Latest Odisha News

ମହାନାଟକର ଗୋପନ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’

ମହାପ୍ରଭୁଙ୍କ ମହାନାଟକର ପରବର୍ତ୍ତୀ ଦୃଶ୍ୟ ଆରମ୍ଭ ହୁଏ ଗୁପ୍ତ ଅଲୌକିକ ଲୀଳା ଅଣସର ନାମରେ । ଅଲୌକିକତାରୁ ଲୌକିକତାର ଶ୍ରେଷ୍ଠ ନିଦର୍ଶନ – ଅଣସର । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତା ଜ୍ୱରରେ ପୀଡ଼ିତ ହୁଅନ୍ତି! ଶୁଣାଯାଏ ପୂର୍ବେ ରାଜବୈଦ୍ୟ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ନାଡ଼ି ଦେଖି ଶ୍ରୀଅଙ୍ଗରେ ଉତ୍ତାପ ଅନୁଭବ କରି ଜ୍ୱର ହେଇଥିବା କଥା ଘୋଷଣା କରନ୍ତି । ତାହାର ଉପଚାର ପାଇଁ ବୈଦ୍ୟଙ୍କ ଘରୁ ଦଶମୂଳରେ ପ୍ରସ୍ତୁତ ମୋଦକ ତିଆରି ହୋଇ ଯାଇ ପତି ମହାପାତ୍ରଙ୍କ ଦ୍ୱାରା ଅଭିମନ୍ତ୍ରିତ ହୋଇ ଲାଗିକରାଯାଏ । ତା’ପରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୁଅନ୍ତି । ଏହି ଅବସରରେ ଦଇତା ସେବକମାନଙ୍କ ଦ୍ୱାରା ଶୁଦ୍ଧପୂତ ଭାବରେ ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗରେ ପର୍ଯ୍ୟାୟକ୍ରମେ ଗୁପ୍ତ ସେବା କରାଯାଏ ।

ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନବଶତଃ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ହୋଇଥାଏ । ଦ୍ୱିତୀୟ ଦିବସରେ ଶ୍ରୀଅଙ୍ଗଫିଟା ହୋଇ ଆବଶ୍ୟକୀୟ ଉପଚାର ପରେ ଘଣାଲାଗି ଏବଂ ପରବର୍ତ୍ତୀ ଦିନମାନଙ୍କରେ ବଡ଼ ଓଡ଼ିଆ ମଠରେ ବିଭିନ୍ନ ଜଡ଼ିବୁଟିର ମିଶ୍ରଣରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ ଓ ସୁଦ୍ଧସୁଆରଙ୍କ ଘରେ ପ୍ରସ୍ତୁତ ଖଳି ଇତ୍ୟାଦି ସାହାଯ୍ୟରେ କେତେ ଗୋପନୀୟ ଉପଚାର କରାଯାଏ । ଶେଷରେ ଶ୍ରୀଅଙ୍ଗରୁ ନିସ୍ତୃତ ଖଡ଼ି ପ୍ରସାଦ ଶ୍ରୀନହରକୁ ବିଜେ କରାଯାଏ । ଉକ୍ତ ଗୁପ୍ତସେବା ପାଇଁ ଆବଶ୍ୟକୀୟ ଲୌହ ଉପକରଣ କମାର ସେବକମାନେ ଯୋଗାଇ ଥାଆନ୍ତି ଏବଂ କାଠରେ ତିଆରି ପିଢ଼ା, ରୂଖା ଓ ବଇଠି ଇତ୍ୟାଦି ମହାରଣାମାନେ ତିଆରି କରି ଦେଇଥାଆନ୍ତି ।

 

ରତ୍ନବେଦୀରେ ନିତି ଷୋହଳ ପ୍ରକାର ପୁଷ୍ଫାଳଙ୍କାରରେ ସଜ୍ଜିତ ହୋଇ ବସୁଥିବା ଶୃଙ୍ଗାରପ୍ରିୟଙ୍କ କି ଦୟନୀୟ ଅବସ୍ଥା! ମହାପ୍ରଭୁ ଏହି କାଳରେ ତାଟି ଭିତରେ ଆତ୍ମଗୋପନ କରି ପ୍ରିୟ ତୁଳସୀକୁ ମଧ୍ୟ ବର୍ଜନ କରନ୍ତି । ତାଙ୍କୁ କେବଳ ଶ୍ୱେତ ବର୍ଣ୍ଣର ପୁଷ୍ଫରେ ସନ୍ତୁଷ୍ଟ ହେବାକୁ ପଡ଼ିଥାଏ । ମଣିଷ ବାଧିକି ପଡ଼ିଲେ ଯେପରି ପଥି ଭାବରେ ଲଘୁ ଖାଦ୍ୟ ଖାଇବାକୁ ପଡ଼ିଥାଏ ଠିକ୍ ସେମିତି ଅଣସର ବେଳେ ଶ୍ରୀବିଗ୍ରହମାନଙ୍କୁ ଦୁଧରେ ସରମନ୍ଥା ପଣା, ଛେନା ଚକଟା ଓ କଦଳୀ , ଆମ୍ବ ଓ ପଣସ ଆଦି ଫଳ ଅର୍ପଣ କରାଯାଇଥାଏ । ନିତି ଛପନଭୋଗରେ ଆପ୍ୟାୟିତ ଦାରୁଦିଅଁଙ୍କୁ ଏହି ଅବଧିରେ ପଣା ଓ ଚକଟା ଆଦି ସୀମିତ ଭୋଗରେ
ରଖାଯାଇଥାଏ ।

