Latest Odisha News

ବଦଳିବ ରଘୁରାଜପୁରର ରୂପରେଖ, କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପ୍ରକଳ୍ପ

ପୁରୀ: ଐତିହ୍ୟ ଗ୍ରାମ ରଘୁରାଜପୁରର ବଦଳିବ ରୂପରେଖ । ରଘୁରାଜପୁରର ବିକାଶ ସହିତ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ କିଭଳି ଏହି କଳା ଗ୍ରାମ ଆକର୍ଷିତ କରିବ ସେନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସେନେଇ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।

ରଘୁରାଜପୁରରେ ନିର୍ମିତ ହେବ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଆକର୍ଷଣୀୟ ତୋରଣ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ପ୍ରବେଶ ତୋରଣକୁ ଆକର୍ଷିତ ମଧ୍ୟ କରାଯିବ । ଗ୍ରାମରେ ରହିଥିବା ଗ୍ୟାଲେରୀ ଏବଂ ପ୍ରଦର୍ଶନୀ ହଲର ଉନ୍ନତି କରାଯିବ । ଫଳରେ ଶିଳ୍ପୀ ମାନଙ୍କର କଳାଚାତୁରି ସିଧାସଳଖ ପର୍ଯ୍ୟଟକ ମାନେ ଦେଖିପାରିବେ ।

ଏଥିସହିତ ମୁକ୍ତାକାଶ ମାର୍କେଟ ସହ କିଣାକିଣି ସୁବିଧା ପାଇଁ ରହିବ ପାଥ୍ ଓ୍ବେ । ଗ୍ରାମର ମଧ୍ୟ ଭାଗରେ ଥିବା ମନ୍ଦିର ଗୁଡ଼ିକର ପୁନରୁଦ୍ଧାର ସହ ଏକ ସ୍ବତନ୍ତ୍ର ଥିମ୍ ଆଧାରରେ ବିକଶିତ କରାଯିବ । ଏନେଇ ଡିଜାଇନ୍ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି ରଘୁରାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ସଂପ୍ରସାରଣ କରାଯିବା ସହ ଗ୍ରାମରେ ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହିତ ଏକ କ୍ୟାଫେଟେରିଆ ମଧ୍ୟ ନିର୍ମାଣ କରାଯିବ । ଏହାଦ୍ବାରା ଆଗାମୀ ଦିନରେ ରଘୁରାଜପୁରର ଉନ୍ନତି ହେବା ସହ ଆହୁରି ଅଧିକରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଐତିହ୍ୟ ଗ୍ରାମ ରଘୁରାଜପୁର ।

Comments are closed.