Latest Odisha News

BREAKING NEWS

ତାପମାତ୍ରା

ତାପମାତ୍ରା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସାଙ୍ଗସାଥୀ ସମସ୍ତେ ବାହା ହେଇ ସାରିଥିଲେ । ଖାଲି ଯାହା ସେ ବାକି ଥିଲା । ଦେଖା ଚାହାଁ ହେଉ କି ଫୋନରେ ଚିହ୍ନାପର୍ଚ ଲୋକ ତାକୁ କେବଳ ଏଇ ପ୍ରଶ୍ନ ହିଁ ପଚାରୁଥିଲେ । କେବେ ବାହା ହେଉଛ? ବୟସ କଣ ବସିକି ଅଛି ? ନା କାହା ସହିତ ଆଫେୟାର୍ସ ଅଛି ଅପେକ୍ଷା କରି ରହିଛ? ଏମିତି କେତେ କଣ ଗୁଡେଇ ତୁଡେଇ ପ୍ରଶ୍ନ । ଏସବୁ ପ୍ରଶ୍ନର କୈଫିୟତ ସୁମନସୁଧା ପାଖରେ ନଥିଲା ।

ବୟସ ବଢି ବଢି ୩୫ ଛୁଇଁଥିଲା ଅଥଚ ସିଏ ବାହା ହେଇ ପାରୁନଥିଲା । ବେଳେ ବେଳେ ତାକୁ ଲାଗୁଥିଲା ଏତେବଡ ଦୁନିଆରେ ତା ପାଇଁ କଣ କେହି ନାହିଁ ! ଯିଏ ଭରସି କରି ତାହାତ ଧରିବ ତାକୁ ଏକ ପରିପୂର୍ଣ୍ଣ ଜୀବନର ସ୍ୱାଦ ଦେବ । ତା ରଙ୍ଗହୀନ ଜୀବନରେ ପୁଣି ଥରେ ବିଂଚିଦେବ କେଇ ମୁଠା ରଙ୍ଗୀନ ଅବିର । ନା ସେମିତି କିଛି ହବାର ନଥିଲା । ପିଛିଲା କେଇବର୍ଷ ଧରି ପାତ୍ର ସନ୍ଧାନରେ ସିଏ ଲାଗିଥିଲା କିନ୍ତୁ ଜୋଗାଡ ହୋଇ ପାରୁନଥିଲେ ।

ସବୁଠୁ ବଡକଥା ହେଲା ତା ବାହାଘର ପାଇଁ ଘରଲୋକ ଆଦୌ ଚିନ୍ତିତ ନଥିଲେ । ଓଲଟି ନିଜ କୋଟରୁ ବଲ୍ ଖସେଇ ତା କୋଟରେ ବଲ୍ ପକେଇ କହୁଥିଲେ, ଦେଖ୍ ତୋପାଇଁ ତୁ ନିଜେ ଖୋଜ । ଯେଉଁଠି ତୋ ମନପସନ୍ଦ ହେବ ସେଇଠି ଆମେ ଛନ୍ଦି ଦେବୁ । ତୋ ନିଷ୍ପତ୍ତି ତୋର । ଆମେ ଠିକ କରୁଥିବୁ ପୁଣି ତୋର ମନପସନ୍ଦ ହେଉଥିବ କି ନହେଉ ଥିବ । ପଛରେ ଆମେ କାହିଁକି ଦୋଷୀ ହେବୁ ।

ନିଜ ବର ନିଜେ ଖୋଜ । ଏମିତି ଏକ ରୀତିମତ ଟାସ୍କ ଧରି ସୁମନସୁଧା ଗତ କେଇବର୍ଷ ଧରି ଘୁରି ବୁଲୁଥିଲା । ନା କେହି ମିଳୁଥିଲେ ନା ସିଏ ବାହା ହେଇ ପାରୁଥିଲେ । ବୟସ ବଢିବା ସଙ୍ଗେ ସଙ୍ଗେ ତାର ଅବସାଦର ମାତ୍ରା କ୍ରମଶଃ ବଢି ଚାଲିଥିଲା । ଆଜି ଯଦି ତାର ମା ଥାଆନ୍ତା ସିଏ କଣ ଏଭଳି ପରିସ୍ଥିତିକୁ ସାମ୍ନା କରୁଥାନ୍ତା । ଆରପାରିକୁ ମା ଯିବାର ୨୦ବର୍ଷ ହେଇଗଲାଣି ।

ନୂଆମା’ ବାପାଙ୍କ ମୁଣ୍ଡଟାକୁ କୋରି ଦେଇଛି । ସେ ଆଉ କଣ ଆଗ ବାପା ହେଇ ଅଛନ୍ତି । ନୂଆମା ଓ ପ୍ରତୀକ(ନୂଆମାଙ୍କ ପୁଅ)କୁ ନେଇ ସେ ବେଶୀରୁ ବେଶୀ ବ୍ୟସ୍ତ ବାକି କେଉଁ କଥାକୁ ତାଙ୍କର ନଜର ବି ନାହିଁ । ନୂଆମା ରୋକଠୋକ ଶୁଣେଇ ଦେଇଛି ଏମାନେ ସବୁ ବଡପିଲା ତାଙ୍କ ନିଷ୍ପତ୍ତି ନିଜେ ନିଅନ୍ତୁ ।

ସୁମନସୁଧା ମନେ ମନେ ଭାବେ ଏମିତି ଜୀବନ ନରକଠାରୁ ବି ଆହୁରି ଯନ୍ତ୍ରଣାପ୍ରଦ । ସାନଭଉଣୀ ମୋନିତା ଯାହାହଉ ଭଲ କରିଛି ନିଜେ ପ୍ରେମଫ୍ରେମ କରି ବାହା ହେଇଗଲା । ନିଜ ଚାଟାର୍ଡ ଫାର୍ମ ଆଉ ତାର ବର ଅଭିଷେକକୁ ନେଇ ଏତେ ବ୍ୟସ୍ତ ରହୁଛି ଯେ ତାକଥା ଟିକେ ବି ପଚାରିବାକୁ ତାକୁ ଫୁରସତ ନାହିଁ ।

କେହିଜଣେ କହିଥିଲେ ଦୁନିଆରେ ବାପାମାଆ କେବଳ ବାସ୍ତବ ଆଉ ସବୁ ପ୍ରହେଳିକା । ବାପାମାଆ ସବୁସମୟରେ ରହିବେ । ନିଜର ଭାଇଭଉଣୀ ଆଉ ସାଙ୍ଗସାଥୀ ସେମାନେ ବି ଦରକାର ପଡିଲେ ଦୂରେଇ ଯିବେ । ମୋନିତାଠାରୁ ସେ ଅଧିକ ଆଶା କରିପାରେ ନାହିଁ । ସେ ସିନା ନରକ ଜୀବନରେ ଛଟପଟ ହେଉଛି ବିଚାରୀକୁ କାହିଁକି ତାଦୁଃଖରେ ସାମିଲ କରେଇବ । ବାହାହେଲାପରେ ସେ ତା ପ୍ରଫେସନ ଆଉ ସଂସାର ଜଞ୍ଜାଳରୁ କେଉଁ ମୁକ୍ତି ପାଉଛି ଯେ ପୁଣି ବଡଭଉଣୀର କଥାରେ ମୁଣ୍ଡ ପୁରେଇବ ।

ଯେଉଁଠି ବାପା ନିଜ ଝିଅର ଦାୟିତ୍ୱ ଭୁଲି ଯାଉଛନ୍ତି ସେଠି ସାନଭଉଣୀ ପାଖରୁ ସେ କି ସାହାଯ୍ୟ ଆଶା କରିବ । ବାପାତ ଆଗରୁ ଏମିତି ନଥିଲେ ସାନମାଆ ଆସିବାପରେ ପୁରାପୁରି ବଦଳି ଗଲେ । ବାପାଙ୍କର କଣ ଦରକାର ଥିଲା ଦରବୁଢା ବୟସରେ ଦ୍ୱିତୀୟ ବିବାହ କରିବା?

