କଟକ: କଟକର ଐତିହାସିକ ବାଲିଯାତ୍ରାର ଶୁଭ ଉଦ୍ଘାଟନ ହୋଇଛି। ଏହି ଐତିହାସିକ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି।
ବାଲିଯାତ୍ରାକୁ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି।
ଚଳିତବର୍ଷ ବାଲିଯାତ୍ରାରେ କଟକ ଇନ୍ କଟକରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ। ସେହିପରି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ସ୍ମୃତିକୁ ମନେ ପକେଇବାକୁ ଚେଷ୍ଟା କରିଛି ପ୍ରଶାସନ। ସୀତା ବିବାହ, ହୀରାଲୀଳା, ଗପ ହେଲେବି ସତ ଓ ଚିହ୍ନା ଅଚିହ୍ନା ପରି ଲୋକପ୍ରିୟ ଓଡ଼ିଆ ଫିଲ୍ମର ପୋଷ୍ଟର ଗ୍ୟାଲେରୀ ପ୍ରଦର୍ଶିତ ହେବା ସହ ପୁରୁଣା ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଆମ୍ପିଥିଏଟର କରାଯାଇଛି। ଆଉ ସେଠାରେ ଓଡ଼ିଆ ଚଳଚ୍ଚିତ୍ରର ଚର୍ଚ୍ଚିତ ସଂଳାପ ଓ ସଂଗୀତ ଅଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯିବ।
ସେହିପରି ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ। ଏହାସହ ନଦୀ ଭିତରେ ଡ୍ରୋନ୍ ଶୋ’ ମାଧ୍ୟମରେ ଓଡ଼ିଆ ସଂସ୍କୃତି ପରମ୍ପରା ସହ ମହାପୁରୁଷଙ୍କ ଫଟୋ ଓ ଓଡ଼ିଶାର ଇତିହାସ ସମ୍ପର୍କରେ ଅବଗତ କରାଯିବ। ଅନନ୍ତ ଦୁନିଆ ବା ଇନଫିନିଟି ୱଆଲ୍ଡର ମଜା ନେବେ ଦର୍ଶକ।
ବାଲିଯାତ୍ରାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର, ଅନୁପ ଜୋଲେଟା ସଙ୍ଗୀତ ପରିବେଷଣ କରିବେ। ଏହାଛଡ଼ା ଓଲିଉଡ୍ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଦିପ୍ତିରେଖା ପାଢୀ ପ୍ରମୁଖ କଳାକାରମାନେ ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.