Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ଗଞ୍ଜାମର ତାରାତାରିଣୀ ମନ୍ଦିର

ଭୁବନେଶ୍ୱର: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ବେଶ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ନାମରେ ପ୍ରସିଦ୍ଧି ଲାଭ କରିଛି ।

ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ବିବାହ କରିଥିଲେ । ଥରେ ଦକ୍ଷ ପ୍ରଜାପତି ଏକ  ବିରାଟ ଯଜ୍ଞର ଆୟୋଜନ କଲେ ଏବଂ ସମସ୍ତ ଦେବଦେବୀଙ୍କୁ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କଲେ । ଦକ୍ଷ ଶିବଙ୍କର ଶ୍ମଶାନରେ ବାସ କରିବା ଓ ବିଚିତ୍ର ବେଶଭୂଷାକୁ ନାପସନ୍ଦ କରୁଥିଲେ । କନ୍ୟା ସତୀ ଇଚ୍ଛା ବିରୁଦ୍ଧରେ ଶିବଙ୍କୁ ବିବାହ କରିଥିବାରୁ ଦକ୍ଷ ଝିଅ ଜ୍ୱାଇଁଙ୍କୁ ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ । ମହର୍ଷି ନାରଦଙ୍କଠାରୁ ପିତାଙ୍କ ଯଜ୍ଞର ବିରାଟ ଆୟୋଜନ ଶୁଣି ଶିବଙ୍କ ବାରଣ ସତ୍ତ୍ୱେ ବାପଘରକୁ ଯାଇ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ । ସତୀ ଯଜ୍ଞସ୍ଥଳରେ ପିତା ଦକ୍ଷ ପ୍ରଜାପତିଙ୍କୁ ଦେଖି ଝିଅଜ୍ୱାଇଁଙ୍କୁ ନିମନ୍ତ୍ରଣ କରିନଥିବା ବିଷୟରେ ଜିଜ୍ଞାସା କଲେ । କିନ୍ତୁ ପିତା ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁକଥା କହିଲେ ।

ଫଳରେ ସତୀ ସ୍ୱାମୀ ଶିବଙ୍କ ଅପମାନକୁ ସହି ନପାରି ଯଜ୍ଞକୁଣ୍ଡରେ ଝାସ ଦେଲେ । ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହେଲେ, ଅବିଳମ୍ବେ ଯଜ୍ଞସ୍ଥଳକୁ ଯାଇ ଦକ୍ଷଙ୍କ ଶିର ଛେଦନ କରିବା ସହିତ ଯଜ୍ଞସ୍ଥଳକୁ ଧ୍ୱଂସ ବିଧ୍ୱଂସ କରିଦେଲେ । ସତୀଙ୍କର ସେହି ଦଗ୍‌ଧୀଭୂତ ଶରୀରକୁ କାନ୍ଧରେ ପକାଇ ପାଗଳପ୍ରାୟ ଲକ୍ଷ୍ୟହୀନଭାବରେ ଘୂରିବୁଲିଲେ । ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ଭଗବାନ୍‌ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ଶିବଙ୍କ କାନ୍ଧରେ ଥିବା ସତୀଙ୍କ ଦଗ୍‌ଧୀଭୂତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ ଏକାବନଟି ସ୍ଥାନରେ ପଡ଼ିଥିଲା ଓ ଏକାବନଟି ସ୍ଥାନରେ ଏକାବନ ଶକ୍ତିପୀଠ ସୃଷ୍ଟି ହୋଇଥିଲା । ସତୀଙ୍କ ବକ୍ଷୋଜ ତାରା ତାରିଣୀ ପୀଠରେ ପଡ଼ିଥିଲା । ତେଣୁ ସତୀଙ୍କ ବକ୍ଷୋଜରୁ ତାରା ତାରିଣୀ ଭଉଣୀ ଦ୍ୱୟ ସୃଷ୍ଟିହୋଇ ଥିଲେ ।ନିଃସନ୍ତାନ ଥିବା ବ୍ୟକ୍ତି ସନ୍ତାନ ଆଶା କରି ଓ ରୋଗଗ୍ରସ୍ତ ଶିଶୁର ଆରୋଗ୍ୟ ଲାଭ ପାଇଁ ବାପାମାଆମାନେ ସନ୍ତାନର ପ୍ରଥମ କେଶ ମା’ଙ୍କ ପୀଠରେ ମଣ୍ଡନ କରିବା ପାଇଁ ମାନସିକ କରନ୍ତି, ମାନସିକ ପୂରଣ ହେବାପରେ ଏଠାରେ ବିଶେଷତଃ ଚୈତ୍ର ମଙ୍ଗଳବାରରେ ଏଥିପାଇଁ ପ୍ରବଳ ଭିଡ଼ ହୋଇଥାଏ ।

ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଅତିକ୍ରମ କରିବାକୁ ପଡେ । ବର୍ତ୍ତମାନ ମନ୍ଦିର ଉପରକୁ ଯିବାପାଇଁ ରୋପ୍‌ୱେର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Comments are closed.