଲସ୍କର-ଏ-ମନସୁରୀ ପୂର୍ବରୁ ବଦ୍ରି-୩୧୩ ଭାବେ ତାଲିବାନ ନିକଟରେ ଏକ ନୃଂଶସ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସେନା ରହିଛି । ତେବେ ଦରକାର ପଡିଲେ ବଦ୍ରି- ୩୧୩ର ସୈନିକମାନେ ବି ଆତ୍ମଘାତୀ ସେନାରେ ସାମିଲ ହେବା ନେଇ ଅହମଦି ପ୍ରକାଶ କରିଥିଲେ ।

Leave A Reply

Your email address will not be published.