ଅଣସର ଅବଧିରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳୁନଥିବାରୁ ଶ୍ରୀମନ୍ଦିର ପରିସରରେ ଭକ୍ତଜନଙ୍କ ପଦପାତ କମିଥାଏ । କୌଣସି ପ୍ରକାର ଭଜନ କୀର୍ତ୍ତନ ହରିବୋଲ, ହୁଳହୁଳି, ଘଣ୍ଟ ଘଣ୍ଟି ଇତ୍ୟାଦି ଶବ୍ଦ ଶୁଭେନାହିଁ । ସାଧାରଣ ଦିନମାନଙ୍କ ଭଳି ଗହଳଚହଳ ନଥାଏ । ମହାପ୍ରଭୁଙ୍କ ଏହି ବିଶ୍ରାମ କାଳରେ ବିପୁଳ ନିରବତା ଅବଲମ୍ବନ କରାଯାଇଥାଏ । ଦୈନିକ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତର୍ ଦେଖିବାକୁ ମିଳିଥାଏ । ଅଣସର ଘରେ ଜଳୁଥିବା ଏକ ମାତ୍ର ଦୀପର ଆଲୁଅରେ ଦଇତାମାନଙ୍କୁ ସମସ୍ତ ସେବା କରିବାକୁ ପଡ଼ିଥାଏ ।

ଜଗମୋହନକୁ ବସ୍ତୁତଃ ବାଉଁଶ ତାଟି ବାଡ଼ ସାହାଯ୍ୟରେ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ତାଟିର ଭିତର ପଟେ ଶ୍ରୀବିଗ୍ରହମାନଙ୍କର ଅଣସର ସେବା ଚାଲିବା ବେଳେ ତାଟି ବାହାରେ ଚିତ୍ର ପ୍ରତିମା ରୂପରେ ପଟିଦିଅଁଙ୍କୁ ମହାପ୍ରଭୁଙ୍କ ପ୍ରତିନିଧି ରୂପେ ପୂଜା କରାଯାଏ । ପ୍ରତ୍ୟହ ଦି’ପହର ଧୂପ ଉଠିବା ପରେ ଜୟବବିଜୟ ଦ୍ୱାର ବନ୍ଦ ହୋଇ ସେପଟେ ବେହେରଣ ଦ୍ୱାର ବାଟେ ଦଇତାମାନେ ଅଣସର ଗୃହକୁ ଯାଇ ସେବା କରିଥାଆନ୍ତି । ପୁନଶ୍ଚ ବେହେରଣ ଦ୍ୱାର ବନ୍ଦ ହେଲେ ଏପଟେ ପଟିଦିଅଁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥାଏ ।

