ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ନାନୀଙ୍କ ଫିଲ୍ମ ‘ଦ ପାରାଡାଇଜ୍’ ବକ୍ସ ଅଫିସ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍ ପରେ ଫିଲ୍ମର କଲେକ୍ସନ୍ରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ୩ ଦିନ ମଧ୍ୟରେ ଫିଲ୍ମର ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୧୯.୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହ ଫିଲ୍ମ ୧୦୦ କୋଟିର କ୍ଲବ୍ରେ ମଧ୍ୟ ପ୍ରବେଶ କରିଛି।
‘ଦ ପାରାଡାଇଜ୍’ର ବକ୍ସ ଅଫିସ୍ ଯାତ୍ରା ପେଡ୍ ପ୍ରିଭ୍ୟୁରୁ ହିଁ ଭଲ ଆରମ୍ଭ ହୋଇଥିଲା। ପେଡ୍ ପ୍ରିଭ୍ୟୁରୁ ଫିଲ୍ମ ୧୧.୬୦ କୋଟି ଟଙ୍କା ଆୟ କରିଥିଲା। ଏହାପରେ ରିଲିଜ୍ର ପ୍ରଥମ ଦିନରେ ଫିଲ୍ମ ୩୪.୬୫ କୋଟି ଟଙ୍କା କମାଇଥିଲା। ଦ୍ୱିତୀୟ ଦିନରେ କଲେକ୍ସନ୍ ୧୪.୯୦ କୋଟି ଥିବାବେଳେ ତୃତୀୟ ଦିନରେ ଏହା ୧୫.୨୫ କୋଟି ଟଙ୍କା ହୋଇଛି।
ଏହି ହିସାବରେ ଫିଲ୍ମର ୩ ଦିନର ନେଟ୍ କଲେକ୍ସନ୍ ୭୬.୪୦ କୋଟି ଟଙ୍କା ହୋଇଛି। ଅନ୍ୟପଟେ ଫିଲ୍ମର ଗ୍ରସ୍ କଲେକ୍ସନ୍ ୯୦.୫୦ କୋଟି ଟଙ୍କା ରହିଛି। ବିଦେଶରେ ମଧ୍ୟ ଫିଲ୍ମକୁ ଭଲ ରେସ୍ପନ୍ସ ମିଳିଛି। ୩ ଦିନରେ ଓଭରସିଜ୍ରୁ ପ୍ରାୟ ୨୯ କୋଟି ଟଙ୍କା ଆୟ ହୋଇଛି। ଏହାକୁ ମିଶାଇ ଫିଲ୍ମର ମୋଟ ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୧୯.୫୦ କୋଟିରେ ପହଞ୍ଚିଛି।
ଏବେ ସମସ୍ତଙ୍କ ନଜର ରବିବାରର କଲେକ୍ସନ୍ ଉପରେ। ଫିଲ୍ମ ଏହି ଗତି ବଜାୟ ରଖିପାରିଲେ ରବିବାର ସୁଦ୍ଧା ୱାର୍ଲ୍ଡୱାଇଡ୍ କଲେକ୍ସନ୍ ପ୍ରାୟ ୧୫୦ କୋଟି ଟଙ୍କା ନିକଟରେ ପହଞ୍ଚିପାରେ। ଏହା ସହିତ ଏକ୍ସଟେଣ୍ଡେଡ୍ ୱିକେଣ୍ଡର ଫାଇଦା ମଧ୍ୟ ଫିଲ୍ମକୁ ମିଳୁଛି।
ନାନୀଙ୍କ କ୍ୟାରିୟର ପାଇଁ ମଧ୍ୟ ‘ଦ ପାରାଡାଇଜ୍’କୁ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ବୋଲି ଦେଖାଯାଉଛି। ତାଙ୍କର ଅନେକ ଫିଲ୍ମ ଭଲ ବ୍ୟବସାୟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ୫୦୦ କୋଟି ଟଙ୍କାର କଲେକ୍ସନ୍ କରିପାରିନାହିଁ। ଏବେ ‘ଦ ପାରାଡାଇଜ୍’ ତାଙ୍କୁ ପ୍ରଥମ ୫୦୦ କୋଟି ଟଙ୍କାର ଫିଲ୍ମ ଦେବ କି ନାହିଁ, ତାହା ଆଗାମୀ ଦିନର କଲେକ୍ସନ୍ ଉପରେ ନିର୍ଭର କରିବ।
ଫିଲ୍ମର ବଜେଟ୍ ପ୍ରାୟ ୨୦୪ କୋଟି ଟଙ୍କା ବୋଲି କୁହାଯାଉଛି। ଏବେ ୩ ଦିନରେ ୱାର୍ଲ୍ଡୱାଇଡ୍ରେ ୧୧୯.୫୦ କୋଟି ଆୟ ପରେ ଫିଲ୍ମ ନିଜ ବଜେଟ୍ ରିକଭରି ଦିଗରେ ଆଗକୁ ବଢ଼ୁଛି। ତେବେ ଆଗକୁ ଫିଲ୍ମ କେତେ ବଡ଼ ହିଟ୍ ହେବ, ତାହା ଦର୍ଶକଙ୍କ ‘ୱର୍ଡ ଅଫ୍ ମାଉଥ୍’ ଉପରେ ମଧ୍ୟ ନିର୍ଭର କରିବ।

