Latest Odisha News

BREAKING NEWS

ସବୁଜ ଖନନ, ସଫଳତାର ନୂଆ ଉଦାହରଣ !

ହାଇଦ୍ରାବାଦ: କୋଇଲା ଖନନ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। ସାଧାରଣତଃ ଖଣି ଖନନ ଯୋଗୁଁ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ ଆସେ, କିନ୍ତୁ ଏହାର ଏକ ବ୍ୟତିକ୍ରମ ସୃଷ୍ଟି କରି ଦେଶ ପାଇଁ ପ୍ରେରଣା ସାଜିଛି ସିଙ୍ଗରେଣୀ କୋଲିୟରିଜ୍ କମ୍ପାନୀ ଲିମିଟେଡ୍ (SCCL)। କେବଳ କୋଇଲା ଉତ୍ପାଦନ ନୁହେଁ, ବରଂ ଖଣି ବନ୍ଦ ହେବା ପରେ ପରିବେଶର ସୁରକ୍ଷା ଓ ଜମିର ପୁନରୁଦ୍ଧାର କାର୍ଯ୍ୟରେ ଜାତୀୟ ସ୍ତରରେ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛି ଏହି କମ୍ପାନୀ। ଏଥିପାଇଁ କମ୍ପାନୀ ପୁରସ୍କାର ସ୍ୱରୂପ ଫେରି ପାଇଛି ୪୦ କୋଟି ଟଙ୍କା !

କେନ୍ଦ୍ର ସରକାର ଫେରାଇଲେ ୪୦ କୋଟି

ଭିଓ() ତେଲେଙ୍ଗାନାର ବେଲ୍ଲାମପଲ୍ଲୀ ଅଞ୍ଚଳରେ ଥିବା ଡୋର୍ଲି-୨ ଓପନକାଷ୍ଟ ଖଣିକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସମସ୍ତ ନିୟମ ଅନୁଯାୟୀ ସଫଳତାର ସହ ବନ୍ଦ କରିଛି। ସିଙ୍ଗରେଣୀ କମ୍ପାନୀର ଏହି ପରିବେଶ ଅନୁକୂଳ ନୀତିକୁ ଦେଖି କେନ୍ଦ୍ରୀୟ ସଂସ୍ଥା ‘କୋଲ୍ କଣ୍ଟ୍ରୋଲର୍ ଅର୍ଗାନାଇଜେସନ୍’ (CCO) ଖଣି ଚାଲିବା ସମୟରେ ଜମା ରଖାଯାଇଥିବା ୪୦ କୋଟି ଟଙ୍କାର ଏସ୍କ୍ରୋ ରାଶିକୁ ସୁଧ ସହ କମ୍ପାନୀକୁ ଫେରାଇବାକୁ ନିଷ୍ପତ୍ତି ନେଇଛି। ଏଥିମଧ୍ୟରୁ ୯୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩୬.୬୩ କୋଟି ଟଙ୍କା ତୁରନ୍ତ ଫେରାଯାଇଥିବା ବେଳେ ବାକି ଟଙ୍କା ଖୁବ୍ ଶୀଘ୍ର ଫେରାଯିବ।

୨୦୧୩-୧୪ ମସିହାରେ ଡୋର୍ଲି-୨ ଓପନକାଷ୍ଟ ଖଣି ପାଇଁ ଅନୁମତି ମିଳିଥିଲା। ପରିବେଶ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ୨୬.୭୯ କୋଟି ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରେ ଏସ୍କ୍ରୋ ଡିପୋଜିଟ୍ ଭାବେ ରଖାଯାଇଥିଲା। ଦୀର୍ଘ ୭ ବର୍ଷ ଧରି ସେଠାରୁ ସଫଳତାର ସହ କୋଇଲା ଉତ୍ପାଦନ କରାଯିବା ପରେ ୨୦୨୩-୨୪ ରେ ଏହି ଖଣିକୁ ନିୟମାନୁସାରେ ବନ୍ଦ କରାଯାଇଥିଲା।

