Latest Odisha News

BREAKING NEWS

ବିରୋଧୀଙ୍କ ଠାରୁ ଦୁରେଇଲେ କେସିଆର, ମୋଦିଙ୍କ ସହ ବନ୍ଧୁ ବାନ୍ଧିଲେ!

ଭୁବନେଶ୍ୱର: ବଦଳୁଛି ବିରୋଧୀଙ୍କ ଏକତାର ସମୀକରଣ। ପାଟନାରେ ବିରୋଧୀ ଏକାଠି ହେବା ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରମୁଖ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।

ଆସନ୍ତା ୨୩ ତାରିଖରେ ବିରୋଧୀ ଏକ ହେବା ସହ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବଡ଼ ପ୍ରସ୍ତୁତି ଚାଲିଥିବା ବେଳେ ସେପଟେ ବିରୋଧୀ ମଞ୍ଚର ପ୍ରମୁଖ ବିରୋଧୀ ନିଜ ନିଜ ଭିତରେ ଲଢେଇ ଆରମ୍ଭ କରିସାରିଲେଣି। ଏହି କ୍ରମରେ ତେଲେଙ୍ଗାନାରେ କ୍ଷମତାରେ ଥିବା କେସିଆରଙ୍କ ବିଆରଏସ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି।

ବିରୋଧୀ ମଞ୍ଚର ସବୁଠୁ ବଡ଼ ଦଳ କଂଗ୍ରେସକୁ କେସିଆରଙ୍କ ବିଆରଏସ ଟାର୍ଗେଟ କରିବା ଆରମ୍ଭ କରିଛି। ଖାଲି ସେତିକି ନୁହେଁ କଂଗ୍ରେସ ପ୍ରତି କଠୋର ମନୋଭାବ ପୋଷଣ କରୁଥିବା ବିଆରଏସ ବିରୋଧୀଙ୍କ ମୁଖ୍ୟ ଶତ୍ରୁ କୁହାଯାଉଥିବା ବିଜେପି ପ୍ରତି ନରମ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନରେ ଗତ ଏକ ସପ୍ତାହ ମଧ୍ୟରେ ଆୟୋଜିତ ତିନୋଟି ସାଧାରଣ ସଭାରେ ବିଆରଏସ କଂଗ୍ରେସ ବିରୋଧରେ ବର୍ଷୁଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଉ ଅଧିକ ଦିନ ବାକି ନାହିଁ। ସେପଟେ କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଆରଏସ ଭୟଭୀତ ହୋଇଥିବା କୁହାଯାଉଛି।

ତେଲେଙ୍ଗାନାରେ କଂଗ୍ରେସ ତାଙ୍କୁ ହରାଇଦେଇପାରେ ବୋଲି କେସିଆର ଅନୁମାନ କରୁଥିବା କଂଗ୍ରେସ ପକ୍ଷରୁ କୁହାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି କେସିଆର କଂଗ୍ରେସ ଉପରେ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି।

ଅପରପକ୍ଷରେ ବିଆରଏସ ବିଜେପି ଉପରେ ସେଭଳି ଆକ୍ରମଣ କରୁ ନ ଥିବା ଦେଖିବକୁ ମିଳୁଛି। ତେଲେଙ୍ଗାନାର ନିର୍ମଳ, ନାଗରକୁନୁଲ, ଗଡ଼ୱାଲରେ ଆୟୋଜିତ ସାଧାରଣ ସଭାରେ କେସିଆର କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି।

ତେଣୁ ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କେସିଆର ନିଜ ଷ୍ଟ୍ରାଟେଜିରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ପୂର୍ବରୁ କେସିଆର ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସକୁ ସମୁଦ୍ରରେ ଫୋପାଡି ଦେବାକୁ ସାଧାରଣ ସଭାରେ କହୁଛନ୍ତି।

ତେଲେଙ୍ଗାନାରେ ବିଜେପିର ସଂଗଠନ ସେତେ ସୁଦୃଢ଼ ନ ଥିବା ବେଳେ କଂଗ୍ରେସର ରାଜ୍ୟବ୍ୟାପୀ ସଂଗଠନ ଥିବା କଂଗ୍ରେସ ପକ୍ଷରୁ କୁହାଯାଉଛି। ସେପଟେ ତେଲେଙ୍ଗାନାରେ ବିଜେପି ମଧ୍ୟରେ ଅନ୍ତର୍ଦ୍ୱନ୍ଦ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଚର୍ଚ୍ଚା ହେଉଛି।

କିନ୍ତୁ ୨୦୧୯ ନିର୍ବାଚନରେ ତେଲେଙ୍ଗାନାରେ ୪ ଟି ଲୋକସଭା ସିଟ ଜିତିବା ସହ ଦୁଇଟି ବିଧାନସଭା ଉପନିର୍ବାଚନରେ ବିଜୟ ବିଜେପିକୁ ତେଲେଙ୍ଗାନାରେ ଶକ୍ତ କରାଇଛି।

ସେପଟେ କେସିଆର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ବନ୍ଧୁ କହି ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି। ମହାରାଷ୍ଟ୍ର ନାଗପୁର ଠାରେ ଏ କଥା କହି ବିରୋଧୀ ଏକତାକୁ କେସିଆର ଶକ୍ତ ଧକ୍କା ଦେଇଥିବା ଆଲୋଚନା ହେଉଛି।

ତେଣୁ ଆସନ୍ତା ୨୩ ତାରିଖରେ ବିରୋଧୀ ଏକତା ବୈଠକ ପୂର୍ବରୁ କେସିଆରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.