Latest Odisha News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ ରାଜ୍ୟ ସରକାର ସାର୍ବଜନୀନ କରୁନାହାନ୍ତି । ଏହା ପଛରେ କେଉଁ ଅଜଣା କାରଣ ଅଛି ବା କେଉଁ ବିଶେଷ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସେହି ତଦନ୍ତ କମିଶନ ରିପୋର୍ଟ ଚପାଇ ରଖିଛନ୍ତି, ତାହାର ଉତ୍ତର ଦେବା ଦରକାର ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜିବି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀମାନେ ଖୁଲମଖୋଲା ବୁଲୁଛନ୍ତି ଏବଂ ସେମାନଙ୍କର ଆଦିବାସୀ ବିରୋଧୀ କାର୍ଯ୍ୟକଳାପ ଜାରୀ ରଖିଛନ୍ତି । କନ୍ଧମାଳ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ସେମାନେ ସରଳ ଆଦିବାସୀମାନଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ କରୁଛନ୍ତି । ରାଜ୍ୟ ସରକାର ତୁରନ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଆଦିବାସୀମାନଙ୍କ ସାମାଜିକ, ଭାଷାଗତ ଉନ୍ନତିକୁ ଗଢ଼ି ତୋଳିବାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏନେଇ ବିଭିନ୍ନ ଦେଶ ବିରୋଧୀ ଅନୁଷ୍ଠାନ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରିଥିଲେ । ୨୦୦୭ ମସିହା ଡିସେମ୍ବର ୨୫ ତାରିଖରେ ହତ୍ୟା ଉଦ୍ୟମ କରାଯାଇଥିଲା ଓ ସେ କଟକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ଏନେଇ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ୨୦୦୮ରେ ଲକ୍ଷ୍ମଣାନ୍ଦଙ୍କୁ ହତ୍ୟା କରାଯାଇଥିଲା ।
ସରସ୍ୱତୀଙ୍କ ସହ ତାଙ୍କର ୪ ଜଣ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏନେଇ ୩ ଟି ତଦନ୍ତ କମିଶନ ମଧ୍ୟ ବସିଥିଲା । ଜଷ୍ଟିସ ପାଣିଗ୍ରାହୀ କମିଶନ, ଜଷ୍ଟିସ ମହାପାତ୍ର ଓ ଜଷ୍ଟିସ ନାଇଡୁ କମିଶନ ଏହି ହତ୍ୟାକାଣ୍ଡ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରୁଥିଲେ । ୨ଟି କମିଶନର ରିପୋର୍ଟ ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ଏଯାଏଁ କାହିଁକି ଏହାକୁ ସାର୍ବଜନୀନ କରାଯାଇ ନାହିଁ, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ । ଏହି ରିପୋର୍ଟକୁ ସରକାର ତୁରନ୍ତ ସାର୍ବଜନୀନ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଖାଲି ସେତିକି ନୁହେଁ, ଦେବାଶିଷ ହୋତା ନାମକ ଜଣେ ବ୍ୟକ୍ତି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ । ଏହାପରେ ମାନ୍ୟବର ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଏନେଇ ନୋଟିସ୍ କରିଛନ୍ତି । ଯଥାଶୀଘ୍ର ରାଜ୍ୟ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.