ପ୍ରଦୂଷଣ ରୋକିବାକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା

ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କମ୍ପାନୀ ଡଷ୍ଟ କଲେକ୍ଟର, ୱେଟ୍ ଡ୍ରିଲିଂ, ୱାଟର ସ୍ପ୍ରିଙ୍କଲର ଏବଂ ମିଷ୍ଟ ସ୍ପ୍ରେ ସିଷ୍ଟମ ଭଳି ଆଧୁନିକ ବ୍ୟବସ୍ଥା ଆପଣାଇଥିଲା। ଏହା ସହ ଜଳ ପ୍ରଦୂଷଣ ରୋକିବା ପାଇଁ ୧୦ କିଲୋମିଟର ଲମ୍ବା ଗାର୍ଲାଣ୍ଡ ଡ୍ରେନେଜ୍, ଚେକ୍ ଡ୍ୟାମ୍ ଏବଂ ସେଟଲିଂ ଟ୍ୟାଙ୍କ୍ ନିର୍ମାଣ କରାଯାଇଥିଲା। ଖଣିରୁ ବାହାରୁଥିବା ପାଣିକୁ ବିଶୋଧନ କରାଯାଇ ଆଖପାଖର ନାଳକୁ ଛଡ଼ାଯାଉଥିଲା, ଯାହାଦ୍ୱାରା ପରିବେଶର ସନ୍ତୁଳନ ରକ୍ଷା ହୋଇପାରିଥିଲା।

ଅନ୍ୟ ଖଣିରେ ମଧ୍ୟ ଲାଗୁ ହେବ ଏହି ମଡେଲ୍

ସିଙ୍ଗରେଣୀର ନିର୍ଦ୍ଦେଶକ କେ. ଭେଙ୍କଟେଶ୍ୱରଲୁ ଜଣାଇଛନ୍ତି ଯେ, ଏହା ପୂର୍ବରୁ ଶ୍ରୀରାମପୁରର ଆରକେ-୮ ଅଣ୍ଡରଗ୍ରାଉଣ୍ଡ ଖଣି ପାଇଁ ମଧ୍ୟ କମ୍ପାନୀ ୪ କୋଟି ଟଙ୍କା ଫେରି ପାଇଥିଲା। ବର୍ତ୍ତମାନ ବନ୍ଦ ହେବା ପ୍ରକ୍ରିୟାରେ ଥିବା ଅନ୍ୟ ସମସ୍ତ ଖଣିରେ ମଧ୍ୟ ସମାନ ପରିବେଶ ଅନୁକୂଳ ମଡେଲ୍ ଲାଗୁ କରାଯାଉଛି। ଖୁବ୍ ଶୀଘ୍ର ଡୋର୍ଲି-୧ ଖଣିରୁ ମଧ୍ୟ ୬୦ କୋଟିରୁ ଅଧିକ ଟଙ୍କାର ଏସ୍କ୍ରୋ ରାଶି ଫେରି ପାଇବ କମ୍ପାନୀ।

ସିଙ୍ଗରେଣୀ କୋଲିୟରିଜ୍‌ର ଏହି ସଫଳତା ପ୍ରମାଣ କରିଛି ଯେ, ଯଦି ସ୍ପଷ୍ଟ ଆଭିମୁଖ୍ୟ ଏବଂ ସଠିକ୍ ଯୋଜନା ଥାଏ, ତେବେ ଶିଳ୍ପ ବିକାଶ ଏବଂ ପରିବେଶ ସୁରକ୍ଷା ଦୁଇଟି ଯାକ ଏକାସଙ୍ଗେ ସମ୍ଭବ ହୋଇପାରିବ। ଭବିଷ୍ୟତରେ ଦେଶର ଅନ୍ୟାନ୍ୟ ଖଣି କମ୍ପାନୀଗୁଡ଼ିକ ପାଇଁ ଏହି ସଷ୍ଟେନେବଲ୍ ମାଇନିଂ ମଡେଲ୍ ନିଶ୍ଚିତ ଭାବେ ଏକ ଆଦର୍ଶ ଉଦାହରଣ ସାଜିବ।

Leave A Reply

Your email address will not be published.