Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି । ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ ଭାବରେ ବିଚାର କରାଯାଏ । ମୁଁ ଆଗରୁ କହିଛି ମାତୃ ଶକ୍ତିର ଉପାସନା ମନ୍ତ୍ର, ତନ୍ତ୍ର ତଥା ଯନ୍ତ୍ର ସାହାଯ୍ୟରେ କରାଯାଏ । ଆଜିର ଦିନରେ ମନ୍ତ୍ର ଓ ତନ୍ତ୍ରର ବିଶେଷ ପ୍ରଭାବ ଦେଖିବାକୁ ମିଳେ । ମନ୍ତ୍ର କଥା ଅଳ୍ପ ବହୁତରେ ସମସ୍ତେ ଜାଣନ୍ତି, କିନ୍ତୁ ତନ୍ତ୍ର କଥା କେବଳ ଜଣେ ସାଧକ ହିଁ ଜାଣିଥାନ୍ତି । ଆମ ସାଧାରଣରେ ତନ୍ତ୍ର ପ୍ରତି ଏକ ପ୍ରଛନ୍ନ ଭୟ ଭାବ ଥାଏ । କିନ୍ତୁ ଶାସ୍ତ୍ର କହେ ଯାହା ସାଧକକୁ ତ୍ରାଣକରେ ବା ରକ୍ଷା କରେ ତାହା ତନ୍ତ୍ର “ତନ୍ୟତେ ବିସ୍ତାଯ୍ୟତେ ଜ୍ଞାନମନେନ ଇତି ତନ୍ତ୍ରମ । “ଆଉ ଏକ ସିଦ୍ଧାନ୍ତ , ଶୈବ ସିଦ୍ଧାନ୍ତ ଅନୁସାରେ : “ତନୋତି ବିପୁଳlନଥ୍ରାନ ତନ୍ତ୍ର ମନ୍ତ୍ର ସମନ୍ୱିତାନ, ତ୍ରାଣଂ ଚ କୁରୁତେ ଯସ୍ମାତ ତନ୍ତ୍ର ଇତ୍ୟାଭିଧିୟତେ “(କାମିକ ଆଗମ ) । ଏଠାରେ ମଧ୍ୟ ସାଧକର ଉନ୍ନତି ସାଧିତ ହୁଏ । କାରଣ ତତ୍ତ୍ୱ ଓ ମନ୍ତ୍ର ସମନ୍ୱିତ ଏହି ତନ୍ତ୍ରଶାସ୍ତ୍ର ଦ୍ୱାରା ଜ୍ଞାନର ବିକାଶ ସାଧିତ ହୁଏ ।

ପରଂବ୍ରହ୍ମଙ୍କୁ ନିରାକାର ଓ ସୁକ୍ଷ୍ମ ବିଚାର କଲେ ତାଙ୍କର ସାକାର ଓ ସ୍ଥୁଳ ସତ୍ତା ହିଁ ଶକ୍ତି ସ୍ୱରୂପ । ଏହି ଶକ୍ତି ହିଁ ସୃଷ୍ଟି ଓ ପାଳନର ମୁଖ୍ୟ ଭାବରେ ବିବେଚିତ ହୁଅନ୍ତି । ନିରାକାର ଉପାସନା କେବଳ ଭକ୍ତି ଦ୍ୱାରା ସମ୍ଭବ । କିନ୍ତୁ ସଂସାରର ସ୍ପନ୍ଦନ ପ୍ରାଣ ଶକ୍ତିର ଉପାସନା ପାଇଁ ଉଭୟ ମନ୍ତ୍ର ଓ ତନ୍ତ୍ର ପ୍ରୟୋଗ ଏକାନ୍ତ ଆବଶ୍ୟକ । ତନ୍ତ୍ର ଏକ ଭୟପ୍ରଦ ଶାସ୍ତ୍ର ନୁହେଁ ଅବଶ୍ୟ ବିଭିନ୍ନ ଭାବରେ ଏହାର ବ୍ୟବହାର କରାଯାଉଥିବାରୁ ମଣିଷ ମନରେ ଶଙ୍କା ଓ ଭୟ ଜାତ ହୁଏ । ମୁଖ୍ୟତଃ ତନ୍ତ୍ର ଦୁଇଟି ଭେଦରେ ପ୍ରୟୋଗ ହୁଏ କୌଳାଚାର ଓ ସମୟାଚାର । ଶକ୍ତିଙ୍କର ଦୁଇଟି କୂଳ ମଧ୍ୟ ବିବେଚନା କରାଯାଏ ଯଥା କାଳୀକୂଳ ଓ ଶ୍ରୀକୁଳ ଏଥିରୁ ଆପଣଙ୍କ ଅନୁମାନ ନିଶ୍ଚୟ ହେଉଥିବ ଯେ ଯେଉଁମାନେ କାଳୀ କୂଳକୁ ନିଜର ମୁଖ୍ୟ ଉପାସିତ ଶକ୍ତି ରୂପେ ଗ୍ରହଣ କରିଛନ୍ତି ସେମାନେ କୁଳାଚାରି ଓ ଯେଉଁମାନେ ଶ୍ରୀକୁଳକୁ ନିଜ ଉପାସିତ ଶକ୍ତି ରୂପେ ବିବେଚନା କରିଛନ୍ତି ସମୟାଚାରି । କାଳୀ କୂଳ ପାଇଁ ତନ୍ତ୍ରର ଉଗ୍ର ସାଧନା ଓ ଶ୍ରୀକୁଳ ପାଇଁ ତନ୍ତ୍ରରେ ନମ୍ର ସାଧନା ପ୍ରଯୁଜ୍ୟ । ଏମିତି ବି ଅନେକ ସାଧକ ଅଛନ୍ତି ଯାହାଙ୍କ ଅନ୍ତରରେ ଶାକ୍ତ ଚିନ୍ତନ, ବାହ୍ୟରେ ଶୈବ ଚିନ୍ତନ ଓ ସର୍ବସାଧାରଣ ଚିନ୍ତନ ସମୟରେ ବୈଷ୍ଣବ ମତ ପ୍ରକ୍ଷେପଣ କରିଥାନ୍ତି ।