ସବୁ ନାଟର ମନ୍ଥରା ହୀରାମଣି ପିଉସୀ । ମା ମଲାପରେ ବାହୁନି ବାହୁନି କାନ୍ଦିଲା, “ଏତେ ସମ୍ପତ୍ତି ବାଡି କଣ ହେବ? କିଏ ଦେଖାରଖା କରିବ?
ଦିଟାଯାକ ଝିଅ । ଆଜି ଅଛନ୍ତି କାଲି ବାହା ହେଇ ଚାଲିଯିବେ । ଅଭିରାମର ହେଲେ ପୁଅଟେ ଥାଆନ୍ତା!

ତାରି ମୁହଁକୁ ଚାହିଁଚାହିଁ ବାକି ଜୀବନ କାଟିଥାନ୍ତା । ଏଇନେ କଣ କରିବ ଅଭିରାମ । ଚାଲ ଆମ ଅଭିରାମକୁ ଦୁତୀୟ କରିଦେବା ।’’
ବନ୍ଧୁବାନ୍ଧବ ସମସ୍ତଙ୍କ ଚାପ ଆଗରେ ଶେଷରେ ବାପା ନିଷ୍ପତ୍ତି ନେଲେ ଦ୍ୱିତୀୟ ବିବାହ କରିବେ । ହୀରାମଣି ପିଉସୀ ତାଙ୍କ ଗାଁ ଆଡର ଜଣକୁ ଠିକ କରିଦେଲା ଆଉ ବାପା ବାହା ହେଇପଡିଲେ ।

ବାପାଙ୍କର ଫିକାମନରେ ସରସ ଆସିଲା । ସେ ଆଶା କଲେ ଯାହା ହେଉ ଝିଅଦିଟାର ଯତ୍ନ ନବାକୁ କେହି ଜଣେ ଆସିଲା । ଏତେବଡ ଘରଟା ଖାଁ ଖାଁ ଲାଗୁଥିଲା ଏଥର ଘରଟା ପୁରିଲା ପୁରିଲା ଲାଗିବ ।

ମାସ କେତେଟା ଠିକ୍ ଠାକ ଚାଲିଲା ତାପରେ କିନ୍ତୁ ଚିତ୍ର ପୁରାପୁରି ଓଲଟି ଗଲା । ନୂଆମା ଦେଖାଇଲେ ନିଜର ଅସଲରୂପ । କ୍ରୁର ସାବତମା ମାନଙ୍କ ବିଷୟରେ ସେ ବିଭିନ୍ନ ଗପରେ ଯାହା ପଢିଥିଲା ତାହା ସିଏ ବାସ୍ତବ ଜୀବନରେ ଦେଖିଲା । ନୂଆମା ଘରକୁ ଆସିଲା ବେଳକୁ ତାର ପ୍ଲସଟୁ ଫାଷ୍ଟଇୟର ଆଉ ମୋନିତାର ଅଷ୍ଟମଶ୍ରେଣୀ । ନୂଆ ମା’ ତାଠାରୁ ଏମିତି କେତେ ବଡ ହେବ କି ତିନିଚାରି ବର୍ଷ ଖଣ୍ଡେ ହେବ । ଏତେ ଛୋଟଝିଅଟେକୁ ନୂଆମା ଡାକିବାକୁ ତା ଜିଭ ଲେଉଟୁ ନଥିଲା । ଆଜି ବି ନୂଆମା ଆଗରେ ସେ ସହଜ ହୋଇ ପାରେନି । ଆସିଲାଦିନରୁ ନୂଆମା ସହିତ ତାର ସାପନେଉଳ ସମ୍ପର୍କ ।

ବାପା କେତେ ଭଲ ଥିଲେ ନୂଆମା ଆସୁ ଆସୁ ବଦଳି ଗଲେ! ସେ କେବେ ବି ଆଶା କରିନଥିଲା ବାପା ଏତେ ଜଲଦି ବଦଳି ଯିବେ ବୋଲି । ନୂଆମା ବାପାଙ୍କୁ ଏମିତି କାବୁ କରିଦେଇଛି ଯେ ବାପା ଏକପ୍ରକାର ଭୁଲିଯାଇଛନ୍ତି ଯେ ତାଙ୍କର ଆଉ ଦୁଇଟି ଝିଅ ଅଛନ୍ତି ।

ମା ଥିଲା ବେଳେ ବାପା ଆଗରୁ କେତେ ଭଲ ଥିଲେ । ସେମାନଙ୍କ ସଂସାର ବେଶ ହସଖୁସିରେ କଟୁଥିଲା । ଜୀବନଟା ଲାଗୁଥିଲା ଆନନ୍ଦମୟ ।

ଏବେ ତ ସୁମନସୁଧାକୁ ଲାଗେ ଏ ଜୀବନ ଯଦି ଏତେ ଯନ୍ତ୍ରଣାଦାୟକ ତାହେଲେ ଏଜୀବନ ରଖିବାରେ କି ମାନେ ଅଛି ! ସିଏ ଯେନତେନ ପ୍ରକାରେ ଏମସିଏ ପାସ କଲାପରେ ଗୋଟେ ରେସିଡେନସିଆଲ ସ୍କୁଲରେ କମ୍ପ୍ୟୁଟର ଟିଚର ଚାକିରିଟେ ପାଇ ଯାଇଛି । ଚାକିରିଟେ କରିଛି ବୋଲି ତ ବୋଝ ଭଳି ଲାଗୁଥିବା ଜୀବନକୁ ଘୋଷାରିଲା ଭଳି ଆଗକୁ ଆଗକୁ ଟାଣି ନେଉଛି । କାହା ଉପରେ ଅନ୍ତତଃ ସିଏ ବୋଝ ନୁହେଁ ବୋଲି ଆଶ୍ୱସ୍ତ ଅଛି । ଜାଣିଣୁଣି ସିଏ ଭିଲାଇର ଏକ ରେସିଡେନସିଆଲ ସ୍କୁଲକୁ ଚାକିରି ପାଇଁ ବାଛିଚି । ସେ ବୁଝିଛି ଭୁବନେଶ୍ୱରରୁ ଯେତେ ଦୂରେଇ ରହିବ ସେତେ ତାପାଇଁ ଭଲ ।

