Latest Odisha News

BREAKING NEWS

ଶୁଣିଲେନି ମନ୍ତ୍ରୀଙ୍କ ନିବେଦନ, ୟୁନିଫର୍ମ ବର୍ଜନ କରି ଶିକ୍ଷକ-ଶିକ୍ଷୟତ୍ରୀ ପଢାଇଲେ ଅ, ଆ..

ଭୁବନେଶ୍ୱର: ଶୁଣିଲେନି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିବେଦନ। ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ ସଂଘ। ଶୁକ୍ରବାର ନିଜ ନିଜ ସ୍କୁଲରେ ବିନା ୟୁନିଫର୍ମ ବା ଡ୍ରେସକୋଡରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ପଢାଇଲେ ଅ, ଆ..। ୟୁନାଇଟେଡ୍ ପ୍ରାଇମେରୀ ଟିଚର୍ସ ଫେଡେରେସନ୍ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ଆନ୍ଦୋଳନରତ ଶିକ୍ଷକମାନେ ୟୁନିଫର୍ମ ବର୍ଜନ କରି ସାରା ଓଡ଼ିଶାରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବା ଆରମ୍ଭ କରିଛନ୍ତି।

ସଂଘ କହିଛି ଆମର ଚାରିଟି ଦାବି ରହିଛି। ପ୍ରଥମଟି ହେଲା କନିଷ୍ଠ ଶିକ୍ଷକ ଠିକା ପ୍ରଥା ଉଚ୍ଛେଦ କରି ନିୟମିତ ଶିକ୍ଷକ ପଦବୀ ପ୍ରଚଳନ କରିବା। ଦ୍ୱିତୀୟଟି ହେଲା ଚାକିରିରେ ୬ ବର୍ଷ ପୂରଣ କରିସାରିଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ଦରମା ବୃଦ୍ଧି ପ୍ରଦାନ କରିବା। ତୃତୀୟଟି ହେଲା ନୂଆ ପେନସନ ଯୋଜନାକୁ ରଦ୍ଦ କରି ପୁରୁଣା ପେନସନ ଯୋଜନାକୁ ପୁଣି ଲାଗୁ କରିବା। ଆଉ ଚତୁର୍ଥଟି ହେଉଛି କେନ୍ଦ୍ର ସରକାରଙ୍କ ପେ’ ଗ୍ରେଡ୍ ଅନୁସାରେ ଦରମା ଦେବା। ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ସରକାର ଅନୁମତି ଦେଲେ ନାହିଁ। ଯାହା ଅଗଣତାନ୍ତ୍ରିକ. ଯେପର୍ଯ୍ୟନ୍ତ ସରକାର ଆମର ସମସ୍ତ ଦାବିକୁ ବିଚାରକୁ ନ ନେଇଛନ୍ତି ସେଯାଏ ସ୍କୁଲରେ ୟୁନିଫର୍ମ ବର୍ଜନ ଜାରି ରହିବ ବୋଲି କୋରାପୁଟ ଜୟପୁର ବ୍ଲକ୍ ଅନ୍ତର୍ଗତ ଗଙ୍ଗାପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଏହା କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସ୍ଥାନୀୟ ପୋଲିସ ଅନୁମତି ନଦେବା ପରେ ପ୍ରାଥମିକ ଶିକ୍ଷକ ମହାସଙ୍ଘର ଷ୍ଟିୟରିଂ କମିଟି ଏକତ୍ରିତ ହୋଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଦାବି ପୂରଣ ନହେବାଯାଏ ଅନେକ ସରକାରୀ କାର୍ଯ୍ୟରେ ସହଯୋଗ ନକରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ପ୍ରାଥମିକ ଶିକ୍ଷକଙ୍କ କହିବାନୁସାରେ, ସେମାନେ ଡ୍ରେସ୍-କୋଡ୍ ବର୍ଜନ କରିବେ ଏବଂ ସେଯାଏ ନିଜେ କୌଣସି ମଧ୍ୟାହ୍ନ ଭୋଜନ ରୋଷେଇ କରିବେ ନାହିଁ, ସରକାର ସେମାନଙ୍କୁ ୟୁନିଫର୍ମ ବାବଦକୁ ଟଙ୍କାଟିଏ ଦେଉନାହାନ୍ତି କିମ୍ବା ଗତ ୬ ମାସ ମଧ୍ୟରେ ମଧ୍ୟାହ୍ନ ଭୋଜନର ଟଙ୍କା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିନାହିଁ ବୋଲି ଦର୍ଶାଇ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଶିକ୍ଷକମାନେ ଡ୍ରେସକୋର୍ଡ ମାନିବେ ନାହିଁ ବୋଲି କହିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ନକରିବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.