ଭୁବନେଶ୍ୱର: ସସପେଣ୍ଡ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ତାଙ୍କ ସାର୍ଟ କଲର ଧରି ବିଧାନସଭା ସୁରକ୍ଷା କର୍ମୀ ତାଙ୍କୁ ଗାଈ ଗୋରୁଙ୍କୁ ମାରିଲା ପରି ମାରିଛନ୍ତି । ଏହା ସହ ସୁନା ଚେନ୍ ନେଇଯାଇଛନ୍ତି । ଯାହାକୁ ନେଇ ସେ ଖୁବଶୀଘ୍ର ଥାନାରେ ଏତଲା ଦେବେ ।
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ଗଣତନ୍ତ୍ରର ହତ୍ୟା କରୁଛନ୍ତି । ଗତକାଲି ରାତିରେ ପୋଲିସ ଫୋର୍ସ ପଠାଇ ଆମକୁ ଟେକି ନେଇ ମାଡ ମରାଇଛନ୍ତି । ଦେହରେ ଚିହ୍ନ ଅଛି ମୁଁ ମିଛ କହୁନି । ଏ ରାଜ୍ୟରେ ନ୍ୟାୟ ବୋଲି କିଛି ନାହିଁ । ବିଧାନସଭା ଗେଟରେ ୩ ଟା ତାଲା ପକାଇଛନ୍ତି । ସରକାରଙ୍କ ବାପାଙ୍କ ଚାକର ଭଳି ବ୍ୟବହାର କରୁଛନ୍ତି । ବିଧାୟକମାନେ ବିଧାନସଭାକୁ ଯିବା ଉଚିତ। ହେଲେ ବିଧାୟକଙ୍କୁ ଭିତରକୁ ନ ଛାଡି ଏମାନେ ଅନ୍ୟାୟ କରୁଛନ୍ତି ବୋଲି କହିଛନ୍ତି ତାରା ।
ଆମେ କେବଳ ମହିଳାମାନଙ୍କ ସୁରକ୍ଷା ଦାବି କରିଥିଲୁ । ଆମେ ପ୍ରତିବାଦ କଲୁ କି ଆମକୁ ନ୍ୟାୟ ଦିଅ, ଗୃହ କମିଟି ଗଠନ କର । ଆମକୁ କହିବାର ସୁଯୋଗ ଦେଲେନି କିନ୍ତୁ ସିଧା ସସପେଣ୍ଡ୍ କରିଦେଲେ । ଏ ରାଜ୍ୟରେ ବିଜେପିର ଯେଉଁ ଅହଙ୍କାର ବଢିଯାଇଛି ତାହାକୁ ଜନସାଧାରଣ କେବେ ହେଲେ କ୍ଷମା ଦେବେ ନାହିଁ । ଆମର ଦାବିରୁ ଆମେ କେବେ ପଛାଇବୁ ନାହିଁ, ମହିଳାମାନଙ୍କ ସୁରକ୍ଷା ଆମର ଦାବି । ଏହିପରି କହି ସରକାରଙ୍କ ଉପରେ ବର୍ଷିଛନ୍ତି ତାରା ବାହିନୀପତି ।
ସୂଚନା ଅନୁଯାୟୀ, ଆଜି ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି । ପୂର୍ବରୁ ତାରାଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ବିଧାୟକମାନେ ଗୃହ ନ ଛାଡ଼ି ଧାରଣାରେ ବସିବାରୁ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ଘଟଣାକୁ କଂଗ୍ରେସ ବିଧାୟ ତାରା ବାହିନୀପତି ନିନ୍ଦା କରିବା ସହ ଭାବବିହ୍ବଳ ହୋଇ କାନ୍ଦିପକାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।
Comments are closed.