ଭୁବନେଶ୍ୱର ତାକୁ ଅନେକ କଷଣ ଅନେକ ଦୁଃଖ ଦେଇଛି । ଚିହ୍ନାପର୍ଚ ଲୋକଗୁଡାଙ୍କ ପାଖରେ ରହି ତାକୁ ଅଣନିଶ୍ୱାସୀ ଲାଗୁଥିଲା । ଯେତେବେଳେ ଦେଖ ହିତାକାଂକ୍ଷୀ ନାଁରେ ତାର ପୁରଣା କଥାକୁ ଉଖାରିବେ । କାହିଁ ବାହାଘର ହେଉନି ବୋଲି ବାହୁନିବେ । ନୂଆମାର କ୍ରୁର ଦୃଷ୍ଟି ଆଢୁଆଳରୁ ବି ସେ ଦୂରେଇ ରହିଛି ଭିଲାଇରେ ରହି ।

ତାଭଳି ଦୁଃଖିନୀ ପାଇଁ ରେସିଡେନସିଆଲ ସ୍କୁଲ ହିଁ ପ୍ରକୃଷ୍ଟ ଜାଗା । ଦିନରାତି ସ୍କୁଲ କ୍ୟାମ୍ପସ ଭିତରେ ପିଲାମାନଙ୍କ ସହ ରହି ତାର ପୁରୁଣାଦିନର କଥା ଆଉ ଦୁଃଖକୁ ତ ଭୁଲି ହେଉଛି । ଆଇଟି କମ୍ପାନୀ ଚାକିରି ଏଇଥିପାଇଁ ସେ ଜାଣି ଜାଣି ଛାଡି ଦେଇଥିଲା । ଆଇଟି ଫାର୍ମର ଚାପ ତାସାଙ୍ଗକୁ ଏକାକୀପଣ ତାର ଜୀବନକୁ ଆହୁରି ବଡ ବୋଝ ବୋହିଲା ଭଳି ଲାଗିଥାନ୍ତା ।

ପିଲାଙ୍କ ସହ ପିଲା ହୋଇ ଦିନରାତି ସ୍କୁଲରେ ବିତେଇ ସିଏ ଜୀବନକୁ ଜିଉଁ ନି ତ ତାର ଅତୀତଠାରୁ ଦୌଡି ପଳାଇବାକୁ ଚେଷ୍ଟା କରୁଛି । ସେ ଛୁଟି ନିଏନି କି ବେଶିରୁ ବେଶି ଅନ୍ୟ ଟିଚରଙ୍କ ପରି ଘରକୁ ଦୌଡେନି । ଆଉ ଯେତେବେଳେ ଲମ୍ବାଛୁଟି ପଡେ ଭୁବନେଶ୍ୱର ନଯାଇ କୋଉ ନୂଆଜାଗାକୁ ବୁଲିବାକୁ ଚାଲିଯାଏ । ନିଜ ଦୁଃଖକୁ ଭୁଲିବାକୁ ଚେଷ୍ଟା କରେ ।

ଘରକୁ ସେ ବିଲକୁଲ ଯାଆନ୍ତାନି । ବର୍ଷରେ ଥରେ ଖାଲି ଯାଏ ବାପାଙ୍କ ମୁହଁ ମନେପଡେ ବୋଲି । ବାପା ଆଜିସିନା ବଦଳି ଯାଇଛନ୍ତି କିନ୍ତୁ ଯାହା ହେଲେ ବି ସିଏ ତାର ବାପା ।

ତାର ଘର ସହିତ ଏଇ ଛାଡଛାଡ ଭାବକୁ ଅନେକ ନିନ୍ଦନ୍ତି । ହେଲେ ସେମାନେ ବୁଝନ୍ତିନି ଘରକୁ ଗଲେ ସିଏ କେତେ ଅଣନିଶ୍ୱାସୀ ହୋଇପଡେ । ତାମୁଣ୍ଡ ଭିତରଟା ଭାରି ଭାରି ଲାଗେ ।

ବାପା ବହୁବର୍ଷ ତଳୁ ଅନେକ ଥର କହିଲେଣି, ‘ସୁମନ ତୁତ ବଡ ହେଇଗଲୁଣି ଏଥର ତୋ ନିଷ୍ପତ୍ତି ତୁ ନେ । ବାହାସାହା ହେଇ ଘରସଂସାର କର । ମୋର କଣ ଆଉ ବଳବୟସ ଅଛି ତୋ ବର ସନ୍ଧାନ କରିବାକୁ ।’

ନୂଆମା’ ବି ନିଜ ମୁଣ୍ଡରୁ ଦୋଷ ଛଡେଇବାକୁ ଯାଇ କହନ୍ତି, ‘ସୁମନ ତମେ ଗୋଟେ ପିଲା ଦେଖ, ଯେଉଁଠି କହିବ ଆମେ ସେଇଠି ଛନ୍ଦିଦେବୁ । ସବୁ ନିଷ୍ପତ୍ତି ତ ତମେ ନିଜେ ନିଜେ ନେଉଛ ଆମେ କାହିଁକି ତମ ଜୀବନର ଏଇ ବଡ଼ ନିଷ୍ପତ୍ତିଟା ନେବୁ । ପରେ ପୁଣି ଆମକୁ ତମେ ଭୁଲ ବୁଝିବ ।’

ବେଳେ ବେଳେ ଫୋନ କରି ପଚାରନ୍ତି, ‘କିଏ ମିଳିଲେ?, ବୟସ କଣ ଆଉ ବସିକି ରହିଛି?’

ସିଏ ମନେ ମନେ ଭାବେ ବରପାତ୍ର କଣ ପରିବା ନା ମାଛ ହେଇଛି ଯେ ବଜାରକୁ ଯିବ ଆଉ ଉଠେଇ ଆଣିବ ।

ତାଦ୍ୱାରା ପ୍ରେମଫ୍ରେମ ହେଇ ପାରିଲାନି । କଲେଜ ସମୟରେ କେହି କେହି ପିଲା ତାଆଡକୁ ଆକର୍ଷିତ ହୋଇଥିଲେ ହେଲେ ସିଏ ସମସ୍ତଙ୍କୁ ଆଡେଇ ଯାଇଥିଲା ।

