Latest Odisha News

BREAKING NEWS

ଆସୁଛି ଗ୍ରୀଷ୍ମପ୍ରବାହ: ଡହ ଡହ ଖରାରେ ସିଝିବ ଓଡିଶା, ୪୦ ଡିଗ୍ରୀ ପାର୍ ହୋଇପାରେ ତାପମାତ୍ର

ଭୁବନେଶ୍ବର: ରାଜ୍ୟକୁ ମାଡି ଆସୁଛି ଗ୍ରୀଷ୍ମ ପ୍ରବାହ । କାଲିଠୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ । କଲବଲ ହେବେ ରାଜ୍ୟବାସୀ । ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସହ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଦିନରେ ଅତ୍ୟଧିକ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।

ଏପ୍ରିଲ ୨ରୁ ୬ ତାରିଖ ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ପାର୍ କରିପାରେ ତାତି । ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠୁ ଅଧିକ ରହିପାରେ । ଏଥିପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଦିନ ସହ ଅସମ୍ଭାଳ କରିବ ରାତିର ତାତି । ରାତି ତାପମାତ୍ରା ବୃଦ୍ଧି ପାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ବୋଲି ପାଣିପାଗ ବିଜ୍ଞାନି ଉମାଶଙ୍କର ଦାସ କହିଛନ୍ତି । ଗରମ ପାଇଁ ସନଷ୍ଟ୍ରୋକ୍ ଓ ଡାଇରିଆ ବ୍ୟାପୀବାର ଆଶଙ୍କା ଥିବାରୁ ଟ୍ୱିଟ୍ କରି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଅଗ୍ନିକାଣ୍ଡ ଘଟିଥାଏ ସେନେଇ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି ଅଧିକାଂଶ ସହରରେ ହାଲୁକା ବର୍ଷା ହୋଇଥିଲା । ୭ ତାରିଖ ବେଳକୁ ପୁଣି ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି ।

Leave A Reply

Your email address will not be published.