Latest Odisha News

BREAKING NEWS

ଆଜିଠୁ କମ୍ପିବ ଗୃହ, ଫେବୃଆରୀ ୮ରେ ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ନିର୍ବାଚନକୁ ଆଉ କିଛିଦିନ ବାକି ଥିବାରୁ ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ ଆସନ୍ତା ୮ତାରିଖରେ କାମଚଳା ବଜେଟ ଆଗତ କରିବେ । ସେପଟେ ଏହା ସ୍ଵଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ସରକାରଙ୍କୁ ଘେରିବା ବିରୋଧି କରିଛନ୍ତି ରଣନୀତି । ଅନ୍ୟପଟେ ସୁରୁଖୁରୁରେ ଗୃହ କାର୍ଯ୍ୟ ଶେଷ କରିବାକୁ ବାଚସ୍ପତିଙ୍କ ଅଧକ୍ଷତାରେ ଗତକାଲି ସରିଛି ସର୍ବଦଳୀୟ ବୈଠକ ।

ସେପଟେ ଗୃହକାର୍ଯ୍ୟ ପୂର୍ବରୁ ବିଜେଡି ବିଧାୟକ ଦଳର ରଣନୀତି ବୈଠକ ଆଜି ସକାଳ ୧୦ଟା ୧୫ ମିନିଟରେ ଅନୁଷ୍ଠିତ ହେବ । ବୈଠକରେ ଦଳର ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଆଜି ପୂର୍ବାହ୍ନରେ ବିଜେପି ବିଧାୟକ ଦଳର ମଧ୍ୟ ବୈଠକ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି ବଜେଟ୍ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ହେବା ନେଇ ଅନୁମାନ କରାଯାଉଛି ।

ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଗତକାଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ୨୮ ପ୍ଲାଟୁନ ଫୋର୍ସ ମୁତୟନ ସହ ସୁରକ୍ଷା ପରିଚାଳନା ପାଇ ୬ ଜଣ ଅତିରିକ୍ତ ଡିସିପିଙ୍କ ସହ ୨୭ ଜଣ ଇନ୍ସପେକ୍ଟର ଓ ଏଏସଆଇ ଦାୟିତ୍ୱରେ ରହିଛନ୍ତି ।

Leave A Reply

Your email address will not be published.