Latest Odisha News

BREAKING NEWS

Basare Lekhaka: ଜୁଲାଇରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ ‘ବସାରେ ଲେଖକ’

ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ । ଏହି ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ ‘ବସାରେ ଲେଖକ’। ନୂଆ ଲେଖକ ନିର୍ମାଣ ଲକ୍ଷ୍ୟରେ ହେଉଥିବା ଏହି କର୍ମଶାଳାରେ ଭାଗନେବା ପାଇଁ ୨୫ ବର୍ଷରୁ କମ ବୟସର ୧୦ ଜଣ ତରୁଣ ଲେଖକ ମନୋନିତ ହୋଇଛନ୍ତି । ଏନେଇ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି ।

ଚିଲିକା ହ୍ରଦ କୂଳରେ ଅନୁଷ୍ଠିତ ହେବାକୁ ଥିବା ଏକ ସପ୍ତାହବ୍ୟାପୀ ଆବାସିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମୋଟ ୧୪୩ଟି ଆବେଦନ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୩୦ ଜଣଙ୍କୁ ଉପନ୍ୟାସର ଗୋଟିଏ ଲେଖାଏଁ ଅଧ୍ୟାୟ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୦ ଜଣ ମନୋନିତ ହୋଇଥିଲେ । ମନୋନିତ ୧୦ ଜଣ ଲେଖକ ହେଉଛନ୍ତି ବରଗଡ଼ର ଧର୍ମରାଜ ମହାମଲ୍ଲିକ, ଢେଙ୍କାନାଳର ବିଶ୍ବଜିତ ସାହୁ, କଟକର ପ୍ରୀତିକ୍ରିଷ୍ଣା ସାହୁ, ଜଗତସିଂହପୁରର ସୁରଜିତ ପ୍ରଧାନ, ଯାଜପୁରର ସଂଜୟ ରାଉଳ, ଗଞ୍ଜାମର ବାଦଲ ପଲେଇ, ଅନୁଗୋଳର ତୃପ୍ତିମୟୀ ରାଉଳ, କଟକର ଶୁଭଶ୍ରୀ ଦାସ, ଭଦ୍ରକର ସସ୍ମିତା ବେହେରା ଓ କେନ୍ଦ୍ରାପଡ଼ାର ଜ୍ୟୋତିରଞ୍ଜନ ଦାସ ।

ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଓ ମିୟୋଗ ପାତ୍ର ଏହି ‘ବସାରେ ଲେଖକ’ କାର୍ଯ୍ୟକ୍ରମର ‘ଅଭିମନ୍ତା’ (ମେଣ୍ଟର) ଅଛନ୍ତି । ଚଳିତ ବର୍ଷର ବିଷୟ ରହିଛି ‘କ୍ୟାମ୍ପସ୍‌ ଉପନ୍ୟାସ’। ଅଭିମାନ୍ତାମାନଙ୍କ ତତ୍ତ୍ବାବଧାନରେ ଗତ ତିନି ମାସ ମଧ୍ୟରେ ଏହି ୧୦ ଜଣ ଲେଖକ ଶିକ୍ଷାନୁଷ୍ଠାନକୁ କେନ୍ଦ୍ରକରି ଗୋଟିଏ ଲେଖାଏଁ ଉପନ୍ୟାସ ଲେଖିଛନ୍ତି । ସାତ ଦିନିଆ କର୍ମଶାଳାରେ ସେମାନଙ୍କ ଉପନ୍ୟାସର ମୂଲ୍ୟାୟନ କରାଯିବା ସହ ସଂଶୋଧନ, ସଂପାଦନ, ପୁନର୍ଲିଖନ ଓ ପରିବର୍ତ୍ତନ ଲାଗି ପରାମର୍ଶ ଦିଆଯିବ। ପ୍ରତ୍ୟହ କର୍ମଶାଳାରେ ରାଜ୍ୟର ବହୁ ବରିଷ୍ଠ କଥାକାର ‘ବିଷୟ ବିଶେଷଜ୍ଞ’ ଭାବରେ ଯୋଗଦେବେ ଏବଂ ତରୁଣ ଲେଖକମାନଙ୍କ ଉପନ୍ୟାସ ଲେଖକନର କଳା ଓ କୌଶଳ ବାବଦରେ ପରାମର୍ଶ ଓ ଶିକ୍ଷା ଦେବେ ।

କର୍ମଶାଳା ପରେ ୧୦ ଜଣ ଲେଖକଙ୍କ ୧୦ ଉପନ୍ୟାସ ପୁସ୍ତକ ଆକାରରେ ପ୍ରକାଶ ପାଇବ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ପୁସ୍ତକଗୁଡ଼ିକ ଉନ୍ମୋଚିତ ହେବା ସହ ୧୦ ତରୁଣ ଲେଖକଙ୍କୁ ସମ୍ମାନିତ କରାଯିବ । ସମ୍ପୂର୍ଣ୍ଣ ନିଃଶୁଳ୍କ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ତରୁଣ ଲେଖକଙ୍କ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ରହଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବହନ କରିବ ।

Comments are closed.