Latest Odisha News

BREAKING NEWS

ଚେତିଲା ଟାଟା ପାୱାର: ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ଲାଗିଛନ୍ତି ୭,୭୦୦ କର୍ମଚାରୀ

ଭୁବନେଶ୍ୱର: ଅସହ୍ୟ ଖରାତାତିକୁ ବିଜୁଳିକାଟ । ଅତିଷ୍ଠ ହୋଇପଡିଲେଣି ଲୋକେ । ଗତକାଲି ଏହି ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା । ଗତକାଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଦ୍ୟତକାଟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଚେତିଛି ଟାଟା ପାୱାର କମ୍ପାନୀ ।   ଜନ ଅସନ୍ତୋଷ ପରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ନେଇଛି କମ୍ପାନୀ ।

ସୁଚାରୁ ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀପକ୍ଷରୁ ୭ହଜାର ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ କର୍ମଚାରୀମାନଙ୍କୁ ବିଜୁଳି ଖୁଣ୍ଟ, କଣ୍ଡକ୍ଟର ଆଦି ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ସେତିକିନୁହେଁ, ପୁନରୁଦ୍ଧାର କାମର ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି । କାଳବୈଶାଖୀ ପ୍ରଭାବରେ ଯେଉଁସ୍ଥାନରେ ବିଦ୍ୟୁତ ସେବା ବ୍ୟାହତ ହେଉଛି ସେଠାରେ ତୁରନ୍ତ ମରାମତି କାମ କରିବା ପାଇଁ ତାଗିଦ କରାଯାଇଛି । ଏ ନେଇ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ବୈଠକରେ କମ୍ପାନୀର ସିଇଓ   ତଥ୍ୟ ପ୍ରଦାନ କରିଛନ୍ତି ।

କମ୍ପାନୀ ପକ୍ଷରୁ କୁହାଯାଇଛି,  ଯେଉଁଠି କାଳେବୖଶାଖୀରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ସେଠାରେ  ପୁନରୁଦ୍ଧାର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି।  ସୂଚନାଥାଉ କି, ଗତକାଲି ବାରମ୍ବାର ବିଜୁଳିକାଟକୁ ନେଇ ତୀବ୍ର ବିରୋଧ କରିଥିଲେ ବିଭିନ୍ନ ରାଜନୈତିକ ଦଳ । ଛାତ୍ର କଂଗ୍ରେସର  ସଙ୍ଗଠନର ସଦସ୍ୟ ଗତକାଲି ସକାଳେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟମାଟୋମାଡ କରିବା ସହ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ଏହାପରେ ସନ୍ଧ୍ୟାରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ବିଜେପି ପକ୍ଷରୁ ଲଣ୍ଠନ ଜାଳିବା ସହ ବିଞ୍ଚଣା ବିଞ୍ଚି ପ୍ରତିବାଦ କରାଯାଇଛି।

Leave A Reply

Your email address will not be published.