Latest Odisha News

BREAKING NEWS

ଯମୁନାଜଳରେ ବନ୍ଦୀ ତାଜମହଲ, ଭାଙ୍ଗିଲା ୪୫ବର୍ଷର ରେକର୍ଡ଼

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳରୁ ପାହାଡିଆ ରାଜ୍ୟ ଯାଏ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହେଉଛି । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ନଦୀର ରୂଦ୍ରରୂପ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଅନେକ ସହରରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଜମହଲ ପରିସରରେ ୨ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରେ ଲାଗିଛି ।

ଆଜି ସକାଳୁ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣି ଥରେ ୨୦୬ ମିଟର ଛୁଇଁଛି । ତେବେ ତଳିଆ ଅଞ୍ଚଳବାସୀ ବନ୍ୟା ଆଶ୍ରୟସ୍ଥଳ ଛାଡ଼ି ନଯିବାକୁ ଅପିଲ କରିଛନ୍ତି ଦିଲ୍ଲୀ ସରକାର । ଲୋକ ନିର୍ମାଣ ବିଭାଗ ଓ ଦିଲ୍ଲୀ ମହାନଗର ନିଗମ ଟିମ୍ ସହର ସାରା ସଫେଇ କାର୍ଯ୍ୟ ଚଳାଇଛନ୍ତି । ଆଜି ବି ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦିଲ୍ଲୀ ସମେତ ନୋଏଡା, ଗ୍ରେଟର ନୋଏଡାରେ ବି ସମ୍ଭାବ୍ୟ ବନ୍ୟା ନେଇ ସତର୍କତା ଜାରି କରାଯାଇଛି । ତାଜମହଲ ପଛପାଖେ ନିର୍ମାଣ ହୋଇଥିବା ତାଜ ଭ୍ୟୁ ପଏଣ୍ଟ ପର୍ଯ୍ୟନ୍ତ ଯମୁନା ନଦୀର ଜଳ ପହଂଚିସାରିଛି । ତାଜ୍ ଭ୍ୟୁ ପଏଣ୍ଟ ପର୍ଯ୍ୟନ୍ତ ପାଣି ପହଂଚିବା ପରେ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ସୂଚନା ଜାରି କରାଯାଇଛି । ଏସବୁ ଭିତରେ ତାଜମହଲ ସୁରକ୍ଷାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀମାନେ ନିଜ ନିଜର ଜିନିଷପତ୍ର ନେଇ ଅସ୍ଥାୟୀ ଟେଣ୍ଟକୁ ଚାଲିଯାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯମୁନା ନଦୀର ଜଳସ୍ତର ୧୩ ବର୍ଷ ପୂର୍ବେ ଏହି ସ୍ତରରେ ପହଂଚିଥିଲା । ହେଲେ ଚଳିତ ଥର ଯମୁନା ନଦୀର ଜଳସ୍ତର ବଢିବାରେ ଲାଗିଛି । ଯଦି ଏହିଭଳି ଭାବେ ଜଳସ୍ତର ବୃଦ୍ଧିପାଏ ତେବେ ଯମୁନା ନିକଟରେ ଥିବା ୨୦ ରୁ ଅଧିକ ଗାଁ ଯମୁନା ନଦୀରେ ଲୀନ ହୋଇଯିବ ବୋଲି ଆଶଂକା କରାଯାଉଛି । ୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି ।

Leave A Reply

Your email address will not be published.