ମା’ ଚାଲିଯିବାର ଦୁଃଖ ଆଉ ଘରେ ନୂଆମା’ ଆସିବାପରର ପରିସ୍ଥିତିକୁ ଚାହିଁ କେବଳ ପାଠପଢା ଆଉ ଘର କଣରେ ବସି ଗୁମୁରି ଗୁମୁରି କାନ୍ଦିବା ବ୍ୟତୀତ ଦୁନିଆର ଅନ୍ୟ କୌଣସି କଥା ଭାବିବାକୁ ତାମନରେ ଟିକେ ବି ଆଗ୍ରହ ନଥିଲା । ସେତେବେଳେ ବି କେହି ତାକୁ କହୁନଥିଲେ ତୋ ଜୀବନସାଥୀ ତୁ ନିଜେ ଖୋଜ । ବୟସ ୩୦ ପାର ହେଇ ୩୫ହେଇଗଲା ବେଳକୁ ସମସ୍ତେ ଏତେ ଉଦାର ହୋଇଗଲେ ଯେ ତାକୁ କହୁଛନ୍ତି ଖୋଜ୍ ସୁମନ ଖୋଜ୍ ତୋ ଜୀବନସାଥୀ ନିଜେ ଖୋଜ୍ ଆଉ ତୋ ଜୀବନ ନିଜେ ଗଢ ।

ଛାଡ କାହାକୁ ଦୋଷ ଦେଇ କି ଲାଭ । ସିଏ ବି ଭାବିଥିଲା ଦୁନିଆର ଅନେକ ଝିଅ ବାହାସାହା ନହେଇ ଜୀବନକୁ ଏକାଏକା କାଟି ଦେଉଛନ୍ତି, ସିଏ ବି କାଟି ଦେବ । କିନ୍ତୁ ଜୀବନଟା ଦିନକୁ ଦିନ ତାଉପରେ ଅଜାଡି ହୋଇ ପଡିଲା ଭଳି ଲାଗୁଛି । ଏତେ ବଡ ଜୀବନଟାକୁ ସେ କଣ ଏକାଏକା କାଟି ପାରିବ !

ବରପାତ୍ର ସନ୍ଧାନ କରିବାକୁ ପ୍ରଫେସନାଲ ମଧ୍ୟସ୍ତି ମାନଙ୍କର ସହାୟତା ନିଆଯାଇ ପାରେ । ସୁମନ ସେଇଆ ବି କରିଥିଲା । ପ୍ରଫେସନାଲ ମଧ୍ୟସ୍ତିମାନଙ୍କର ସାହାଯ୍ୟ ନେଇଥିଲା । ସେମାନେ କିନ୍ତୁ ଫଟୋ,ବାୟୋଡାଟା ଆଉ ଟଙ୍କା ନେଇ ତାକୁ ଠକି ଦେଇଛନ୍ତି । ଦିଚାରିଟା ଫଟୋ ଦେଖାଇ ଛୁ ମାରିଛନ୍ତି । ଫୋନ କଲେ ବି ଆଉ ଉଠାଇନାହାଁନ୍ତି । ଆଜିକାଲି ସମସ୍ତେ ଠକିବାକୁ ବସିଛନ୍ତି ।

ଆଉତ ଜଣେ ମଧ୍ୟସ୍ତି ତା ମୁହଁ ଉପରେ କହିଲା, ‘ବାପା ମା ଥାଉ ଥାଉ ତମେ ନିଜ ବାହାଘର ନିଜେ ଖୋଜୁଛ କଣ? ତମର ତାହେଲେ କିଛି ଲାକୁନା ରହିଛି ।’ ମଧ୍ୟସ୍ତି ମାନଙ୍କଠାରୁ ଏମିତି ଠୋକର ଖାଇଲାପରେ ସେ ଏଥିରୁ ମୁହଁ ଫେରାଇ ନେଇଥିଲା । କେହି ଲୋକ ଯଦି ପ୍ରସ୍ତାବ ଫ୍ରସ୍ତାବ ବିଷୟରେ ତା ସାଙ୍ଗରେ କଥା ହେବାକୁ କୁହନ୍ତି ସିଏ ରୋକଠୋକ ମନା କରିଦିଏ ।

ଏମିତି ପରିସ୍ଥିତିରେ ଅନଲାଇନ ମାଟି୍ରମୋନିଆଲ ସାଇଟରେ ବର ଖୋଜିବାକୁ ସିଏ ଅଧିକ ପସନ୍ଦ କରିଥିଲା । ମନଖୋଲା ସ୍ୱାଧୀନତା- ହଜାର ହଜାର ପ୍ରପୋଜାଲ, ନିଜ ଶିକ୍ଷା, ଯୋଗ୍ୟତା ଆଉ ଫିନାନସିଆଲ ଷ୍ଟାଟସକୁ ଚାହିଁ । ପ୍ରତ୍ୟେକ ଦିନ ଗଦା ଗଦା ପ୍ରପୋଜାଲ । ଦେଖ, ପରଖ ଆଉ ଜୋଗାଯୋଗ କର । ପ୍ରଥମେ ପ୍ରଥମେ ମାଟ୍ରିମୋନିଆଲ ସାଇଟରେ ସିଏ ଫ୍ରି ମେମ୍ବରସିପ ନେଇଥିଲା । ସେଥିରେ ଖାଲି ପ୍ରସ୍ତାବ ଦେଖିପାରୁଥିଲା ହେଲେ ଜୋଗାଯୋଗ କରିପାରୁନଥିଲା କି କଥାବାର୍ତ୍ତା ଆଗେଇ ପାରୁନଥିଲା । ଏବେ ସିଏ କିନ୍ତୁ ପେଡ୍ ମେମ୍ବର ହୋଇଯାଇଛି ତାପୁଣି ଡାଇମଣ୍ଡ ମେମ୍ବରସିପ । ଛଅମାସ ପାଇଁ ୮ହଜାର ଟଙ୍କା । ଗଦାଗଦା ପ୍ରସ୍ତାବ,ଫୋନନମ୍ବର,ଚାଟିଂ ସୁବିଧା । ସିଧାସଳଖ କଥାହୁଅ,ସ୍ପଷ୍ଟ ଦିବାଲୋକରେ ଦେଖାହୁଅ,ଡିଟେଲ୍ସ ବୁଝିବାର ସୁବିଧା ।

ପେଡ୍ ମେମ୍ବରସିପ ନେବାପରେ ସୁମନର ମନରେ ଦେଖାଦେଇଥିଲା ଆଶାର ଆଲୋକ । ଏଥର ପକା ଗୋଟେ ଭଲପାତ୍ର ମିଳିଯିବ । ଆଉ ସିଏ ନୂଆମା’କୁ ଦେଖାଇ ଦେବ ବରପାତ୍ର କେମିତି ଖୋଜାଯାଏ ।

