ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହାତତିଆରି କଳାକୃତି ଦେଖିବାକୁ ମିଳିଥାଏ । ବାନ୍ଧ ତଥା ଅନ୍ୟାନ୍ୟ ହାତବୁଣା ଲୁଗା, କାଠ, ପଥର ଖୋଦେଇ, କଂସା-ପିତ୍ତଳ ଓ ସୁନା-ରୂପା କାମ, ଝୋଟି ଚିତା, ପଟ୍ଟଚିତ୍ର, ଚାନ୍ଦୁଆ କାମ ତଥା ଆହୁରି ଅନେକ ପ୍ରକାରର ହାତକାମ ପାଇଁ ଓଡ଼ିଶାର ଅନେକ ଜାଗା ଜଣାଶୁଣା ।
ଯାଜପୁର ଜିଲ୍ଲାର ଗୋପାଳପୁର ଗ୍ରାମ ଟସର ରେଶମ ବସ୍ତ୍ର ପାଇଁ ପ୍ରସିଦ୍ଧ । ଏହି ହସ୍ତତନ୍ତ କଳା ୨୦୦୯ରେ ଭାରତ ସରକାରଙ୍କ ଅଧିନରେ ଭାରତୀୟ ଭୌଗଳିକ ସଂକେତ ଭାବେ ଚିହ୍ନଟ ହୋଇଥିଲା । ଟସର ବସ୍ତ୍ର ମଧ୍ୟ ଧୋତି, ଯୋଡ଼ା, ଶାଲ, ସ୍କାର୍ଫ ଏବଂ ଶାଢୀ ଆଦି ରୂପରେ ଦେଖିବାକୁ ମିଳେ।
ପ୍ରସ୍ତୁତି…
ଛାଞ୍ଚରେ ସୁତା ତିଆରି ହୁଏ । ଏଥିଲାଗି ମହିଳାମାନେ ଅଧିକାଂଶ ନିୟୋଜିତ ଥାନ୍ତି । ମହିଳାମାନେ ସୁତା ରିଲିଂରେ ସହଯୋଗ କରିଥାନ୍ତି । ବୁଣାକାରୀ ଡାହାଣ ହାତରେ କାଠର ନଟେଇ ଧରି ଏବଂ ଅନ୍ୟ ହାତରେ ସୁତା ଖିଅକୁ ଧରି ଟସର ସୁତାକୁ ରିଲ କରିଥାନ୍ତି । ଏକ ସମାନ ଗତିରେ ବୁଲେଇ ବୁଲେଇ ଏସବୁ ସମ୍ପନ୍ନ କରନ୍ତି । ବାନ୍ଧ କାମ ହାତରେ ହୋଇଥାଏ ତେଣୁ ଏହାର ଦାମ ଅଧିକ ହୋଇଥାଏ । ରିଲିଂମେସିନ ମଧ୍ୟ ବଜାରରେ ଉପଲବ୍ଧ ହେଲାଣି ଯାହା ସମୟ ବଂଚାଇଥାଏ ଏବଂ ଅଧିକ ଉତ୍ପାଦନରେ ସାହାଯ୍ୟ କରିଥାଏ । ପାରମ୍ପରିକ ରୀତିରେ ଚରଖା ସାହାଯ୍ୟରେ ଚଡକି ଚାରିପଟେ ପକାଇ ନଳି ପୁରଣ କରାଯାଏ । ଏବେ ଗାନ୍ଧି ଚରଖା ବଦଳରେ ଧାତବ ଚରଖା(ସାଇକେଲ ଭଳି ଦେଖାଯାଉଥିବା ଏକ ଚରଖା) ବ୍ୟବହୃତ ହେଉଛି ।
କଟ ଶଟଲ ଉପାୟରେ ବୁଣାଯାଇଥାଏ । ଫୋଡ଼ା କୁମ୍ଭ ମଧ୍ୟ ସନ୍ନିବେସିତ ହୋଇଥାଏ । ଏହା ଏକ ସମଯସାପେକ୍ଷ ପ୍ରକ୍ରିୟା ଅଟେ । ଟାଇ ଏବଂ ଡାଇ ଉପରେ ଫୋଡ଼ା କୁମ୍ଭ ଆଧାରରେ ଅଧିକ ଉତ୍ପାଦନ କରିହୁଏ ।
ବ୍ୟବସାୟୀ ସଙ୍ଘ (PWCS), ସ୍ୱୟଂ ସହାୟକ ଗୋଷ୍ଠୀ (SHG), ବୟନିକା (OSHWCS),ସମ୍ବଲପୁରୀ ବସ୍ତ୍ରାଳୟ (SERIFED)ଆଦି ଦେଶୀ ବ୍ୟବସାୟୀଙ୍କ ସହଯୋଗରେ ଭାଗଲପୁର ଚମ୍ପା, କଲିକତା , ଦିଲ୍ଲୀ, ବେଙ୍ଗାଳୁରୁବଜାର ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନୀୟ ବଜାରରେ ବିକ୍ରୟ ହୋଇଥାଏ । ଏହି କ୍ଲଷ୍ଟରରେ ୭୪୫ କରଘାରେ ପାଖାପାଖି ୫୦୦୦ ଲୋକ ଏହି ବ୍ୟବସାୟରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟେଇଥାନ୍ତି ।
Comments are closed.