Latest Odisha News

BREAKING NEWS

ଆଇଆରସିଟିସି ଘୋଟାଲା: କୋର୍ଟରେ ହାଜର ହେବେ ତେଜସ୍ୱୀ, ଖାରଜ ହେବ କି ଜାମିନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଆରସିଟିସି ଘୋଟାଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ଦିଲ୍ଲୀ କୋର୍ଟରେ ହାଜର ହେବେ। ଏହି ସମୟରେ ଯଦି ତେଜାଶ୍ୱୀଙ୍କ ଜାମିନ ବାତିଲ ହୁଏ, ତେବେ ସେ ଜେଲ ଯିବାର ସମ୍ଭାବନା ରହିଛି। ସେପଟେ ସିବିଆଇ ତାଙ୍କ ଜାମିନ ବାତିଲ କରିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଏହାପୂର୍ବରୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ତେଜସ୍ୱୀଙ୍କୁ ସିବିଆଇର ଆବେଦନ ଉପରେ ଜବାବ ଦେବାକୁ ସମୟ ଦେଇଥିଲେ ଏବଂ ତାଙ୍କୁ ଅକ୍ଟୋବର ୧୮ ରେ କୋର୍ଟରେ ହାଜର ହେବାକୁ କହିଥିଲେ।

ଆଜି କୋର୍ଟରେ ଶୁଣାଣି ପାଇଁ ତେଜସ୍ୱୀ ଯାଦବ ସୋମବାର ପାଟନାରୁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ପାଟନା ବିମାନବନ୍ଦରରେ ସେ କହିଥିଲେ ଯେ ଆଇନ ଏବଂ କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ କୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିବେ ଏବଂ ନିଶ୍ଚିତ ଭାବରେ ନ୍ୟାୟ ପାଇବେ।

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ସମସ୍ତ ବିରୋଧୀ ଦଳକୁ କେନ୍ଦ୍ରର ବିଜେପି ସରକାର ଧ୍ୱଂସ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେପର୍ଯ୍ୟନ୍ତ କେନ୍ଦ୍ରରେ ମୋଦୀ ସରକାର ଅଛନ୍ତି ସେ ପର୍ଯ୍ୟନ୍ତ ବିରୋଧୀ ଦଳମାନେ ଏହିପରି ହଇରାଣ ହେବେ। ଆଇଆରସିଟିସି ଘୋଟାଲା ମାମଲାରେ ତେଜସ୍ୱୀ ଯାଦବ ବର୍ତ୍ତମାନ ସମୟରେ ଜାମିନରେ ଅଛନ୍ତି ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯାଦବ ସିବିଆଇ ଅଧିକାରୀଙ୍କୁ ଖୁଲମଖୁଲା ଧମକ ଦେଇଥିଲେ। ଏହାପରେ ସିବିଆଇ କହିଥିଲା ଯେ ତେଜସ୍ୱୀ ବର୍ତ୍ତମାନ ସମୟରେ ପ୍ରଭାବଶାଳୀ ପଦରେ ଅଛନ୍ତି। ଏପରିସ୍ଥିତିରେ ସେ ତଦନ୍ତକୁ ପ୍ରଭାବିତ କରିପାରନ୍ତି। ତେଣୁ ତାଙ୍କ ଜାମିନ ବାତିଲ କରାଯିବା ଉଚିତ୍ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.