Latest Odisha News

ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ବଢ଼ାଇବାକୁ ଦାବି କଲେ ତିନି ପ୍ରମୁଖ ଦଳର ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଶୁକ୍ରବାର ଦିନ ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ପେନସନ୍ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବଢୁଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକମାନେ ଏହି ଦାବି କରିଛନ୍ତି।

ପ୍ରଶ୍ନକାଳରେ ଉଭୟ ବିରୋଧୀ ଓ ଟ୍ରେଜେରୀ ବେଞ୍ଚର ସଦସ୍ୟମାନେ ପେନସନ ବୃଦ୍ଧି କରି ମାସିକ ସର୍ବନିମ୍ନ ୧ ହଜାର ଟଙ୍କା କରିବାକୁ ଦାବି କରିଥିଲେ। ୨୦୨୩-୨୪ ପାଇଁ ୨.୩୦ ଲକ୍ଷ କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କରାଯାଇଛି। ଯଦି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାକୁ ମାସିକ ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିପାରିବୁ ନାହିଁ, ତେବେ ଏତେ ବଡ଼ ବଜେଟ୍ ଉପସ୍ଥାପନ କରିବାର କୌଣସି ମୂଲ୍ୟ ନାହିଁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି। ସେହିପରି ବୃଦ୍ଧ ଓ ଭିନ୍ନକ୍ଷମ ପେନସନଧାରୀଙ୍କୁ ସେମାନଙ୍କ ଘରେ ଯାଇ ପେନସନ ଯୋଗାଇଦେବା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ସେପଟେ ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରିବାକୁ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଓ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି। ଦୀର୍ଘ ଦିନ ଧରି ପେନସନ ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ମଧ୍ୟ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶାସକ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ଅମର ପ୍ରସାଦ ଶତପଥୀ ମଧ୍ୟ ପେନସନ ବୃଦ୍ଧି ଦାବିକୁ ସମର୍ଥନ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ଉତ୍ତରରେ କହିଛନ୍ତି, ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ।

Leave A Reply

Your email address will not be published.