ପ୍ରଥମ ଦିମାସ ତ କୌଣସି ପାତ୍ରଙ୍କ ପାଖରୁ ଇନଟ୍ରେଷ୍ଟ ରିକ୍ୱେଷ୍ଟ ସିଏ ପାଇଲାନି । ସେ କିନ୍ତୁ ବହୁଜଣଙ୍କୁ ଇନଟ୍ରେଷ୍ଟ ରିକ୍ୱେଷ୍ଟ ପଠେଇ ସାରିଥିଲା । ଠିକ୍ ତିନିମାସପରେ ଦେଖିବାକୁ ପାଇଥିଲା ଅଦ୍ଭୁତ ପରିବର୍ତନ । ବିବାହ ବଜାରରେ ଯେମିତି ନିଆଁ ଲାଗିଯାଇଥିଲା । ଆଗକୁ ନବକଳେବର ପଡୁଥିବାରୁ ତାପୂର୍ବରୁ ବିବାହ କାର୍ଯ୍ୟ ସାରିଦେବାକୁ ଏକପ୍ରକାର ପ୍ରତିଯୋଗିତା ଚାରିଆଡେ ଖେଳିଯାଇଥିଲା । ଯେଉଁ ପରିବାରରେ ବିବାହ ଯୋଗ୍ୟ ପୁଅ ଝିଅ ଥିଲେ ସେମାନଙ୍କ ଘରର ମୁରବୀ ମାନେ ଯେମିତି ହେଉ ବାହାଘର ନବକଳେବର ପୂର୍ବରୁ ସାରି ଦେବାକୁ ଉଚ୍ଛନ୍ନ ହୋଇ ପଡିଥିଲେ । ଶ୍ରୀଜିଉଙ୍କ ନବକଳେବର ପରେ ବର୍ଷ ତମାମ ବାହାଘର ବାରଣ ଥିଲା । ଏହି ମୌକାରେ ବାହାଘର ବଜାର ବେଶ ଗରମ ଥିଲା । ଏହି ପ୍ରବାହରେ ଗୁଡାଏ ପ୍ରସ୍ତାବ ସୁମନ ପାଖକୁ ଆସିଥିଲା ଅନଲାଇନରେ । ଗୁଡାଏ ଇନଟ୍ରେଷ୍ଟ ରିକ୍ୱେଷ୍ଟ ପାଇ ସୁମନ ଉତଫୁଲ୍ଲିତ ହେଉଥିଲା ତାସହ ଆଶା କରୁଥିଲା ଅନ୍ତତଃ ନବକଳେବର ପୂର୍ବରୁ ସିଏ ହାତକୁ ଦିହାତ ହେଇଯିବ ।

ଢେରସାରା ପ୍ରସ୍ତାବ ଭିତରୁ ଅନେକ ଥିଲେ ଇଞ୍ଜିନିୟର, ବିଜନେସମ୍ୟାନ ଆଉ ଟିଚର । ସିଏତ ମୂଳରୁ ମନସ୍ତ କରିଥିଲା ଟିଚରଙ୍କୁ ବାହା ହେବନି ବୋଲି । ଯେତେ ଭଲ ପିଲା ହେଲେ ବି ଟିଚର ପ୍ରପୋଜାଲକୁ ସିଏ କଣ ଠେସା କରି ଦେଇଥିଲା । ଇଞ୍ଜିନିୟର ଆଉ ବିଜନେସମ୍ୟାନ ପ୍ରସ୍ତାବକୁ ଛାଡି ତାପାଖକୁ ଜଣେ ଜର୍ଣ୍ଣାଲିଷ୍ଟ ବି ପ୍ରପୋଜାଲ ଇନଭାଇଟ କରିଥଲେ । ମାଟ୍ରିମୋନିରେ ଜାତିଭେଦର କିଛି ମାନେ ନଥାଏ । ଓପନ ଫୋରମ ଯିଏ ଯାହାକୁ ପାରିଲା ରିକ୍ୱେଷ୍ଟ ପଠେଇପାରିଲା । ବୟସ, ଜାତି,ଯୋଗ୍ୟତାର କିଛି ବି ମାନେ ନଥାଏ । କିନ୍ତୁ ତା ଭିତରୁ ବାଛିବାର ହିଁ ଅଛି କେଉଁଟା ଭଲ ଆଉ କେଉଁଟା ଭେଲ । ସୁମନକୁ ଯେଉଁ ବିଜନେସମ୍ୟାନ ବାଲା ପ୍ରପୋଜାଲ ସବୁ ଆସୁଥିଲା ସେମାନଙ୍କ ବୟସ ଥିଲା ଢେର ଅଧିକ । ତାଙ୍କ ମଧ୍ୟରୁ କେହି କେହି ସ୍ତ୍ରୀ ଅନ୍ତେ ଦ୍ୱିତୀୟ ବିବାହ କରିବା ଚକ୍କରରେ ପ୍ରସ୍ତାବ ପଠାଇଥିଲେ । ଏମିତିରେ ତାର ବୟସ ୩୫ ପାଖାପାଖି ହୋଇ ଯାଇଥିବାରୁ ଓ ଫଟୋରେ ତାର ବୟସ୍କ ଚେହେରା ଦେଖି ସେମାନେ ସମ୍ଭବତଃ ପ୍ରସ୍ତାବମାନ ପଠାଉଥିବେ । ବାକି ଇଞ୍ଜିନିୟର ବାଲା ଯେଉଁ ପ୍ରସ୍ତାବ ମାନ ଆସିଥିଲା ସେଥିରୁ ଅଧିକାଂଶ ଥିଲେ ଖଡୁସ ନହେଲେ ନୀଚ ଜାତିର ।

ଏତେ ସବୁ ପ୍ରସ୍ତାବକୁ ଆଡେଇ ସେ କିନ୍ତୁ ଜର୍ଣ୍ଣାଲିଷ୍ଟ ପ୍ରସ୍ତାବ ଆଡକୁ ମୁହେଁଇଥିଲା । ଏକରେ ପିଲାଟା ହ୍ୟାଣ୍ଡସମ ତାସଙ୍ଗକୁ ନିଜ ପ୍ରୋଫାଇଲରେ ବଢେଇ ଚଢେଇକି ନଲେଖି ନିଜର ବାସ୍ତବସ୍ଥିତି ସମ୍ପର୍କରେ ଲେଖିଥିଲା । ଯେଉଁଦିନ ଟେଲିଫୋନରେ ସେ ପିଲା ସହ ସୁମନ କଥା ହେଲା ତାର ମିଠାସ୍ୱର ସାଙ୍ଗକୁ ଭଦ୍ରୋଚିତ କଥାବାର୍ତ୍ତା ତାକୁ ଆହୁରି ଇମ୍ପ୍ରେସ କରିଥିଲା । ମନେ ମନେ ଭାବିଥିଲା ଇଞ୍ଜିନିୟର ବିଜନେସମ୍ୟାନଙ୍କର ପୁଳାପୁଳା ପଇସା ହୁଏତ ଅଛି କିନ୍ତୁ ସେମାନଙ୍କ ପାଖରେ ଜୀବନକୁ ନେଇ ସ୍ୱପ୍ନ ନାହିଁ । ତାର ପରିସ୍ଥିତି ଓ ଅତୀତ ଯାହା ଏଇ ପିଲାହିଁ ତାର ପ୍ରକୃତ ଜୀବନସାଥୀ ହେଇପାରିବ । ଅନ୍ୟସବୁ ପ୍ରସ୍ତାବକୁ ଆଡେଇ ସୁମନ ଜର୍ଣ୍ଣାଲିଷ୍ଟବାଲା ପ୍ରସ୍ତାବ ପଛରେ ରୀତିମନ କସରତ ଆରମ୍ଭ କରିଦେଲା । ପିଲାଟିର ନାଁ ଶେଖର ବିଶ୍ୱାଳ । ଭୁବନେଶ୍ୱରର ଗୋଟେ ଟିଭି ଚ୍ୟାନେଲରେ କାମ କରେ । କଥାଗୁଡା ପୁରା ରୋକଠୋକ, ସିଧାସଳଖ କଥା ହେବାକୁ ଭଲ ପାଏ, ଘୂମାଫେରାକୁ ପସନ୍ଦ କରେନା । ସୁମନସୁଧା ଶେଖର ସହ କଥାବାର୍ତ୍ତା କରିବା ପରଠୁ ଏକଦମ ତା ପ୍ରେମରେ ପଡିଗଲା । ଫୋନରେ କଥାବାର୍ତ୍ତ ଆଉ ଚାଟିଂ ପରେ ବି ତାର ମନ ମାନେନା । ଶେଖର କଣ ଦେଖା କରିବାକୁ ଭିଲାଇ ପର୍ଯ୍ୟନ୍ତ ଆସିବ! କଦାପି ନୁହେଁ । ତାକୁ ହିଁ ଦେଖା କରିବାକୁ ପଡିବ ।