ଅପୂର୍ବ ଏହି ତିନି ମୂର୍ତ୍ତି ପଟି ଦିଅଁଙ୍କ ସାଙ୍କେତିକ ରୂପ ଚିତ୍ରଣ । ବର୍ଣ୍ଣ ବିନ୍ୟାସ ତଥା ରୂପ ଅଙ୍କନରେ ଅନେକ ସାମଞ୍ଜସ୍ୟ ରଖୁଥିବା ଏହି ଚିତ୍ରଣକୁ କେଉଁ ଅଭିଜ୍ଞ ଶିଳ୍ପୀ କେଉଁ ଶାସ୍ତ୍ରରେ ପ୍ରଦତ୍ତନିୟମ ଅନୁସାରେ ସଫଳ ଭାବେ ପ୍ରଥମେ ସୃଷ୍ଟି କରିଥିଲେ ତାହା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । କିଏ ପ୍ରଥମ କରି ସେହି ଅରୂପକୁ ରୂପରେ ରୂପାନ୍ତରିତ କରିଥିଲେ ତାହା ବିସ୍ମୟକର । ସନାତନ ଉପାସନା ପଦ୍ଧତିରେ ରୂପ ହେଉଛି ପ୍ରମୁଖ ମାଧ୍ୟମ । ତାହା ମୁରୂଜ ଅଙ୍କିତ ମଣ୍ଡଳ, ତାମ୍ର ପତ୍ରରେ ଖୋଦିତ ଯନ୍ତ୍ର, କାଠ, ପଥର ଖୋଦିତ ବା ଧାତୁ ନିର୍ମିତ ମୂର୍ତ୍ତି ଅଥବା ଶିଳ୍ପୀର ସ୍ୱହସ୍ତ ଅଙ୍କିତ ଚିତ୍ରଣ ମଧ୍ୟ ହୋଇପାରେ । ରତ୍ନ ବେଦୀରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ରହସ୍ୟମୟ ରୂପର ସାଙ୍କେତିକ ଅବତାରଣା ଏହି ପଟିଦିଅଁମାନଙ୍କ ମାଧ୍ୟମରେ ସ୍ୱତଃ ପ୍ରକାଶିତ । ଶ୍ୱେତବର୍ଣ୍ଣ ଦେହଧାରୀ ଶ୍ରୀବଳଭଦ୍ର, ଅନନ୍ତ ବାସୁଦେବ ରୂପରେ, ପୀତ ବର୍ଣ୍ଣ ଦେହଧାରୀ ମା’ ସୁଭଦ୍ରା, ଭୁବନେଶ୍ୱରୀ ରୂପରେ ଏବଂ କୃଷ୍ଣ ବର୍ଣ୍ଣ ଦେହଧାରୀ ଶ୍ରୀଜଗନ୍ନାଥ , ଅନନ୍ତ ନାରାୟଣ ରୂପରେ ଉପବେଶନ ମୁଦ୍ରାରେ ହସ୍ତମାନଙ୍କରେ ସଠିକ୍ ଆୟୁଧମାନ ଧରି, ଗଳାରେ ପଦ୍ମହାର ଶୋଭିତ ରୂପ ଚିତ୍ରଣରେ ପ୍ରକଟିତ ହୋଇ ପୂଜା ପାଆନ୍ତି । ପ୍ରୋକ୍ତ ପଟିଦିଅଁମାନେ ଅଣସର ଅବଧିରେ ତିନି ବିଗ୍ରହଙ୍କ ପ୍ରତିନିଧି ଭାବରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ପଟିଦିଅଁମାନଙ୍କ ପାଖରେ ସମସ୍ତ ଦୈନନ୍ଦିନ ନୀତିକାନ୍ତି ହୋଇଥାଏ । ଭୋଗ
ନୈବେଦ୍ୟାଦି ଅର୍ପଣ କରାଯାଇଥାଏ । ପୁନଶ୍ଚ ଲୌକିକତା ମଧ୍ୟରେ ଅଲୌକିକତାର କଥା କୁହାଯାଇପାରେ ।

ଜଗମୋହନ ଭିତରେ ଚାରିକୋଣରେ ରହିଛି ଅଷ୍ଟସଖୀଙ୍କ ମୂର୍ତ୍ତି । ଏହି ସୁଦୃଶ୍ୟ ନାରୀ ମୂର୍ତ୍ତିମାନଙ୍କୁ ଦ୍ୱାପର ଯୁଗରେ ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟମହିଷୀ ଭାବରେ ଗ୍ରହଣ କରାଯାଇଛି । ବିଭିନ୍ନ ରୀତିନୀତିରେ ଏମାନଙ୍କୁ ବରଣ କରାଯାଏ ଓ ପାଣି, ଫୁଲ ଓ ଭୋଗ ମଧ୍ୟ ଅର୍ପଣ କରାଯାଏ । ଅଣସର କାଳରେ ମହାପ୍ରଭୁ ଅସୁସ୍ଥ ଥିବାବେଳେ ଏହି ଅଷ୍ଟସଖୀ ନିରୋଳାରେ ତାଙ୍କର ସେବା କରିଥାଆନ୍ତି ବୋଲି ଲୋକମୁଖରେ ବିଶ୍ୱାସ ରହିଛି ।

ମହାନାଟକର ଏହି ଗୋପନ ପର୍ବରେ ମୁଖ୍ୟତଃ ତିନି ବର୍ଗର ସେବକଙ୍କ ସଂପୃକ୍ତି ରହିଥାଏ । ଦାସ, ଦାସ ମହାପାତ୍ର ଓ ସ୍ୱାଇଁ ମହାପାତ୍ର ସାଙ୍ଗିଆଧାରୀ ଦଇତା ସେବକ ଶ୍ରୀଅଙ୍ଗ ସେବା କଲାବେଳେ ପତି ମହାପାତ୍ର ଭୋଗ ଅର୍ପଣ ବିଧି ତୁଲାଇଥାଆନ୍ତି । ଶେଷରେ ଶ୍ରୀମୁଖ ଶିଙ୍ଗାର ସେବା ଦତ୍ତମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ ।

ଅଣସରର ଶେଷ ପର୍ଯ୍ୟାୟରେ ଶ୍ରୀବିଗ୍ରହମାନଙ୍କୁ ଚକା ଉପରକୁ ବିଜେ କରାଯାଏ ଏବଂ ଶ୍ରୀମୁଖ ଶିଙ୍ଗାର ବା ବନକଲାଗି କରାଯାଇ ନବଯୌବନ ଦର୍ଶନରେ ଭକ୍ତମାନେ ଆପ୍ୟାୟିତ ହୋଇଥାଆନ୍ତି ।

କ୍ରମଶଃ….

Comments are closed.