 

” ଅନ୍ତଃ କୌଳେ ବହିଃ ଶୈବାଃ ସଭାମଧ୍ୟେ ଚ ବୈଷ୍ଣବାଃ, କୌଳଂ ସୁଗୋପୟେତ ବେଦି ନାରିକେଳ ଫଳାମ୍ବୁବତ(କୁଳାଣ୍ଣବ ତନ୍ତ୍ର ) । ତେଣୁ ସମସ୍ତ ସିଦ୍ଧି ପ୍ରଦାନ କାରି, କାମନା ପୂର୍ଣ୍ଣକାରି, ମୁକ୍ତି ପ୍ରଦାନକାରି ତନ୍ତ୍ରକୁ ଆମେ ଯୋଗମାୟା ଶକ୍ତି ଉପାସନାର ଅଙ୍ଗ ବୋଲି ବିବେଚନା କରିବା । ସୃଷ୍ଟିର ସ୍ପନ୍ଦନ ବା ଜୀବନ ହିଁ ଶକ୍ତି ସ୍ୱରୂପିଣୀ ମା ଯୋଗମାୟା । ସେ ଯେଉଁ ରୂପରେ ଆବିର୍ଭୁତା ହୁଅନ୍ତୁ, ଯେଉଁ ରୂପରେ ପୂଜିତ ହୁଅନ୍ତୁ, ସର୍ବଦା ମାତୃ ସ୍ୱରୂପା ଓ କଲ୍ୟାଣକାରି । ତନ୍ତ୍ରର ପଞ୍ଚମକାର ପୂଜା ଅନୁସାରେ ରାତ୍ରିରେ ବଳି ଗ୍ରହଣ କରୁଥିବା ମା କେବେ କାହାର ବିନାଶ ଚାହାନନି ।  ମୁଖ୍ୟତଃ ସୃଷ୍ଟି ଓ ପାଳନ ପାଇଁ ତାଙ୍କର ଏ ସାକାର ରୂପକୁ ଆରାଧନା କରିବା “ଆଦ୍ୟା ଦେବୀ ପରତ୍ପରା ଭଗବତୀ ମାତା କୃପାସାଗରୀ, ବ୍ରହ୍ମାନନ୍ଦ ପ୍ରଦାୟିନୀ ହର ବଧୂ ଷଢଚକ୍ର ଚକ୍ରେଶ୍ୱରୀ, ମାୟା ମୋହମାୟୀ ଜନୋଦୟକlରି ବ୍ରହ୍ମାଣ୍  ଭଣ୍ଡୋଦରି, ତ୍ରାହିମାଂ ବିମଳେ ସଦା ସୁଖକରି ଶ୍ରୀକ୍ଷେତ୍ରେ ରାଜେଶ୍ୱରୀ । “

(ଶ୍ରୀ ଶ୍ରୀ ବିମଳାଷ୍ଟକମ ), ଜୟ ମା ବିମଳା, (ଦ. ତ୍ରୀ. ଉବାଚ )

 

ଜୟ ଜଗନ୍ନାଥ

Leave A Reply

Your email address will not be published.