ଛୁଟି ନେଇ ଭୁବନେଶ୍ୱର ଯାଉଛି ବୋଲି ସୁମନ ଜଣେଇ ଦେଲା । ଶେଖର ବି ବହୁଦିନରୁ କହିଥିଲା ଗୋଟେ ସାମ୍ନାସାମ୍ନି ମୁଲାକାତ ହେଇଯାଉ । କାରଣ ଦେଖାସାକ୍ଷାତ ନହେଲା ପର୍ଯ୍ୟନ୍ତ ସବୁକିଛି ଅଧାପନ୍ତରିଆ ଭାବେ ଅଟକି ରହିଥିଲା । ଶେଖର ସୁମନକୁ ଜଣେଇ ଦେଇଥିଲା ସିଏ ରେଲୱେ ଷ୍ଟେସନକୁ ନିଶ୍ଚୟ ଆସିବ ସୁମନକୁ ରିସିଭ କରିବାକୁ । ସେଇଠି ଦେଖାଚାହାଁ ହେଇଯିବ ଆଉ କଥା ବି ଆଗକୁ ବଢେଇ ହେବ । ସୁମନ ଦୁର୍ଗ ଏକ୍ସପ୍ରେସରେ ଆସି ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲେଇଲା ବେଳକୁ ସକାଳ ଛଅଟା ବାଜି ସାରିଥିଲା । ୪ ନଂ ପ୍ଲାଟଫର୍ମରେ ଗୋଟେ ପିଣ୍ଡି ଉପରେ ବସିଥିଲା ଶେଖର । ଫଟୋର ଚେହେରା ଅପେକ୍ଷା ଦିଶୁଥିଲା ଅପେକ୍ଷାକୃତ ସାନ ପିଲାଟେ ଭଳି । ସକାଳୁ ସକାଳୁ ଟିସାର୍ଟଟେ ଗଳେଇ ଚାଲି ଆସିଥିବାରୁ ହୁଏତ ସେମିତି ଦେଖାଯାଉଥିଲା । ସୁମନକୁ ସିଏ ମୋଟରୁ ନଦେଖି କେମିତି କେଜାଣି ତା ଡ୍ରେସରୁ ଚିହ୍ନି ପାରିଲା । କାରଣ ସେଇ ଡ୍ରେସଟା ପିନ୍ଧି ସୁମନ ତାର ପ୍ରୋଫାଇଲ ପିକ୍ ଦିଦିନ ତଳେ ଫେସବୁକରେ ଛାଡି ଥିଲା ।

ମଟକାରେ ଚା’ ବଢେଇ ଦଉ ଦଉ ଶେଖର କହିଲା, ‘ନିଅ ଚା ଆଗ ପିଇନିଅ । ଜର୍ଣ୍ଣିଂର ସବୁ ଥକାପଣ ହଟିଯିବ ।’
ସୁମନ ହସିଲା ଆଉ ଷ୍ଟ୍ରଲିକୁ ଗୋଟେ କଡରେ ଥୋଇ ଦେଇ ଚା ପିଇଲା ।
‘ମୁଁ ଭାବି ନଥିଲି ଆମର ଦେଖା ହେବ ବୋଲି’,ଶେଖର ଚା’ ସୋଡକାଏ ମାରି କହିଲା ।
‘ମୁଁ କିନ୍ତୁ ଜାଣିଥିଲି ଆମର ନିଶ୍ଚୟ ଦେଖା ହେବ’,ସୁମନ ଆତ୍ମବିଶ୍ୱାସର ସହ କହିଲା ।
‘ଏମିତିରେ ଆମେ ପ୍ରେମ କରୁନାହାଁନ୍ତି ବରଂ ଜୀବନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସିରିୟସ ହେବାକୁ ପଡିବ ନା’, ସିଧାସଳଖ ଶୁଣେଇ ଦେଲା ଶେଖର ।
‘କୁହ କେବେ ତମ ଘରକୁ ଯିବା ?’
ସୁମନ ଚମକି ପଡିଲା ଚା’ ପିଉ ପିଉ । ମନେ ମନେ ଭାବିଲା- ଶେଖର ସହ ଏବେ ଏବେ ଦେଖାସାକ୍ଷାତ ହେଲା, ଘରକୁ ଗଲେ ନୂଆମା ଯେଉଁ ଲୋକ କଣ କହିବେ ? ସେତ ଏ ପର୍ଯ୍ୟନ୍ତ ଘରେ ପ୍ରସ୍ତାବ ସମ୍ପର୍କରେ କିଛି ବି କହିନି । କିନ୍ତୁ ସୌଜନ୍ୟ ଦୃଷ୍ଟିରୁ କହିଲା, ‘ହଁ ମୁଁ ଏବେ ତ ସାତ ଆଠ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅଛି । ଯେବେ ଚାହିଁବ ଘରକୁ ଆସି ପାରିବ ।’

ଶେଖର ତାକୁ ଅଟୋଷ୍ଟାଣ୍ଡ ପର୍ଯ୍ୟନ୍ତ ବଳେଇ ଦେଲା । ସୁମନ ନିଜ ଷ୍ଟ୍ରଲିକୁ ଧରି ଅଟୋରେ ବସିଲା ଆଉ ଆସନ୍ତାକାଲି କେଉଁ ଏକ ରେସ୍ତୋରାଁରେ ଦେଖା ହେବ ବୋଲି କହିଲା । କାରଣ ତାପାଇଁ ସବୁଠୁ ବଡ କାମ ଥିଲା ଶେଖରକୁ ପାଖରୁ ଜାଣିବା । ପ୍ରସ୍ତାବଟି ଯେତେବେଳେ ଏତେବାଟ ଆଗେଇ ଗଲାଣି । ସବିଶେଷ ଜାଣି ଖୁବଶୀଘ୍ର ନିଷ୍ପତ୍ତିଟା ତାକୁ ନବାକୁ ହିଁ ହେବ । ତାର ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଜାଣିସୁଦ୍ଧା ଶେଖର ଏତେବାଟ ଆଗେଇଛି ନହେଲେ ପ୍ରସ୍ତାବଟା ହାତଛଡା ହେଇଯିବ ଯେ !

