Latest Odisha News

ନବଦୁର୍ଗା: କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି ମା’

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"

ଭୁବନେଶ୍ଵର: ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହେବ । ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । କାରଣ ନବରାତ୍ର ଉପାସନା ହେଉଛି ସାଧନାର ଏକ ଧାରା ।

କୁଷ୍ମାଣ୍ଡା

ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ । ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପରେ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ

https://odishasambad.in/the-third-day-of-navratri-is-dedicated-to-goddess-chandraghanta/

ସୃଷ୍ଟିର ଆଦି ସ୍ୱରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ୱରୁପକୁ ପ୍ରଜ୍ୱଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କୀରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ୱଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ଙ୍କ କିରଣ ଛାଇ ହୋଇଛି । ଏହାସହିତ ସେ ଅଷ୍ଟଭୁଜା ଦେବୀ ନାମରେ ପ୍ରସିଦ୍ଧ । ତାଙ୍କ ହସ୍ତରେ ପଦ୍ମ, କମଣ୍ଡଳ, ଅମୃତପୂର୍ଣ୍ଣ କଳଶ, ଧନୁଷ, ବାଣ, ଚକ୍ର, ଗଦା ଏବଂ ଜପମାଳା ଧାରଣ କରିଥାନ୍ତି । ସାରା ଜଗତକୁ ସିଦ୍ଧି ଏବଂ ନିଧି ପ୍ରଦାନ କରୁଥିବା ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା ।

ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ। ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କ‌ଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁ ତାଙ୍କର ଏହି ଲୋକପ୍ରିୟ କୁଷ୍ମାଣ୍ଡା ନାମ ହୋଇଛି ।

ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହେଲେ ।

 

Comments are closed.