Latest Odisha News

BREAKING NEWS

ପ୍ରଳୟଙ୍କରୀ ଫନୀ ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ଅବସ୍ଥା

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସଙ୍ଗୀନ । ପ୍ରଳୟଙ୍କରୀ ବାତ୍ୟା ଫନୀ ଚାଲିଯାଇଛି ମାତ୍ର, ରାଜଧାନୀର ରାଜରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ଘର ବାତ୍ୟାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ତ କେଉଁଠି ଘରର ଅର୍ଧାଧିକ ଭାଗ ନଷ୍ଟ ହୋଇଛି । ସହରରେ ଥିବା ଅଧିକାଂଶ ବିଦ୍ୟୁତ ଖୁଣ୍ଟ କେଉଁଠି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ତ କେଉଁଠି ପବନରେ ଶୋଇପଡ଼ିଛି । ବିକ୍ଷିପ୍ତ ହୋଇ ରାସ୍ତାରେ ଏଣେତେଣ ପଡ଼ି ରହିଛି ମାଳ ମାଳ ବିଦ୍ୟୁତ ତାର ସାଙ୍ଗକୁ ବଡ଼ ବଡ଼ ଗଛ । ବାତ୍ୟାର ୪୦ ଘଣ୍ଟା ପରେ ମଧ୍ୟ ଏଯାଏଁ ଅନେକ ଘରେ ଚୁଲି ଜଳିନାହିଁ । ଅଧିକାଂଶ ସ୍ଥାନରେ ନିକଟରେ ବିଦ୍ୟୁତ ସଂଯୋଗ ହେବାର ଅନିଶ୍ଚିତତା ଯୋଗୁଁ ପାଣି ତଥା ଆଲୋକ ସୁବିଧା ଜଲଦି ଆସିବାର ସମ୍ଭାବନା ମଧ୍ୟ କମ୍ ।

କେବଳ ଭୁବନେଶ୍ୱର ସହରରେ ୧୦ ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିବାର ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଶକ୍ତି ସଚିବ ହେମନ୍ତ ଶର୍ମା । ତେବେ ବାତ୍ୟା ଫନି ଯୋଗୁଁ ସମଗ୍ର ରାଜ୍ୟରେ ୩୦ ଲକ୍ଷରୁ ଅଧିକ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିବାର ସେ ସୂଚନା ପ୍ରଦାନ କରିଛନ୍ତି ।

ବିଦ୍ୟୁତ ସରବରାହ ଅଚଳ ହୋଇଯାଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ, ଇଣ୍ଟରନେଟ, ଆଲୋକ ତଥା ଗଣମାଧ୍ୟମ ଅତି ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଖୁବ ଶିଘ୍ର ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ପ୍ରଭାବିତ ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ପୁନର୍ବାର ଚାଲୁ କରିବାକୁ ଉଦ୍ୟମ ଜାରି ରହିଛି ।

ସରକାରଙ୍କ ଓଡ୍ରାଫ ଟିମ, ଏନଡ଼ିଆରଏଫ, ଦମକଳ ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାମାନଙ୍କରେ ରାସ୍ତା ଅବରୋଧ ହୋଇଥିବା ବିଭିନ୍ନ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ସାଙ୍ଗକୁ ଗଛ କଟାଯାଇ ରାସ୍ତା ସଫା କାର୍ଯ୍ୟ ଚାଲିଛି । ଏଥିଲାଗି ଓଡ୍ରାଫ, ଏନଡ଼ିଆରଏଫ ଏବଂ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି କର୍ମଚାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷ ।

Leave A Reply

Your email address will not be published.