Latest Odisha News

ପୋଲିସ ହେପାଜତରେ ତେଲଙ୍ଗାନା ବିଜେପି ମୁଖ୍ୟ, ପ୍ରତିଶୋଧ ନେଉଛି କି ବିଆରଏସ୍ ?

ହାଇଦ୍ରାବାଦ: ଦେଶରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରି ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ବିଜେପି ରେଡ୍ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ତେଲଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ରାତିରୁ ଉଠାଇ ନେଇଛି ପୋଲିସ । ତେବେ କାହିଁକି ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ଉଠାଇ ନେଇ ଗିରଫ କଲା ସେନେଇ କୌଣସି ସୂଚନା ନଥିବା କହିଛନ୍ତି ବିଜେପି ନେତା ।

କରିମନଗରରୁ ସାଂସଦ ଅଛନ୍ତି ବନ୍ଦୀ କୁମାର । ପୋଲିସ ବିନା କୌଣସି ସୂଚନା ଓ କାରଣ ନ ଦର୍ଶାଇ ମଙ୍ଗଳବାର ରାତି ପ୍ରାୟ ୧୧ଟାରୁ ତାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଛି । ତେବେ ବନ୍ଦୀ କୁମାରଙ୍କୁ ପୋଲିସ କେଉଁଠି, କିଭଳି ରଖିଛି ସେ ନେଇ ବିଜେପି ନେତାଙ୍କ ପାଖରେ ଖବର ନାହିଁ । ଗିରଫଦାରୀକୁ ବିଜେପି ବେଆଇନ୍ କହିବା ସହ ବୁଧବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ।

ଏତଲା ଅନୁସାରେ, ବିଜେପି ସାଂସଦ ବନ୍ଦୀ କୁମାରଙ୍କୁ ପୋଲିସ ମାଧ୍ୟମିକ ଶିକ୍ଷା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ କରିଛି । ତେବେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଓ ରାଜନୈତିକ ବୋଲି କହିଛନ୍ତି ବିଜେପି ନେତା ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ଗସ୍ତରେ ଆସୁଥିବା ବେଳେ ତା’ ପୂର୍ବରୁ ବିଆରଏସ୍ ପ୍ରତିକ୍ରିୟାଶୀଳ ହୋଇଛି ବୋଲି ଚର୍ଚ୍ଚା ହେଉଛି । ବିଜେପି ନେତା କହିଛନ୍ତି, ରାଜ୍ୟ ବିଜେପି ମୁଖ୍ୟଙ୍କୁ ଗିରଫ କରି କେସିଆର୍ କିଛି ଠିକ୍ କରି ନାହାଁନ୍ତି । ବନ୍ଦୀ କୁମାରଙ୍କ ଗିରଫଦାରୀ ପ୍ରତିବାଦରେ ଶତାଧିକ ବିଜେପି କର୍ମୀ ତେଲଙ୍ଗାନାର ବିଭିନ୍ନ ପୋଲିସ ଥାନା ଆଗରେ ପ୍ରତିବାଦ କରିଛନ୍ତି ।

ବିଆରଏସ୍ ଓ ମୁଖ୍ୟମନ୍ତ୍ରୀ କେସିଆର୍ କ୍ଷମତାର ଦୂରୁପଯୋଗ କରିଥିବା ଅଭିଯୋଗ କରିଛି ବିଜେପି । ସୂଚନା ଯୋଗ୍ୟ, ଗତ ମାସରେ ଦିଲ୍ଲୀ ମଦ ନୀତି ମାମଲାକୁ ନେଇ ବିଆରଏସ୍ ସାଂସଦ ତଥା କେସିଆରଙ୍କ ଝିଅ କେ. କବିତାଙ୍କୁ ଉଭୟ ଇଡି ଓ ସିବିଆଇ ଜେରା କରିଥିଲେ । ଏବେ ଚର୍ଚ୍ଚା ହେଉଛି ତେଲଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ଦ୍ୱାରା ଗିରଫ କରି ବିଆରଏସ୍ କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉର ପ୍ରତିଶୋଧ ନେଉଛି ।

Leave A Reply

Your email address will not be published.