Latest Odisha News

BREAKING NEWS

କେବଳ ଅଯୋଧ୍ୟାରେ ନୁହେଁ ଏହି ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ମଧ୍ୟ କଳା, ଜାଣନ୍ତୁ…

ମୁମ୍ବାଇ: ଇତିହାସରେ ଯୁଗ ଯୁଗ ଧରି ଲିପିବଦ୍ଧ ହୋଇ ରହିବ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ । ଯେଉଁ ସ୍ଵପ୍ନକୁ ଲୋକେ କାହିଁ କେତେ ବର୍ଷ ଧରି ଦେଖି ଆସିଥିଲେ ଶେଷରେ ୨୨ ଜାନୁଆରୀରେ ତାହା ପୁରଣ ହୋଇଥିଲା । ପ୍ରାଣପ୍ରତିଷ୍ଠା ପରଠାରୁ ମନ୍ଦିରରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଯେଉଁଭଳି ଭାବରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ସେଥିରୁ ଆପଣ ଜାଣିପାରୁଥିବେ ଯେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ଲୋକଙ୍କ ମନରେ କେତେ ଆସ୍ଥା ଭରି ହୋଇ ରହିଛି ।

ତେବେ ଅଯୋଧ୍ୟାରେ ସ୍ଥାପିତ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି କଳା ରଙ୍ଗର । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, କେବଳ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି କଳା ରଙ୍ଗର ନୁହେଁ, ନାସିକରେ ଏକ ଏପରି ମନ୍ଦିର ଅଛି ଯେଉଁଠାରେ ମଧ୍ୟ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା ରହିଛି । ନାସିକର ପଞ୍ଚବଟୀ ତିର୍ଥ ସ୍ଥଳରେ ଥିବା ଏହି ମନ୍ଦିରର ନାମ କାଲାରାମ ମନ୍ଦିର । କାଲାରାମ ମନ୍ଦିରର ନାଁରୁ ହିଁ ଜଣା ପଡିଯାଏ ଏହି ମନ୍ଦିରର ଅର୍ଥ । କାଲାରାମ ଅର୍ଥାତ୍ କଳା ରାମ । କାଲାରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବ୍ୟତୀତ ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ମୂର୍ତ୍ତି ମଧ୍ୟ ରହିଛି । ଏଠାରେ ରାମଭକ୍ତ ହନୁମାନଙ୍କର ମଧ୍ୟ କଳାରଙ୍ଗର ମୂର୍ତ୍ତି ରହିଛି ।

୧୯୭୨ ମସିହାରେ ସର୍ଦ୍ଦାର ରଙ୍ଗରାଓ ୱାଡେକର୍ ଙ୍କ ଦ୍ଵାରା ଏହି କାଲାରାମ ମନ୍ଦିର ସ୍ଥାପନ ହୋଇଥିଲା । ୱାଡେକରଙ୍କୁ ଏକ ସ୍ଵପ୍ନାଦେଶ ହୋଇଥିଲା । ସେ ସ୍ଵପ୍ନରେ ଗୋଦାବରୀ ନଦୀରୁ ଏକ କଳା ରଙ୍ଗର ରାମଙ୍କ ମୂର୍ତ୍ତି ପାଇଥିଲେ । ସ୍ଵପ୍ନାଦେଶ ପରେ ସେ ଗୋଦାବରୀ ନଦୀରୁ ସତରେ ଏକ କଳାରଙ୍ଗର ୨ଫୁଟ ବିଶିଷ୍ଠ ଏକ ରାମଙ୍କ ମୂର୍ତ୍ତି ପାଇଥିଲେ । ଏହାପରେ ମନ୍ଦିର ସ୍ଥାପନ କରାଯାଇ ସେହି ମୂର୍ତ୍ତିକୁ ସେଠାରେ ସ୍ଥାପନ କରାଗଲା । ଯେଉଁଠାରୁ ମୂର୍ତ୍ତି ମିଳିଥିଲା ସେହି ସ୍ଥାନର ନାମ ରାମକୁଣ୍ଡ ନାମରେ ନାମିତ କରାଗଲା । ଏହି ମନ୍ଦିରକୁ ତିଆରି କରିବା ପାଇଁ ୧୨ବର୍ଷ ସମୟ ଲାଗିଥିଲେ ।

ଏହି ମନ୍ଦିରକୁ ଯିବା ପାଇଁ ୧୪ଟି ସିଡି ଦେଇ ଯିବାକୁ ପଡିବ । ଏହି ୧୪ଟି ସିଡିର ତାତ୍ପର୍ଯ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ୧୪ବର୍ଷର ବନବାସ । ନାସିକର ପଞ୍ଚବଟୀ ଦଣ୍ଡକାରଣ୍ୟରେ ପ୍ରଭୁ ଶ୍ରୀରାମଚନ୍ଦ୍ର କିଛି ଦିନ କୁଡିଆ ତିଆରି କରି ରହିଥିଲେ । ଏଠାରେ ୫ଟି ବିରାଟ ବଡ ବଡ ବରଗଛ ରହିଛି । ତେଣୁ ଏହି ସ୍ଥାନର ନାମ ପଞ୍ଚବଟୀ ହୋଇଛି । ଏହା ହେଉଛି ସେହି ଯାଗା ଯେଉଁଠାରେ ଳକ୍ଷ୍ମଣ ସୂର୍ପଣଖାର ନାକ କାଟିଥିଲେ ଏବଂ ରାବଣ ମାତା ସୀତାଙ୍କୁ ହରଣ କରିନେଇଥିଲା ।

Leave A Reply

Your email address will not be published.