ପରଦିନ ସନ୍ଧ୍ୟାରେ ରିଜଲିନ ରେସ୍ତୋରାଁରେ ବସିଥିଲେ ଦିଜଣ । କଫି ଓ ସ୍ନାକ୍ସ ସହ ଢେର ସମୟ ଧରି ଜମିଥିଲା ସେମାନଙ୍କ ଆଳାପ । ପରସ୍ପର ସମ୍ପର୍କରେ ଯେତେ ସମ୍ଭବ ଇନକ୍ୱାରି କରାଯାଇପାରେ ସେମାନେ କରିଥିଲେ । ସୁମନ କଥାପ୍ରସଙ୍ଗରେ କହିଥିଲା ତାଙ୍କର ଭୁବନେଶ୍ୱରରେ ଦୁଇଟି ଘର । ଗୋଟେ ଫରେଷ୍ଟ ପାର୍କରେ ଆଉ ଗୋଟେ ବରମୁଣ୍ଡାରେ । ଫରେଷ୍ଟପାର୍କ ବାଲା ଘରେ ବାପା ନୂଆମା ଆଉ ଛୋଟଭାଇ ରହନ୍ତି । ବରମୁଣ୍ଡାବାଲା ଘରଟା ଭଡା ଲାଗିଛି । ବାହାଘରଟା ହେଇଗଲେ ସାନଭଉଣୀ ଓ ତା ଭିତରେ ବରମୁଣ୍ଡା ଘରଟା ପାଟିସନ୍ କରି ଲେଖାପଢା କରେଇ ଦେବେ ବୋଲି କହିଛନ୍ତି ବାପା ।

ଶେଖର ସବୁକିଛି ଶୁଣୁଥିଲା ତୁନି ହୋଇ । ହଠାତ ଉଠିଲା ଆଉ କହିଲା, ‘ଚାଲ ତମ ଘରକୁ ଯିବା ?’

ଶେଖର ବହୁତ ଜଲବାଜିରେ ଥିଲା । ସୁମନକୁ ଲାଗୁଥିଲା ଅଜବ । ସୁମନ ପଚାରିଲା, ‘ଶେଖର ଆର ୟୁ ସିରିୟସ?’

ଶେଖରର ଏକାଜିଦ୍ ସେଇ ମୁହୂର୍ତରେ ହିଁ ସିଏ ସୁମନର ଘରକୁ ଯିବ ଆଉ ତା ବାପାମାଙ୍କ ସହ ବାହାଘର ସମ୍ପର୍କରେ ପକା କରିବ । ଶେଖର ବାଇକରେ ଷ୍ଟାର୍ଟ କଷିଲା । ସୁମନ ଯନ୍ତ୍ରବତ ତା ପଛରେ ବସିଲା । ରାଜଭବନ ପେଟ୍ରୋଲ ପମ୍ପ, ଏଲଆଇସି ଅଫିସ ପାର ହୋଇ ସେମାନେ ପୁରୁଣା ପାସପୋର୍ଟ ଅଫିସ କଡରେ ଥିବା ତାଙ୍କ ଫରେଷ୍ଟପାର୍କ ଘରେ ପହଁଚିଲେ । ଗେଟ ସାମ୍ନାରେ ପହଁଚିଲା ବେଳକୁ ବାଲକୋନୀ ଉପରୁ ନୂଆମା’ ସେମାନଙ୍କୁ ଦେଖି ସାରିଥାନ୍ତି । କିନ୍ତୁ ଜାଣି ଜାଣି ଅଭିନୟ କରୁଥାନ୍ତି ନଦେଖିଲା ଭଳି ।

ଉପର ଘରକୁ ସେମାନେ ଉଠିଲେ । ଶେଖର ନୂଆମା’ଙ୍କୁ ନମସ୍କାର କଲା, ଚେୟାରଟେ ଭିଡିଆଣି ବସିଲା । ଶେଖର କିଛି କହିବାପୂର୍ବରୁ ସୁମନ କହିଲା, ‘ନୂଆମା ଇଏ ମୋ ସାଙ୍ଗ ଶେଖର ।’

ଶେଖର କିନ୍ତୁ ଏ ପରିଚୟକୁ ନେଇ ସନ୍ତୁଷ୍ଟ ନଥିଲା । ସିଧା ସିଧା କହିଲା, ‘ସତକଥା ହେଉଛି ଆମ ଦିଜଣଙ୍କର ପରିଚୟ ମାଟ୍ରିମୋନି ସାଇଟରୁ ହୋଇଛି । ପ୍ରାୟ ଗୋଟେ ମାସ ହେବ ଆମେ ପରସ୍ପରକୁ ଜାଣୁ । ସୁମନ ଆପଣଙ୍କ ବିଷୟରେ ଓ ପରିବାର ବାବଦରେ ସବୁକିଛି କହିଛନ୍ତି । ମୁଁ ବିବାହ ପ୍ରସ୍ତାବ ନେଇ ଆସିଛି ।’

ନୂଆମା’ ଟିକେ ହଡବଡେଇ ଗଲେ ଶେଖରର ସିଧାସଳଖ କଥା ଶୁଣି । କିନ୍ତୁ ପରିସ୍ଥିତିକୁ ହାଲକା କରିବାକୁ ଯାଇ କହିଲେ, ‘ଇଏ ତ ବହୁତ ଭଲ କଥା । ଆମେ ଚାହୁଁଥିଲୁ ସୁମନ କୌଣସି ପ୍ରସ୍ତାବ ସମ୍ପର୍କରେ ଆମକୁ କହୁ । ଯାହା ହେଉ ଭଲ ହେଲା ।’

ଏଇ ସମୟରେ ବାପା ଆସି ପହଁଚି ଥିଲେ । ସୁମନ ସାହସ ଜୁଟାଇ ଆମୂଳଚୂଳ କହିଗଲା ।

ଶେଖର ବାପାଙ୍କୁ କହିଲା, ‘ଦେଖନ୍ତୁ ମୋର କିଛି କରିବାର ନାହିଁ ଆମର ଦେଖା ଚାହାଁ ସରିଲା ଏଣିକି ଆମଘରର ମୁରବୀଙ୍କ ସହ ଆପଣ କଥାବାର୍ତା କରିବାକୁ ଅପେକ୍ଷା । ବାଇ ଦ ୱେ ସୁମନ ଯାହା କହୁଥିଲେ କଣ ସତ । ଆପଣମାନେ ତାକୁ ଉପେକ୍ଷା କରନ୍ତି । ତାର ମା ମରିଗଲା ପରେ ତାକୁ ଏକ ଯନ୍ତ୍ରଣାମୟ ଜୀବନକୁ ଠେଲି ଦେଇଛନ୍ତି । ଏତେବର୍ଷ ବିତି ଯାଇଥିଲେ ବି ତାର ବାହାଘର କରେଇବା ଆପଣଙ୍କର କଣ କର୍ତବ୍ୟ ନଥିଲା ।’

