ଭୁବନେଶ୍ବର: ପିଲା ଯଦି ସ୍କୁଲ ନ ଆସନ୍ତି କିମ୍ବା ୭ ଦିନରୁ ଅଧିକ ଅନୁପସ୍ଥିତ ରହିଲେ ତେବେ ଘରକୁ ଯିବେ ଶିକ୍ଷକ । ଶିକ୍ଷକ ପିଲାଟିର ଘରେ ପହଞ୍ଚି ତାର ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ । ପିଲାଟି କାହିଁକି ସ୍କୁଲ ଆସୁନାହିଁ, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ ବୁଝାଇ ପିଲାକୁ ପୁଣି ସ୍କୁଲକୁ ଆଣିବାକୁ ଚେଷ୍ଟା କରିବେ । ଏନେଇ ଡିଇଓ ଏବଂ ବିଇଓମାନଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ଗତ କିଛି ମାସ ତଳେ ରାଜ୍ୟରେ ଡ୍ରପଆଉଟ୍ ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେନେଇ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା ‘ଡ୍ରପ୍ଆଉଟ୍’ ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କଠୋର ତଥା ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ଏଣିକି ପିଲାମାନେ ସ୍କୁଲରୁ ଦୂରେଇ ରହିଲେ ସରକାର ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।
ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।