ନୂଆପଡ଼ା: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଯୁବକଙ୍କ ସଚେତନତା। ଅସାଧୁ ବ୍ୟକ୍ତିଙ୍କ ହାତରେ ପଡ଼ିବା ପୂର୍ବରୁ ଉଦ୍ଧାର ହେଲା ଏକ ଜୀବନ୍ତ ବଜ୍ରକାପ୍ତା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ଅଧୀନ ଭାଲୁଡୁଙ୍ଗୁରି ଗାଁର ଏକ ଜଳାଶୟ ନିକଟରୁ ବନ ବିଭାଗ ଏହି ବଜ୍ରକାପ୍ତାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଭାଲୁଡୁଙ୍ଗୁରି ଗାଁର କିଛି ସଚେତନ ଯୁବକ ଜଳାଶୟ ନିକଟରେ ଏକ ବଜ୍ରକାପ୍ତାକୁ ଦେଖିଥିଲେ। ବନ୍ୟପ୍ରାଣୀଟି ଅସାଧୁ ବ୍ୟକ୍ତି କିମ୍ବା ବନ୍ୟପ୍ରାଣୀ ଚୋରାଚାଲାଣକାରୀଙ୍କ ହାବୁଡ଼ରେ ପଡ଼ିଯିବା ଆଶଙ୍କା କରି ଯୁବକମାନେ ବିଳମ୍ବ ନକରି ଖଡ଼ିଆଳ ବନ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ରାତିରେ ହିଁ ବନ ବିଭାଗ କର୍ମଚାରୀ ଭାଲୁଡୁଙ୍ଗୁରି ଗାଁରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଖଡ଼ିଆଳ ଆଣିଥିଲେ। ସେଠାରେ ବନ ବିଭାଗ ପକ୍ଷରୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ତାକୁ ସ୍ଥାନୀୟ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ ୩.୩ କିଲୋଗ୍ରାମ ବୋଲି ସୂଚନା ମିଳିଛି। ବନ୍ୟପ୍ରାଣୀ ଶିକାର ଓ ଚୋରାଚାଲାଣ ଭଳି ଘଟଣା ମଧ୍ୟରେ ଭାଲୁଡୁଙ୍ଗୁରି ଗାଁର ଯୁବକମାନଙ୍କ ଏଭଳି ସଚେତନତା ଓ ତତ୍ପରତା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ବନ୍ୟପ୍ରାଣୀକୁ ନିଜର ଦାୟିତ୍ୱ ଭାବି ସୁରକ୍ଷିତ ଭାବେ ବନ ବିଭାଗକୁ ହସ୍ତାନ୍ତର କରିଥିବାରୁ ଯୁବକମାନଙ୍କୁ ଖଡ଼ିଆଳ ରେଞ୍ଜର ଧନ୍ୟବାଦ ଜଣାଇଛନ୍ତି।


Comments are closed.