ଶେଖର ପୁରା ଜର୍ଣ୍ଣାଲିଷ୍ଟ ତରିକାରେ ବାପାଙ୍କ ମୁହଁ ଉପରେ ଏସବୁ ପଚାରି ପକାଇଲା । ବାପା ଲଜ୍ଜିତ ହେଲେ । ‘ନା ସେମିତି ନୁହେଁ ସିଏ ବାହା ନହବାକୁ ଆଜିଯାଏ ଜିଦ ଧରି ବସିଥିଲା’ କହିଲେ । ଶେଖର ଯାଉ ଯାଉ ନିଜଘରର ଫୋନ ନମ୍ବର ଦେଇଯାଇଥିଲା । ଆଉ ବରମୁଣ୍ଡାରେ କେଉଁଠି ଅନ୍ୟଘରଟି ଅଛି ? କେବେଠୁ ରିଟାର୍ଡ କଲେଣି ? କଣ କେମିତି ବାହାଘର ପ୍ଲାନ ଅଛି ? ସବୁ ଡିଟେଲ୍ସ ବାପାଙ୍କ ପାଖରୁ ବୁଝିଥିଲା ।

ବାପରେ ଶେଖରର କଣ ଦରକାର ଥିଲା ଏତେ ସବୁ କହିବା ।

ଶେଖର ଯିବାପରେ ପରେ ହିଁ ଫୋନ ନମ୍ବର ଲେଖିଥିବା କାଗଜଟାକୁ ଚିରି ଦେଇଥିଲେ ନୂଆମା’ । ନା ତା ଫ୍ୟାମିଲିଲୋକଙ୍କ ସହ କଥା ହେଲେ ନା ଶେଖରକୁ କିଛି ଜଣାଇଲେ ବରଂ ସେ କହିଥିବା କଥାମାନକୁ ମନେପକେଇ ନୂଆମା’ ତାକୁ ତାପରଠୁ ଏତେ ଗଞ୍ଜଣା ଦେଇଛନ୍ତି ଯେ ବାହାଘର ହବା ଦୂରକଥା କାନ୍ଦି କାନ୍ଦି ତା ଦିନ ଯାଇଛି । ଶେଖର ଅନେକ ଚେଷ୍ଟା କରିଛି ତାପାଖରୁ ପରବର୍ତୀ ଘଟଣାକ୍ରମ ଜାଣିବା ପାଇଁ କିନ୍ତୁ ଭୟରେ ସେ କିଛି କହିନାହିଁ । ନୂଆମା ଓ ବାପାଙ୍କୁ ଛାଡି ମନ୍ଦିରରେ ବାହା ହେଇଯିବାପାଇଁ ସେ ଶେଖରକୁ କହିଥିଲା ଯେ ହେଲେ ଶେଖରର ଏକା ଜିଦ୍ ବାହା ହେବ ତ ବାଜା ବାଣ ଫୁଟେଇ ପୁଣି ଉଭୟ ପରିବାରର ସମ୍ମତି ଓ ଉପସ୍ଥିତିରେ । ଯେମିତି ଆଡମ୍ବର ହବା କଥା ହେବ ସେଥିରୁ ଗୋଟିଏ ବି କିଛି ଉଣା ହେବନି ।

ଶେଖର ପାଖରୁ ଏକଥା ଶୁଣିବାପରେ ସୁମନ ତାକଥା ଉପରେ ଆଉ ଭରସି ପାରିନଥିଲା । କାହିଁକି ତାପାଇଁ ଆଉ ଜଣଙ୍କ ଜୀବନ ମାଟି ହେବ ଏକଥା ସେ ଚାହୁଁନଥିଲା । ନିଜ ଅସହାୟତା ପ୍ରକାଶ କରି କହିଥିଲା, ନା ଏମିତି ସର୍ତାବଳୀରେ ସେ ରାଜି ନୁହେଁ । ତାପରଠୁ ସୁମନ ଅନେକବାର ଚେଷ୍ଟା କରିଛି ଶେଖର ସହ ଯୋଗାଯୋଗ କରିବାକୁ । ଶେଖର କିନ୍ତୁ ଫୋନ ଉଠାଏନି କି ଚାଟିଂରେ ଜବାବ ଦିଏନି । ଆଉ ଏବେତ ଫେସବୁକରେ ତାକୁ ଅନଫ୍ରେଣ୍ଡ ବି କରିଦେଇଛି ।

ଆଜି ଖେଶର ବହୁତ ମନେ ପଡୁଥିଲା । ସୁମନ ସ୍କୁଲ ହଷ୍ଟେଲ ବାଲକୋନୀରୁ ଦୂର ରାସ୍ତାକୁ ଚାହିଁଲା । ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ । ସ୍କୁଲ ପଡିଆରୁ ପିଲାଙ୍କ ପାଟି ଶୁଭୁଥିଲା । ଦିନଯାକ ତାତି ବହୁତ ଅଧିକ ଥିଲା । ଗୁଳୁଗୁଳି ଗରମରେ ବେଶ ଛଟପଟ ଲାଗୁଥିଲା । ଦଲକାଏ ଝାଞ୍ଜି ପବନ ତା ଦେହରେ ପୋଡି ହେଇଗଲା ।

ସିଏ ନୀଳ ଆକାଶକୁ ଚାହିଁ ରହିଲା । ନୀଳ ଆକାଶର ବାଦଲ ସନ୍ଧିରୁ ଥାଇ ମା ହସୁଥିଲା । ତା ଆଖିରୁ ଦିଟୋପା ଲୁହ ବୋହି ତଳେ ପଡିଲା । କେହି ଜଣେ ତଳୁ କହିଲା, ଅଦିନିଆ ବର୍ଷା ଟୋପା କଣ ! ଦେଖୁନ କେମିତି ଜାମୁକୋଳିଆ ଟୋପା ଦିଟା ମୋ ମୁହଁରେ ପଡିଲା । ସୁମନ ମୁହଁ ଲୁଚେଇ ଧାଇଁଗଲା ନିଜ ରୁମ ଭିତରକୁ । କ୍ରମଶଃ ବଢି ଯାଉଥିଲା ତା ଦେହର ତାପମାତ୍ରା । ରୁମରେ ଫ୍ୟାନ ବୁଲୁଥିଲା, ତାକୁ ଲାଗୁଥିଲା ଇଏ ଝଡ଼ର ପବନ ।

ବିଛଣାରେ ମୁହଁମାଡ଼ି ସୁମନ ନିଜ ଜୀବନକୁ ନେଇ ପୁଣି ନିଷ୍ପତ୍ତି ନେବା ଆରମ୍ଭ କଲା ।

……………………..
ପ୍ଲଟ ନଂ- ୩୫୦୮, ପଳାଶୁଣୀ
ଭୁବନେଶ୍ୱର-୨୫

Leave A Reply

Your email address will not be published.